ତୌସିରୋ ଭାଷା କହୁଥିବା ବିଶ୍ୱର ଶେଷ ମଣିଷ !

ପେରୁ ଅନ୍ତର୍ଗତ ଇନ୍‌ଟ୍ୟୁଟୋର ଆମାଡିଓ ଗାର୍ସିୟା, ତୌସିରୋ ଭାଷା କହୁଥିବା ପୃଥିବୀର ଶେଷ ମଣିଷ। ଏକଦା ସେ ନିଜର ପରିବାର ସହ ରହୁଥିଲେ ଆମାଜନ୍‌ ଅବବାହିକାର ଘଞ୍ଚ ଜଙ୍ଗଲରେ। ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ, ତୌସିରୋ ସଂପ୍ରଦାୟର ଅବଶିଷ୍ଟ ବିଶ୍ୱ ସହ କୌଣସି ସଂପର୍କ ନ ଥିଲା। ପ୍ରତିକୂଳ ପରିବେଶ-ପରିସ୍ଥିତି, ନିଜକୁ ସଭ୍ୟ ବୋଲାଉଥିବା ବର୍ବରଙ୍କ ଆକ୍ରମଣ ଓ ରୋଗ କ୍ରମଶଃ, ଆମାଡିଓଙ୍କ ସଂପ୍ରଦାୟର ବିଲୋପନର କାରଣ ପାଲଟିଥିଲା। ତୌସିରୋମାନଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଚାଲିଲା। ନିଜ ଆଖି ସାମନାରେ ଆମାଡିଓ ପ୍ରଥମେ ପିତା-ମାତାଙ୍କୁ ହରାଇଲେ। ଗୋଟିଏ ଭାଇକୁ ଜାଗୁଆର୍‌ ଟେକିନେଲା। ଦୁଇ ଭଉଣୀ ବିଷାକ୍ତ ସର୍ପ ଦଂଶନରେ ଗଲେ। ବର୍ତ୍ତିଥିବା ଆଉ ଏକ ପରିବାରର ଜଣେ ନଦୀରେ ଭାସିଗଲା। ଜଣଙ୍କର ପ୍ରାଣ ଗଲା ଶିକାର ବେଳେ। ଶେଷରେ ରହିଲେ ଆମାଡିଓ ଓ ତାଙ୍କ ସାନ ଭାଇ ଜୁଆନ୍‌। ମାଲେରିଆ, ଜୁଆନ୍‌ଙ୍କୁ ଖାଇବା ପରଠାରୁ ଆମାଡିଓ ଏକୁଟିଆ। ଗତ ଶତାବ୍ଦୀ ଶେଷ ହେବା ବେଳକୁ ତୌସିରୋ ଭାଷା କହୁଥିବା ମାତ୍ର ପନ୍ଦର ଜଣ ମଣିଷ ଜୀବିତ ଥିଲେ। ଏବେ ଏକ ମାତ୍ର ଆମାଡିଓ। ସେ ଏକ ସରକାରୀ ଭାଷା ସଂରକ୍ଷଣ ସଂସ୍ଥାରେ କାମ କରୁଛନ୍ତି। ତାଙ୍କ ମାଧ୍ୟମରେ, ତାଙ୍କ ଭାଷାର ପନ୍ଦର ଶହ ଶବ୍ଦ, ସତେଇଶଟି ଲୋକକଥା ଓ ତିନିଟି ଲୋକସଂଗୀତ ସୁରକ୍ଷିତ କରାଯାଇପାରିଛି। ତାଙ୍କୁ ଅଳ୍ପ କିଛି ସ୍ପାନିସ୍‌ ଶିଖାଯିବା ପରେ, ଏହା ସଂଭବ ହୋଇପାରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର