ସପ୍ତଫେଣୀ ଗଛର ପତ୍ରରୁ ହେଲା ଚମଡା ଉତ୍ପାଦନ, ଚମଡା ପାଇଁ ଯିବନି ପଶୁଙ୍କ ଜୀବନ

ମେକ୍ସିକୋ: ନିତିଦିନିଆ ଜୀବନରେ ଆମେ ବ୍ୟବହାର କରୁଥିବା ବ୍ୟାଗ, ବେଲ୍ଟ ଓ ଜୋତା ପାଇଁ ଚମଡା ବ୍ୟବହାର ହୋଇଥାଏ | ଏହି ଚମଡା ପାଇଁ ବହୁ ସଂଖ୍ୟାରେ ଜୀବ-ଜନ୍ତୁଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ | ସେମାନଙ୍କ ଚମଡ଼ାରେ ସୌଖିନ ଜିନିଷ ପ୍ରସ୍ତୁତ କରାଯାଉଥିବାବେଳେ ବହୁ ମାତ୍ରାରେ ରାସାୟନିକ ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଥାଏ | କିନ୍ତୁ ଏବେ ମେକ୍ସିକୋର ଦୁଇ ଶିଳ୍ପପତି ପଶୁଙ୍କ ପ୍ରତି ହେଉଥିବା ଏହି କ୍ରୁରତାକୁ ହ୍ରାସ କରିବା ପାଇଁ ନୂଆ ଉପାୟ ବାବଦରେ ଚିନ୍ତା କରିଛନ୍ତି | ଶୁଷ୍କ ମରୁଭୂମି ସହ ଆମ ଆଖପାଖରେ ଦେଖିବାକୁ ମିଳୁଥିବା ସପ୍ତଫେଣୀ ଗଛର ପତ୍ରରୁ ଚମଡା ଉତ୍ପାଦନ କରିବାର କାର୍ଯ୍ୟରେ ଲାଗିପଡିଛନ୍ତି |

Photo-Truth theory

ଏବେ ଏହି ଦୁଇ ଶିଳ୍ପପତି ସପ୍ତଫେଣୀରୁ ଚମଡା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି | ମେକ୍ସିକୋରେ ୱେଡରିଆନୋ ଡି ମାର୍ଟ ନାମକ କମ୍ପାନୀଟିଏ ସ୍ଥାପନ କରିଛନ୍ତି ଇଦ୍ରିୟାନ ଲୋପେଜ ଓ ମାର୍ଟେ ନାମକ ଦୁଇ ବ୍ୟକ୍ତି | ଏହି କମ୍ପାନୀ ପ୍ରସ୍ତୁତ କରୁଥିବା ବ୍ୟାଗ ଓ ଜୋତାରେ ସପ୍ତଫେଣୀରୁ ପ୍ରସ୍ତୁତ ଚମଡା ବ୍ୟବହାର କରାଯାଉଛି |

ପଶୁଙ୍କ ଚମଡା ଅପେକ୍ଷା ଏହି ଚମଡା ୧୦ ବର୍ଷ ଯାଏଁ ଅଧିକ ଦିନ ଯାଏଁ ନଷ୍ଟ ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି | ପଶୁଙ୍କ ଚମଡାଠାରୁ କମ ମୂଲ୍ୟରେ ମିଳୁଥିବା ଏହି ଚମଡାକୁ ଘରର ସାଜସଜ୍ଜା ସହ କାରର ସିଟ କଭର ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ | କୁହାଯାଉଛି ଯେ ପଶୁଙ୍କ ଚମଡାରେ ସାଇନାଇଡ଼, ଆର୍ସେନିକ ଓ କ୍ରୋମିୟମ ଭଳି ୨୫୦ରୁ ଅଧିକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବାବେଳେ ସପ୍ତଫେଣୀ ଚମଡାରେ କିନ୍ତୁ କୌଣସି ରାସାୟନିକ ସାମଗ୍ରୀର ବ୍ୟବହାର କରାଯାଇନଥାଏ |

ସମ୍ବନ୍ଧିତ ଖବର