ପେଟରେ ଜୀବନ ରକ୍ଷାକାରୀ ଦ୍ୱିତୀୟ ହୃତ୍ପିଣ୍ଡ ଲଗାଇବାକୁ ଯୋଜନା କରୁଛନ୍ତି ଡାକ୍ତର
ଚେନ୍ନାଇ: ହୃତ୍ପିଣ୍ଡ ପ୍ରତିରୋପଣ ହେଉଥିବା ରୋଗୀଙ୍କ ଶରୀରରେ ଏଥର ଦୁଇଟି ହୃତ୍ପିଣ୍ଡ ରୋପଣ କରାଯିବ। ଦ୍ୱିତୀୟ ହୃତ୍ପିଣ୍ଡଟି ଲାଗିବ ପେଟରେ। ଚେନ୍ନାଇ ସହରର କାର୍ଡିଆକ୍ ସର୍ଜନ୍ମାନେ ପରୀକ୍ଷା ମୂଳକ ଭାବେ ନିକଟରେ ଦୁଇଟି କୁକୁରଙ୍କ ପେଟରେ ବହକା ହୃତ୍ପିଣ୍ଡ ପ୍ରତିରୋପଣ କରିଛନ୍ତି। ଦୁର୍ବଳ ହୃତ୍ପିଣ୍ଡ ଥିବା ଜୀବଙ୍କୁ ବଞ୍ଚାଇ ରଖିବାରେ ଏହା ସହାୟକ ହେଉଛି କି, ନାହିଁ ଅନୁଧ୍ୟାନ କରିବା ଥିଲା ଡାକ୍ତରମାନଙ୍କର ଉଦ୍ଦେଶ୍ୟ। ସେମାନେ ଉତ୍ତର ପାଇଲେ: ହଁ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ପୂର୍ଣ୍ଣ ରୂପେ ପ୍ରତିରୋପଣ କରାଯିବାକୁ ଅନୁପଯୁକ୍ତ ରୋଗୀମାନଙ୍କ ଦେହରେ ବହକା ହୃତ୍ପିଣ୍ଡଟିଏ ରୋପଣ କରିବାକୁ ଫ୍ରଣ୍ଟିୟର୍ ଲାଇଫ୍ଲାଇନ୍ ଟିମ୍ ରାଜ୍ୟ ପ୍ରତିରୋପଣ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ିଛନ୍ତି। ଦାତାମାନଙ୍କ ଠାରୁ ଅଚଳ ହୃତ୍ପିଣ୍ଡକୁ ଆଣି ପୁନଃଚଳନକ୍ଷମ କରାଇ ତାକୁ ଏ ଭଳି ରୋଗୀଙ୍କ ପେଟରେ ପ୍ରତିରୋପଣ କରାଯିବ।
ମଙ୍ଗଳବାର ଦିନ କେତେ ଜଣ ଟ୍ରାନ୍ସ୍ପ୍ଲାଣ୍ଟ୍ ସର୍ଜନ୍ ସେମାନଙ୍କ ଗବେଷଣାକୁ ଅନ୍ୟ ହାର୍ଟ ସର୍ଜନ ଏବଂ ଟ୍ରାନ୍ସ୍ଟାନ୍ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ମଣିଷମାନଙ୍କ କ୍ଷେତ୍ରରେ ଏହା ସଫଳ ହେଉଛି କି, ନାହିଁ ପରୀକ୍ଷାସାପେକ୍ଷ ବୋଲି ଗବେଷକ ଡାକ୍ତରମାନେ ସେମାନଙ୍କୁ କହିଥିଲେ।
ପମ୍ପିଙ୍ଗ୍ କ୍ଷମତା ୩୦%ରୁ କମ୍ ଥିଲେ ସର୍ଜନ୍ମାନେ ଦାତାଙ୍କର ହୃତ୍ପିଣ୍ଡ୍କୁ ଅଗ୍ରାହ୍ୟ କରି ଦିଅନ୍ତି। ପୁଣି ହାର୍ଟ ଫେଲ୍ୟୁଅର୍ ହୋଇଥିବା କେତେକ ରୋଗୀଙ୍କର ଏକାଧିକ ଅଂଗ ଅଚଳ ଏବଂ ଅନ୍ୟାନ୍ୟ ଜଟିଳତା ଥିବାରୁ ସେମାନଙ୍କ ଠାରେ ହୃତ୍ପିଣ୍ଡ୍ ପ୍ରତିରୋପଣ କରାଯାଇ ପାରେ ନାହିଁ ବୋଲି କହିଛନ୍ତି ଫ୍ରଣ୍ଟିୟର୍ ଲାଇଫ୍ଲାଇନ୍ର ମୁଖ୍ୟ ଡାକ୍ତର କେ ଏମ୍ ଚେରିଆନ୍।
ସେଭଳି ରୋଗୀମାନେ ଏକ ଭେଣ୍ଟିକୁଲାର୍ ଆସିଷ୍ଟ୍ ଡିଭାଇସ୍ ଆବଶ୍ୟକ କରନ୍ତି। ଏହି ମେକାନିକାଲ୍ ପମ୍ପ୍ ରୋଗୀର ଛାତିରେ ରୋପଣ କରାଯାଇ ଥାଏ। ଏହା ଦୁର୍ବଳ ହୃତ୍ପିଣ୍ଡକୁ ରକ୍ତ ପମ୍ପ୍ କରାଇବାରେ ସହାୟତା କରେ। ସେ ମେସିନ୍ର ମୂଲ୍ୟ ୧ କୋଟି ଟଙ୍କା।
ଡାକ୍ତର ଚେରିଆନ୍ କହନ୍ତି: ଯଦି ଏ ଭଳି ରୋଗୀମାନଙ୍କୁ ଅତିରିକ୍ତ ହୃତ୍ପିଣ୍ଡଟିଏ ଦିଆଯାଏ, ସେଥିରେ ଉଭୟ ଅର୍ଥ ଏବଂ ଜୀବନ ରକ୍ଷା କରାଯାଇ ପାରିବ। ଡାକ୍ତରମାନେ ଏହାକୁ ‘ବାୟୋ-ଲେଫ୍ଟ୍ ଭେଣ୍ଟ୍ରିକ୍ୟୁଲାର୍ ଆସିଷ୍ଟ୍ ଡିଭାଇସ୍’ କହୁଛନ୍ତି। ଏ ବର୍ଷ ପ୍ରାରମ୍ଭରେ କୋଏମ୍ବାଟୁର୍ର ଡାକ୍ତରମାନେ ଏ ଭଳି ଏକ ହୃତ୍ପିଣ୍ଡ ପ୍ରତିରୋପଣ କରିଥିଲେ। ଏଥିରେ ଅନ୍ୟ ଏକ ଛୋଟ ହୃତ୍ପିଣ୍ଡ ରୋଗୀର ଛାତି ଗହ୍ଵର ମଧ୍ୟରେ ଲଗା ଯାଇଥିଲା। ଏବେ ଗବେଷକ ଡାକ୍ତରମାନେ କହୁଛନ୍ତି ଯେ ପେଟରେ ଅତିରିକ୍ତ ହୃତ୍ପିଣ୍ଡ ଲଗାଇଲେ ଛାତି କାଟିବାକୁ ପଡ଼ିବ ନାହିଁ। ଏକାଧିକ ଥର ଅସ୍ତ୍ରୋପଚାର ଜନିତ ବିପଦ୍ ମଧ୍ୟ ରହିବ ନାହିଁ।
କୁକୁରମାନଙ୍କ ଠାରେ ହୃତ୍ପିଣ୍ଡ ପ୍ରତିରୋପଣ ପରୀକ୍ଷା ସମୟରେ ଡାକ୍ତରମାନେ ଦାତାଙ୍କ ହୃତ୍ପିଣ୍ଡକୁ ପେଟରେ ଥିବା ମୁଖ୍ୟ ରକ୍ତବାହିକାଗୁଡ଼ିକ ସହ ସଂଯୋଗ କରିଥିଲେ। କୁକୁରମାନଙ୍କର ନିଜସ୍ୱ ହୃତ୍ପିଣ୍ଡକ ସହ ସେମାନଙ୍କ ପେଟରେ ରୋପଣ କରାଯାଇଥିବା ହୃତ୍ପିଣ୍ଡଟି ସହକାରୀ ଭଳି କାମ କରିଥିଲା। ଦୁଇଟି କୁକୁର ମଧ୍ୟରୁ ଗୋଟିଏ ଯଥେଷ୍ଟ ପରିମାଣରେ ରକ୍ତ ନ ପାଇବାରୁ ହୃତ୍ପିଣ୍ଡ ରୋପଣ କରାଯିବାର ପ୍ରଥମ ଦିନ ହିଁ ମରି ଯାଇଥିଲା। ଅନ୍ୟଟି ଖାଇପିଇ ଚଲାବୁଲା କରି ୪୮ ଘଣ୍ଟା ବଞ୍ଚିଥିଲା। ଅତିରିକ୍ତ ହୃତ୍ପିଣ୍ଡ ସୁଚାରୁ ରୂପେ କାର୍ଯ୍ୟ କରିଥିଲା ବୋଲି ସ୍କାନ୍ ଆଦି ପରୀକ୍ଷାରୁ ଜଣା ପଡ଼ିଥିଲା।