ଭାରତରେ ଗରିବଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି ପାକିସ୍ତାନର ଲଙ୍ଗର ବାବା

ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଚାଲିଛି ସେବା, ୫୦୦ ଲୋକଙ୍କୁ ମିଳୁଛି ଭୋଜନ

ଚଣ୍ଡୀଗଡ଼: କ୍ଷୁଧାମୁକ୍ତ ଚଣ୍ଡୀଗଡ଼ ଲକ୍ଷ୍ୟ ନେଇ ଭାରତରେ ୩୦ ବର୍ଷ ଧରି ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି ପାକିସ୍ତାନରେ ଜନ୍ମଲାଭ କରିଥିବା ଲଙ୍ଗର ବାବା। ପେଶାବରରେ ଜନ୍ମିତ ୮୩ ବର୍ଷିଅ ବାବା ଆବେଗ ସ୍ୱରରେ କୁହନ୍ତି, ସେହି ସମୟର କଥା ମୁଁ କହିପାରିବି ନାହିଁ, କିନ୍ତୁ ୧୯୪୭ରେ ଭାରତ-ପାକିସ୍ତାନ ଯେତେବେଳେ ଅଲଗା ହେଲା, ମୁଁ ୧୨ ବର୍ଷର ପିଲା ଥିଲି।

ଲଙ୍ଗର ବାବା ନାମରେ ଅଧିକ ଲୋକପ୍ରିୟ ଜଗଦିଶ ଲାଲ ଆହୁଜା ଶହ ଶହ ଗରିବ ପିଲାଙ୍କୁ ଦୈନିକ ଖାଦ୍ୟ ଯୋଗାଉଛନ୍ତି। ଏହା ପୁଣି ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଚାଲିଛି। ବର୍ଷ ୨୦୦୧ରେ ସେ ପୋଷ୍ଟ ଗ୍ରାଜୁଏଟ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ସମ୍ମୁଖରେ ଲଙ୍ଗର ଶୁଭାରମ୍ଭ କରିଛନ୍ତି।

ସେବା ପାଇଁ ଜମି ବିକିଲେ

ବର୍ଷ ୨୦୧୫ରେ ଲୋକଙ୍କର ସେବା କରିବା ପାଇଁ ବାବା ନିଜର ୭ଟି ସମ୍ପତ୍ତିକୁ ୧.୬ କୋଟି ଟଙ୍କାରେ ବିକ୍ରି କରିଥିଲେ। ତାଙ୍କର ଉଚ୍ଚ ଭାବନା ଥିଲା ଯେ, ଲୋକ ଖାଲି ପେଟରେ ନ ରୁହନ୍ତୁ। ଆହୁଜାଙ୍କ ପତ୍ନୀ, ୨ଟି ଝିଅ ଓ ଗୋଟିଏ ପୁଅ ନିଜ ନିଜ ବ୍ୟବସାୟରେ ବ୍ୟସ୍ତ। ସାଧାରଣ ଚେୟାରରେ ବସୁଥିବା ବାବାଙ୍କ ପ୍ରାୟ ୭୦ ଜଣ ଲୋକ ପିଲାମାନଙ୍କୁ କପଡ଼ା, ବିସ୍କୁଟ ଓ ଫଳ ମାଲୋଆ, ସେକ୍ଟର ୨୪, ଶିଳ୍ପାଞ୍ଚଳ, ଜରାଶ୍ରମ, ମେଡିକାଲ କଲେଜ ସମ୍ମୁଖରେ ବିତରଣ କରୁଛନ୍ତି।

ଆଜିର ଦିନରେ ବାବା ପ୍ରତିଦିନ ୫୦୦ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ପୂର୍ବରୁ ୨୦୦୦ ଲୋକଙ୍କୁ ଦେଉଥିଲେ। ପୂର୍ବ ତୁଳନାରେ କମ ଲୋକଙ୍କୁ ଖାଦ୍ୟ ଦିଆଯିବା ସମ୍ପର୍କରେ ସେ କୁହନ୍ତି, ଅର୍ଥାଭାବ ହେଉଛି ପ୍ରମୁଖ କାରଣ। ୨୦୧୫ ପରେ ଆର୍ଥିକ ସମସ୍ୟା ଦେଖାଯାଇଥିବାରୁ ସଂସ୍ଥା ଚଳାଇବା କଷ୍ଟ ଅନୁଭବ ହେଉଛି ପୂର୍ବଭଳି ଖାଦ୍ୟ ମଧ୍ୟ ପରଷା ଯାଇ ପାରୁ ନାହିଁ। ପୂର୍ବରୁ ୧୭ ପ୍ରକାର ପନିପରିବା ଲାଗୁଥିବା ବେଳେ ଏହାକୁ ଏବେ ୭ କରି ଦିଆଯାଇଛି।

ବାଲ୍ୟ ଜୀବନ ସଙ୍ଘର୍ଷପୂର୍ଣ୍ଣ

ବାବା କୁହନ୍ତି ମୋର ପିଲା ଦିନ କେମିତି କଟିଥିଲା ସେ ବିଷୟରେ ପଚରାନ୍ତୁ ନାହିଁ। ଯେତେବେଳେ ମୁଁ ୧୨ ବର୍ଷର ପିଲା ଥିଲି, ସେତେବେଳେ ଭାରତ-ପାକିସ୍ତାନ ଅଲଗା ହୋଇଥିଲା। ପେଶାବର ଛାଡି ଆମେ ପଟିଆଲା ଆସିଥିଲୁ। ସେଠାରୁ ଆମକୁ ବାହାର କରି ଦିଆଯିବା ପରେ ଅମୃତସର ଯାଇଥିଲୁ। କିଛି ବର୍ଷ ପରେ ପୁଣି ଥରେ ପଟିଆଲା ଫେରିବାକୁ ପଡ଼ିଥିଲା।

ପରିବାରରେ ଆହୁଜା କେବଳ ରୋଜଗାର କରୁଥିଲେ। ପିତା କିଛି କାମ କରୁ ନଥିବା ବେଳେ ମା ଗୃହିଣୀ ଥିଲେ। ଶୁଖିଲା ଖାଦ୍ୟ ବିକିବାକୁ ମୁଁ ପ୍ରତିଦିନ ପ୍ରାୟ ୫ କିଲୋମିଟର ପାଦରେ ଚାଲି ଯାଉଥିଲି। ଦିନକୁ ୨ଟଙ୍କା ଓ ୨ଅଣା ରୋଜଗାର କରୁଥିଲି। ପେଶାବରରେ ସେ କେବେ ସ୍କୁଲ ଯାଇ ନଥିଲେ। ସେ କୁହନ୍ତି, ସ୍କୁଲ ଗଲେ ବାପାଙ୍କ ଠାରୁ ମାଡ଼ ଖାଉଥିଲି ଓ ଘର କାମ ନକଲେ ପିତା ମାଡ଼ ମାରୁଥିଲେ। ଅମୃତସର ଷ୍ଟେସନରେ ନମକିନ୍‌, ଚକଲେଟ୍‌, ଫଳ ବିକୁଥିଲେ।

୨୧ ବର୍ଷ ବୟସରେ ବାବା ଚଣ୍ଡୀଗଡ଼ ଆସିଥିଲେ। ଏଠାରେ ସେ ଫଳ କିଣା ବିକା ବ୍ୟବସାୟ ଆରମ୍ଭ କଲେ। ବ୍ୟବସାୟ ଭଲ ହେବାରୁ ସେ ଏକ ଶଗଡ଼ ଗାଡ଼ି ପୂର୍ଣ୍ଣ କମଳାକୁ ୧୫ଟଙ୍କାରେ କିଣିଥିଲେ। ୧୯୬୫ରେ ପ୍ରଥମ ଥର ପାଇଁ ସେ ୪୦୦୦ ଟଙ୍କାରେ ଜମି କିଣିଥିଲେ। ପୁଅର ୮ମ ଜନ୍ମ ଦିବସରେ ଲଙ୍ଗର ଖୋଲିବାକୁ ବାବା ମନସ୍ଥ କରିଥିଲେ। ସେଦିନ ଆମେ ୧୫୦ ଜଣ ଶିଶୁଙ୍କ ପାଇଁ ରୋଷେଇ କରିଥିଲୁ।

ସମ୍ବନ୍ଧିତ ଖବର