କିଛି ବର୍ଷ ପୂର୍ବେ ଜେଇଇ କ’ଣ ଜାଣି ନଥିବା ଦିନ ମଜୁରିଆଙ୍କ ପୁଅ କଠିନ ପରିଶ୍ରମ କରି ପ୍ରଥମ ଥରରେ ପାସ୍‌ କଲେ ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ରାଜସ୍ଥାନର ଭିଲନ ଗ୍ରାମର ଜଣେ ବାଳକ ପ୍ରଥମ ଥରରେ ହିଁ ଜେଇଇ ମେନ୍‌ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ପିତା ଝାଲାଓ୍ଵାଡର ମୋଗୋଇବେହ ଭିଲନ୍‌ ଗ୍ରାମର ମନରେଗା ଯୋଜନାରେ ଦିନମଜୁରିଆ ଭାବେ କାମ କରନ୍ତି। ତାଙ୍କୁ ତ ଏହା ବି ଜଣା ନାହିଁ କି ଇଞ୍ଜିନିୟର କ’ଣ ହୋଇଥାଏ। କେବଳ ପିତା ନୁହନ୍ତି, ଜେଇଇ ମେନ୍‌ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଲେଖରାଜ କିଛି ବର୍ଷ ପୂର୍ବେ ନିଜେ ବି ଜେଇଇ-ମେନ୍‌ ପରୀକ୍ଷା କ’ଣ ସେ ବିଷୟରେ ଜାଣି ନଥିଲେ। ତେବେ ସେ ରାଜସ୍ଥାନର ଆଦିବାସୀ ଗ୍ରାମର ପ୍ରଥମ ପିଲା ଜିଏ କି ଜେଇଇ-ମେନ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି।

ପୁଅର ସଫଳତାକୁ ଦେଖି ପିତା ବାଙ୍ଗିଲାଲ କହନ୍ତି, ଇଞ୍ଜିନିୟର କ’ଣ ହୋଇଥାଏ , ତାହା ମୋତେ ଜଣା ନଥିଲା। ମୁଁ ତ ସ୍ୱପ୍ନରେ ବି ଭାବି ନଥିଲି କି ମୋ ପୁଅ ଗ୍ରାଜୁଏଟ ହୋଇଯିବ। ଆଜି ସବୁ ଜାଣିଲା ପରେ ମୋର ଖୁସିକୁ ମୁଁ ଶବ୍ଦରେ ବଖାଣି ପାରୁ ନାହିଁ କି ମୋ ପୁଅ ଇଞ୍ଜିନିୟର ବନି ଯାଇଛି।

ଲେଖରାଜ ନିଜର ଏହି ସଫଳତାର ଶ୍ରେୟ ନିଜ ଶିକ୍ଷକ ଜସରାଜ ସିଂହ ଗୁର୍ଜର, କଲେଜ ପ୍ରିନ୍ସପାଲ ଓ କୋଚିଂ ସେଣ୍ଟର ନିର୍ଦ୍ଦେଶକଙ୍କୁ ଦେଇଛନ୍ତି। ସେହିପରି ତାଙ୍କ ଶିକ୍ଷକଙ୍କ କହିବାନୁସାରେ ଲେଖରାଜ ଭଲ ପାଠପଢ଼ୁଥିଲେ। କିନ୍ତୁ ସେ କେଉଁଥିରେ ନିଜ କ୍ୟାରିୟର ବନାଇବ ତାହା ସ୍ଥିର କରି ପାରି ନଥିଲେ। ସେ ତ କିଛି ବର୍ଷ ପୂର୍ବେ ଜେଇଇ ପରୀକ୍ଷା କ’ଣ ତାହା ବି ଶୁଣି ନଥିଲେ।

ଲେଖରାଜଙ୍କ ଶିକ୍ଷକ ଜସରାଜଙ୍କ କହିବାନୁସାରେ, ୧୦ମ ବୋର୍ଡ ପରୀକ୍ଷାରେ ଲେଖରାଜ ଝାଲାଓ୍ଵାଡ ଜିଲ୍ଲାରେ ଟପର ଥିଲେ। ସେ ପରୀକ୍ଷାରେ ୯୩.୮୩ ପ୍ରତିଶତ ନମ୍ବର ହାସଲ କରିଥିଲେ। ସେତେବେଳେ ରାଜସ୍ଥାନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କୁ ପୁରସ୍କାର ସ୍ୱରୂପ ଏକ ଲ୍ୟାପଟପ୍‌ ଦେଇଥିଲେ। ଲେଖରାଜ ସ୍କୁଲରେ ଗଣିତ ଓ ବିଜ୍ଞାନରେ ୯୬ ଓ ୯୭ ନମ୍ବର ହାସଲ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଷୟରେ ସ୍କୁଲରେ କୌଣସି ଶିକ୍ଷକ ନଥିଲେ। କିନ୍ତୁ ଲେଖରାଜ ଜଣେ ମେଧାବୀ ଛାତ୍ର ଥିଲେ। ସମସ୍ତ ଶିକ୍ଷକଙ୍କ ସାହାଯ୍ୟ କ୍ରମେ ଲେଖରାଜ ଜେଇଇ ପରୀକ୍ଷା ଦେଇଥିଲେ ଓ ସେଥିରେ ଆଜି ସେ ଉତ୍ତୀର୍ଣ୍ଣ ହୋଇ ଗାଁ ପାଇଁ ଗୌରବ ଆଣିଛନ୍ତି।

ସମ୍ବନ୍ଧିତ ଖବର