ଭାରତରେ ଏମିତି ଅନେକ ପର୍ଯ୍ୟଟନସ୍ଥଳ ରହିଛି ଯାହାକୁ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟଚକିତ ହେଇଯାଆନ୍ତି। ଏଭଳି ଏକ ସ୍ଥାନ ହେଲା ଲୋକଟକ୍ ହ୍ରଦ। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବର୍ଷର ସବୁ ସମୟରେ ଏଠାରେ ଦର୍ଶକଙ୍କ ଗହଳି ଲାଗି ରହିଥାଏ। ଏହି ହ୍ରଦଟି ଭାରତର ଉତ୍ତରପୂର୍ବ ଭାଗରେ ଥିବା ମଣିପୁରର ମୋଇରାଙ୍ଗ ନିକଟରେ ଅବସ୍ଥିତ। ଏହି ହ୍ରଦରେ ରହିଛି ଅନେକ ଭାସମାନ ଭୂଖଣ୍ଡ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକ୍ଟକ୍ ହ୍ରଦ ମଣିପୁରର ରାଜଧାନୀ ଇମ୍ଫାଲ୍ଠାରୁ ପ୍ରାୟ ୩୯ କିଲୋମିଟର ଦୂରରେ ଅବସ୍ଥିତ। ଏହା ମଣିପୁରର ଏକମାତ୍ର ମଧୁର ଜଳ ହ୍ରଦ ଭାବେ ବେଶ୍ ଜଣାଶୁଣା। ଏହି ହ୍ରଦର ଉପର ଭାଗରେ ଛୋଟ ଛୋଟ ଭୂଖଣ୍ଡ ବା ଦ୍ୱୀପ ମେଞ୍ଚା ମେଞ୍ଚା ହୋଇ ପାଣିରେ ସର୍ବଦା ଭାସମାନ ଅବସ୍ଥାରେ ରହିଥାଏ। ଏହି ଭୂଖଣ୍ଡ ବା ଦ୍ୱୀପକୁ ‘ଫୁମିଡ୍’ କୁହାଯାଇଥାଏ।
ସାଧାରଣତଃ ଦୁଇ ପ୍ରକାରର ଫୁମିଡ୍ ରହିଥାଏ। ଗୋଟିଏ ଭାସୁଥିବା ଫୁମିଡ୍ ଓ ଅନ୍ୟଟି ବୁଡ଼ି ରହିଥିବା ଫୁମିଡ୍। ସାଧାରଣତଃ ଫୁମିଡ୍ ବିଭିନ୍ନ ପ୍ରକାରର ଉଦ୍ଭିଦ, ମୃତ୍ତିକା ଓ ଜୈବ ପଦାର୍ଥର ମିଶ୍ରଣରେ ହୋଇଥାଏ। ଏହି ଫୁମିଡ୍ର ୨୦ ପ୍ରତିଶତ ଅଂଶ ପାଣିରେ ବୁଡ଼ି ରହିଥିବା ବେଳେ ୮୦ ପ୍ରତିଶତ ଭାସମାନ ଅବସ୍ଥାରେ ରହିଥାଏ। ଏଗୁଡ଼ିକ ସାଧାରଣତଃ ମାଟି ଭଳି ଟାଣ ହୋଇଥାଏ। ଯେପରିକି ଏଠାରେ ସ୍ତନ୍ୟପାୟୀ ପ୍ରାଣୀ ଓ ଅନ୍ୟ ଜୀବଜନ୍ତୁମାନେ ବେଶ୍ ଆରାମରେ ଚଲାବୁଲା କରିପାରିବେ। ଏହାର ଜଳ ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ। ଏସବୁ ପାଇଁ ଏହା ବିଶ୍ୱରେ ଏକମାତ୍ର ଭାସମାନ ହ୍ରଦ ଭାବେ ପ୍ରସିଦ୍ଧି ଲାଭ କରିପାରିଛି। ମଣିପୁରୀ ଭାଷାରେ ଲୋକ୍ ଅର୍ଥ ‘ନଦୀ’ ଓ ଟକ୍ର ଅର୍ଥ ‘ଶେଷ’।
ଫୁମିଡର୍ ସବୁଠୁ ବଡ଼ ଭାଗ ହ୍ରଦର ଦକ୍ଷିଣପୂର୍ବ ଭାଗରେ ଅବସ୍ଥିତ। ଏହି ଫୁମିଡ୍ର କ୍ଷେତ୍ରଫଳ ପ୍ରାୟ ୪୦ ବର୍ଗ କିଲୋମିଟର। ଏହାର ଉପର ଭାଗରେ ‘କେଇବୁଲ୍ ଲାମ୍ଜାଓ’ ନାମରେ ଏକ ବିରାଟ ଉଦ୍ୟାନ ସ୍ଥାପନ କରାଯାଇଛି। ଏହି ଉଦ୍ୟାନରେ ଦୁର୍ଲଭ ପ୍ରଜାତିର ହରିଣ ଦେଖିବାକୁ ମିଳିଥାଏ। ଏଠାରେ ସାଧାରଣତଃ ରୁସର୍ଭସ୍ ଏଲ୍ଡି ବା ମଣିପୁର ବାଦାମୀ ଶୃଙ୍ଗ ଥିବା ହରିଣ ଦେଖିବାକୁ ମିଳିଥାନ୍ତି। ଏମାନଙ୍କୁ ମଣିପୁରୀ ଭାଷାରେ ‘ସଙ୍ଗାଇ’ ବୋଲି କୁହାଯାଇଥାଏ। ଏମାନଙ୍କର ବିଶେଷ କାର୍ଯ୍ୟକଳାପ ଯୋଗୁ ସେଠାକାର ‘ସଙ୍ଗାଇ ହରିଣ’କୁ ‘ଡାସିଂଙ୍ଗ୍ ହରିଣ’ ମଧ୍ୟ କୁହାଯାଇଥାଏ। ସଙ୍ଗାଇ ହରିଣମାନଙ୍କୁ ମଣିପୁରର ‘ରାଜ୍ୟ ପଶୁ’ର ମଧ୍ୟ ମାନ୍ୟତା ମଳିଛି। ପୂର୍ବରୁ ବନ୍ୟଜୀବ ଗଣନା ଅନୁଯାୟୀ ୧୯୭୫ରେ ଏହି ହରିଣମାନଙ୍କର ସଂଖ୍ୟା ମାତ୍ର ୧୪ ଥିଲା। ୧୯୯୫ ମସିହା ବେଳକୁ ଏମାନଙ୍କର ସଂଖ୍ୟା ବଢ଼ି ୧୫୫ରେ ପହଞ୍ଚିଥିଲା। ଏଭଳି ଭାବେ ଧୀରେ ଧୀରେ ୨୦୧୬ରେ ଏହି ହରିଣଗୁଡ଼ିକର ସଂଖ୍ୟା ୨୧୬ରେ ପହଞ୍ଚିଥିଲା। ଏହା ବିଶ୍ୱର ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଭାବେ ମଧ୍ୟ ପରିଚିତ। ଏହି ଫୁମିଡ୍କୁ ‘କେଇବୁଲ୍ ଲାମ୍ଜାଓ ରାଷ୍ଟ୍ରୀୟ ଉଦ୍ୟାନ’ ନାମରେ ଭାରତ ସରକାର ଏକ ସଂରକ୍ଷିତ କ୍ଷେତ୍ର ଭାବେ ମଧ୍ୟ ଘୋଷଣା କରିଛନ୍ତି। ସାଧାରଣତଃ ଗ୍ରୀଷ୍ମଦିନେ ଏହାର ତାପମାତ୍ରା ୩୫ ଡିଗ୍ରି ଓ ଶୀତଦିନେ ମାଇନସ୍ ୦.୧୭ ଡିଗ୍ରିକୁ ପହଞ୍ଚି ଯାଇଥାଏ।
ଲୋକ୍ଟକ୍ ହ୍ରଦ ମଣିପୁରର ଆର୍ଥିକ ସ୍ଥିତି ଓ ସାଂସ୍କୃତିକ ପରିବେଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହାର ଜଳରାଶିକୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ। ଯେପରିକି ଏହାର ଜଳ ବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଓ ପିଇବା ନିମନ୍ତେ ଉପଯୋଗୀ ହୋଇଥାଏ। ଏହି ହ୍ରଦରୁ ପ୍ରଚୁର ପରିମାଣରେ ମାଛ ମଧ୍ୟ ଧରାଯାଇଥାଏ। ଏହି ହ୍ରଦ ଆଖପାଖରେ ରହୁଥିବା ଧୀବରମାନଙ୍କର ଏକମାତ୍ର ଜୀବିକାର ଉତ୍ସ। ସ୍ଥାନୀୟ ଭାଷାରେ ଏହି ମାଛଧରାଳିଙ୍କୁ ‘ଫୁମ୍ସଙ୍ଗସ୍’ ବୋଲି କୁହାଯାଇଥାଏ। ହ୍ରଦ ଆଖପାଖ ଲୋକମାନେ ଏହି ଫୁମିଡ୍ର ବହୁଳ ଉପଯୋଗ କରିଥାନ୍ତି। ଏମିତିକି ମାଛ ଧରିବା ହେଉ କି ନିଜର ଘର ତିଆରି କରିବାରେ ମଧ୍ୟ ଏହାର ବ୍ୟବହାର କରିଥାନ୍ତି। ଏଠାର କେଉଟମାନଙ୍କର ମାଛ ଚାଷ ପ୍ରଣାଳୀ ମଧ୍ୟ ଟିକେ ନିଆରା ହୋଇଥାଏ। ଲୋକମାନେ ମାଛ ପାଳିବା ପାଇଁ ଫୁମିଡ୍ ଭଳି ନକଲି ଗୋଲ ଘେରା ତିଆରି କରିଥାନ୍ତି। ବିଗତ କିଛି ବର୍ଷ ହେବ ଗାଁ ଲୋକମାନେ ମାଛ ଚାଷ କରିବା ପାଇଁ କୃତ୍ରିମ ଫୁମିଡ୍ ତିଆରି କରୁଥିଲେ। ଯାହାକୁ ସେଠାକାର ଭାଷାରେ ‘ଅଥଫୁମସ୍’ କୁହାଯାଏ। ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥାଏ। ଏହି ହ୍ରଦର ଆଖପାଖରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ବାସ କରିଥାନ୍ତି।
ଏହି ଫୁମିଡ୍ଗୁଡ଼ିକର ସ୍ଥିତି ଅନୁଯାଯୀ ଏହି ହ୍ରଦକୁ ମୁଖ୍ୟତଃ ତିନିଟି ଭାଗରେ ବିଭକ୍ତ କରାଯାଇଛି। ଯେପରିକି ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ କ୍ଷେତ୍ରରେ ବଣ୍ଟାଯାଇଛି। ଉତ୍ତର ଭାଗରେ ଅବସ୍ଥିତ ଥିବା ଫୁମିଡ୍ର ଆକାର ବଢ଼ିଯିବା ଯୋଗୁ ଏହା କେନ୍ଦ୍ରୀୟ କ୍ଷେତ୍ରଠାରୁ କିଛି ପରିମାଣରେ ଅଲଗା ହୋଇଯାଇଛି। ଏହି ଫୁମିଡ୍ ଉତ୍ତରପଶ୍ଚିମଠାରୁ ଆରମ୍ଭ କରି ଦକ୍ଷିଣପୂର୍ବ ଯାଏଁ ଲମ୍ବିଛି। ଏହି ପ୍ରଶସ୍ତ ଫୁମିଡ୍ଗୁଡ଼ିକୁ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଜଳା ଯାଇଥାଏ। ଏହାଦ୍ୱାରା ମାଛମାନଙ୍କ ପାଳନ ଓ ଦେଖାରଖା ନିମନ୍ତେ ଏକ ନୂଆ ସ୍ଥାନ ତିଆରି କରାଯାଇଥାଏ। ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଏଠାରେ କମ୍ ମାତ୍ରାରେ ଫୁମିଡ୍ ଦେଖିବାକୁ ମିଳୁଛି।
ଲୋକ୍ଟକ୍ ହ୍ରଦ ଅନେକ ପ୍ରକାରର ଜୈବ ବିବିିଧତାରେ ଭରପୂର ହୋଇଥାଏ। ଏଠାରେ ୨୩୩ ପ୍ରଜାତିର ଜଳଜଉଦ୍ଭିଦ ଦେଖିବାକୁ ମିଳିଥାଏ। ଏହା ସହିତ ୧୦୦ରୁ ଅଧିକ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାନ୍ତି। ଏହା ବ୍ୟତୀତ ୪୨୫ ପ୍ରକାରର ଜୀବଜନ୍ତୁ ଏଠାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ପର୍ଯ୍ୟଟନ ସ୍ଥଳୀ ଭାବେ ଏହା ଏକ ନିଆରା ସ୍ଥାନ। ଯେଉଁଠି ପର୍ଯ୍ୟଟକମାନେ ଅଲଗା ଅଲଗା ଫୁମିଡ୍ର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାସସ୍ଥାନର ମଧ୍ୟ ବ୍ୟବସ୍ଥା ରହିଛି। ଏଠାରେ ରହି ଦେଖଣାହାରିମାନେ ଏହାର ମଜା ଉଠେଇ ପାରିବେ।
୧୯୮୩ ମସିହାରେ ଏଠାରେ ଏକ ବ୍ୟାରେଜ୍ର ନିର୍ମାଣ କରାଯାଇଛି। ଏହାକୁ ‘ଇଥାଇ ବ୍ୟାରେଜ୍’ କୁହାଯାଉଛି। ଏହି ବ୍ୟାରେଜ୍ ତିଆରି ହେବା ପରଠୁ ପ୍ରାକୃତିକ ଢଙ୍ଗରେ ଭାସିବା ଓ ବୁଡ଼ିବା ପ୍ରକ୍ରିୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି।