ଆଠ ଥର ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ କରିଥିବା ଦୁଇଟି ସନ୍ତାନର ଜନନୀ ଏବେ ୯ମ ଥର ପାଇଁ ଚଢିବାକୁ ଯାଉଛନ୍ତି ମାଉଣ୍ଟ୍‌ ଏଭରେଷ୍ଟ୍‌

ଦୁଇଟି ସନ୍ତାନର ଜନନୀ ଯିଏକି ନିଜର ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ଯୋଗୁଁ ୮ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ି ସଫଳତା ହାସଲ କରିଛନ୍ତି। ଏପରି ସଫଳତା ହାସଲ କରିଥିବା ଏହି ମହିଳା ଜଣକ ହେଲେ ନେପାଳର ଲଖପା ସେରପା। ପର୍ବତାରୋହଣ କରି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ ସୃଷ୍ଟି କରିଥିବା ଏହି ମହିଳା ଜଣକ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ମନରେ ଅଦମ୍ୟ ଅଭିଳାଷ ଏବଂ କିଛି କରିଦେଖାଇବାର ସାହସ ମଣିଷକୁ କେଉଁଠାରୁ ନେଇ କେଉଁଠି ପହଞ୍ଚାଇଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ୪୪ ବର୍ଷୀୟା ଲଖପା ସେରପା। ନେପାଳରେ ରହୁଥିବା ଲଖପା ଦୁନିଆର ଏକମାତ୍ର ମହିଳା ଯିଏ ଗୋଟିଏ କିମ୍ବା ଦୁଇଥର ନୁହଁ ଆଠ ଥର ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢିବାରେ ସଫଳ ହୋଇଛନ୍ତି। ଲଖପା ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢିବାର ସାହସ ଦେଖାଇଥିଲେ।

ତେବେ ଲଖପା ଜଣେ ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢାଳୀ ସହ ଦୁଇ ସନ୍ତାନଙ୍କ ଜନନୀ ମଧ୍ୟ ଅଟନ୍ତି । ସନ୍ତାନଙ୍କ ଯତ୍ନ ନେବା ସହ ସେ ଘରକାମ ଏବଂ ନିଜ ଟ୍ରେନିଙ୍ଗ୍‌ ପାଇଁ ମଧ୍ୟ ସମୟ ଦେଇଥାନ୍ତି। କିନ୍ତୁ ବେଳେବେଳେ ଟ୍ରେନିଙ୍ଗ୍‌ ପାଇବାକୁ ସମୟ ନ ଦେଇପାରି ମଧ୍ୟ ସେ ୮ ଥର ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ କରି ଦେଖାଇଛନ୍ତି। ତେବେ ସେ ବର୍ତ୍ତମାନ ୯ ଥର ପାଇଁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଚଢିବାକୁ ଯାଉଛନ୍ତି।

ଲଖପା ସାଧାରଣ ଜୀବନ ଜିଇଁବାରେ ପସନ୍ଦ କରନ୍ତି। ସେ ଆମେରିକାର ଏକ ବଡ ଦୋକାନରେ ବାସନ ମାଜିବା କାମ କରନ୍ତି। ସକାଳୁ ନିତ୍ୟକର୍ମ ସାରି ପ୍ରଥମେ ନିଜ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଯାଆନ୍ତି ପରେ ସେ ନିଜେ କାମକୁ ବାହାରିଯାନ୍ତି। ଘରକାମ ସହ ତାଙ୍କର ମାଉଣ୍ଟ୍‌ ଏଭରେଷ୍ଟ୍‌ ପ୍ରତି ଦୁର୍ବଳତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ନିଶ୍ଚୟ।

ସମ୍ବନ୍ଧିତ ଖବର