ବାସଙ୍ଗର ଚେରରୁ ପତ୍ର ଯାଏଁ ସବୁ ଅଂଶ ଔଷଧୀୟ ଗୁଣରେ ଭରା। ବାସଙ୍ଗରୁ ପ୍ରସ୍ତୁତ ଔଷଧରୁ ଅନେକ ପ୍ରକାରର ରୋଗ ଚିକିତ୍ସା କରାଯାଏ। କିନ୍ତୁ ସବୁଠୁ ଗୁରୁତ୍ୱ ବହନ କରେ ବାସଙ୍ଗର ପତ୍ର। ଆଜ୍ମା, ବ୍ରୋଙ୍କାଇଟିସ୍, ଟିବି ଆଦି ରୋଗ ପାଇଁ ବାସଙ୍ଗ ପତ୍ର ବ୍ୟବହାର କରାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ଡାଳପଲାରେ ଭରା ଗହଳିଆ ବାସଙ୍ଗଗଛ ଚିରହରିତ ପ୍ରଜାତିର। ଅର୍ଥାତ୍ ଏହାର ପତ୍ର କେବେ ହଳଦିଆ ପଡ଼ି ଖସିପଡ଼େ ନାହିଁ। ଶୀତକାଳରେ ଏଥିରେ ଖଇଫୁଟିଲା ପରି ଧଳାଫୁଲ ଫୁଟେ। ଓଡ଼ିଶାର ଗାଁଗଣ୍ଡାରେ ଲୋକେ ବାସଙ୍ଗଗଛରେ କଞ୍ଚାବାଡ଼ ପୋତନ୍ତି।
କଞ୍ଚା କିଂବା ଶୁଖିଲା ବାସଙ୍ଗ ପତ୍ରରୁ ଔଷଧ ପ୍ରସ୍ତୁତ କରାଯାଏ। ପତ୍ରରେ ଥାଏ ଭେସିସାଇନ୍ ନାମକ କ୍ଷାର ଏବଂ ଏକ ଅତ୍ୟାବଶକୀୟ ତୈଳ। କାଶ ଉପସମ କରିବାରେ ବାସଙ୍ଗ ଅବ୍ୟର୍ଥ। ଏହା ପତ୍ରର ରସ କିଂବା ଚା ପିଇଲେ ଥଣ୍ଡା, କଫ ଓ କାଶ ଆଦି ସମସ୍ତ ଶ୍ୱାସପ୍ରଶ୍ୱାସ ନଳୀ ସମ୍ବନ୍ଧୀୟ ରୋଗରୁ ତୁରନ୍ତ ଉପସମ ମିଳିଥାଏ।
ଗଣ୍ଠିବାତ ଆରୋଗ୍ୟ କରାଇବାକୁ ମଧ୍ୟ ବାସଙ୍ଗ ବ୍ୟବହାର କରାଯାଏ। ଏହା ଯନ୍ତ୍ରଣା କମାଇବା ସହ ଫୁଲା ମଧ୍ୟ କମାଇ ଦିଏ।
ରକ୍ତ ଶୋଧନ କରିବାରେ ବାସଙ୍ଗର ଭୂମିକା ଅତୁଳନୀୟ। ଏହା ବ୍ଲଡ୍ କାଉଣ୍ଟ୍ ବଢ଼ାଇବା ସହ ଉଚ୍ଚ ରକ୍ତଚାପ କମାଇ ଦିଏ। ହୃଦ୍ପିଣ୍ଡ୍ ପାଇଁ ଏହା ଟନିକ୍ ଭଳି କାମ ଦିଏ।
ବାସଙ୍ଗ ଖାଇବା ଦ୍ୱାରା ପିତ୍ତ, ବାତ ଓ କଫ ଆଦି ତ୍ରିଦୋଷ ମଧ୍ୟରେ ସମତା ବଜାୟ ରହେ। ପିତ୍ତର ସନ୍ତୁଳନ ରକ୍ଷା କରି ଏହା ଯକୃତ୍ ଓ ପିତ୍ତକୋଷକୁ ସୁସ୍ଥ ରଖେ।
ବାସଙ୍ଗ ଖାଇବା ଦ୍ୱାରା କଣ୍ଠସ୍ୱର ମଧ୍ୟ ମଧୁର ଓ ସ୍ପଷ୍ଟ ଶୁଭେ। ତୃଷ୍ଣା, ଜ୍ୱର, ବାନ୍ତି, ଶର୍କରା, ରକ୍ତପାତ ବିକୃତି ଏବଂ କୁଷ୍ଠ ଆଦି ରୋଗରେ ମଧ୍ୟ ବାସଙ୍ଗ ବ୍ୟବହାର କରାଯାଏ।
ଆଣ୍ଟି-ଇନ୍ଫ୍ଲାମେଟାରି ଏବଂ ଆଣ୍ଟି-ମାଇକ୍ରୋବ୍ୟାକ୍ଟେରିଆଲ୍ ଗୁଣ ଥିବାରୁ ବାସଙ୍ଗ ଚର୍ମର କାନ୍ତି ବୃଦ୍ଧି କରେ।
ପେଟର ପେଶୀଜନିତ ବିନ୍ଧାରୁ ମଧ୍ୟ ବାସଙ୍ଗ ଆରାମ ଦିଏ।
ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ବାସଙ୍ଗ ତାହା ଦୂର କରିଥାଏ।
କିନ୍ତୁ, ବାସଙ୍ଗ ଖାଇବା ବେଳେ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ।
ପ୍ରଥମ କଥା ହେଲା ଚିକିତ୍ସକଙ୍କ ପରାମର୍ଶରେ ଏହାକୁ ବ୍ୟବହାର କରିବା ବିଧେୟ। ଅନ୍ତଃସତ୍ତ୍ୱା ନାରୀମାନେ ବାସଙ୍ଗ ବ୍ୟବହାର କରିବା ଅନୁଚିତ।
ରକ୍ତଶର୍କରା କମ୍ ଥିବା ବ୍ୟକ୍ତିମାନେ ମଧ୍ୟ ବାସଙ୍ଗ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।
ପିଲାଙ୍କୁ ବାସଙ୍ଗ ଦିଅନ୍ତୁ ନାହିଁ।