କର୍କଟ ରୋଗରେ ଗୋଡ଼ ହରାଇ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୁଛନ୍ତି ଅଞ୍ଜଳି

କୋଲକାତା : କିଛି କରି ଦେଖାଇବାର ଆଶା ଓ ବିଶ୍ୱାସ ସବୁ ବନ୍ଧନକୁ ଭାଙ୍ଗିବାର ଶକ୍ତି ଦେଇଥାଏ । ହାତ ଗୋଡ଼ ଥାଇ ଲୋକମାନେ ବେକାର ବୁଲୁଥିବା ବେଳେ ବିନା ଅଙ୍ଗରେ ମଧ୍ୟ ଜଣେ ଅନେକ କିଛି କରି ଦେଖାଇପାରେ । ସେଭଳି ଏକ ଅନୁପ୍ରାଣିତ କଲା ପ୍ରେରଣାଦାୟୀ ଘଟଣା ଘଟିଛି କୋଲକାତାରେ ।

ଅସ୍ଥି କର୍କଟ ରୋଗର ଶିକାର ହୋଇ ନିଜର ଗୋଡ଼ ହରାଇଥିବା ସତ୍ତ୍ୱେ ମଧ୍ୟ ନାଚିବା ଛାଡ଼ି ନାହାନ୍ତି କୋଲାକାତାର ଅଞ୍ଜଳି ରାୟ । ବାମ ଗୋଡ଼ ହରାଇ ମଧ୍ୟ ସେ ନିଜ ନୃତ୍ୟ ଦ୍ୱାରା ସବୁ ଲୋକଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।  ୧୧ବର୍ଷ ବୟସରେ ଓଷ୍ଟିଓସାର୍‌କୋମା ଅସ୍ଥି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ ଅଞ୍ଜଳି । ସେ ସମୟରେ ସେ ଭଲ ନାଚୁଥିବା ବେଳେ ତାଙ୍କ ଗୋଡ଼େ କଟା ହେବ ବୋଲି  ଶୁଣି ସେ ଭାଙ୍ଗି ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ଗୋଡ଼ କାଟିବା ନିହାତି ଦରକାର ବୋଲି ଡ଼ାକ୍ତର ଜଣାଇଥିଲେ । ଏ କଥା ଶୁଣି ଅଞ୍ଜଳି ପ୍ରଥମେ ଦୁଃଖୀ ହୋଇଥିବା ବେଳେ ପରେ ସେ ନିଜକୁ ସମ୍ଭାଳି ନେଇଥିଲେ ।

indiatimes.com

ତାଙ୍କ ମନରେ ଆତ୍ମବିଶ୍ୱାସ ଆଣିବା ପାଇଁ ଚିକିତ୍ସା କରୁଥିବା ଡ଼ାକ୍ତର ସୋମା ଦେ ତାଙ୍କୁ ୧୯୮୬ରେ ଆସିଥିବା ସୁଧା ଚନ୍ଦ୍ରନଙ୍କ ଫିଲ୍ମ ‘ନାଚେ ମୟୁରୀ’ର ଭିଡ଼ିଓ ଦେଖାଉଥିଲେ । ଯେଉଁଥିରେ ସୁଧା ଗୋଟେ ଗୋଡ଼ରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ଭିଡ଼ିଓ ଦେଖି ଅଞ୍ଜଳୀଙ୍କ ମନରେ ଆତ୍ମବିଶ୍ୱାସ ଆସିବା ସହ ଅସ୍ତ୍ରୋପଚାରର ବର୍ଷେ ପରେ ସେ ପୁଣି ନାଚିବା ଆରମ୍ଭ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ନୃତ୍ୟ ଦକ୍ଷତା ଦେଖାଇ ସେ ସମସ୍ତଙ୍କ ମନ ଜିଣୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର