ସମ୍ପଦ ଓ ସମୃଦ୍ଧି ପାଇଁ ଯୁଧିଷ୍ଠିରଙ୍କୁ ଏଇ ପାଞ୍ଚଟି ସାମଗ୍ରୀ ରଖିବାକୁ କହିଥିଲେ ଭଗବାନ ଶ୍ରୀକୃଷ୍ଣ

ମାତା କୁନ୍ତୀ ଓ ପତ୍ନୀ ଦ୍ରୌପଦିଙ୍କ ସହ ପାଣ୍ଡବମାନେ ଫେରିବା ପରେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ହସ୍ତୀନାପୁର ସିଂହାସନରେ ଅଧିଷ୍ଠିତ କରାଇ ତାଙ୍କର ଅଭିଷେକ କରାଇଥିଲେ। ଅଭିଷେକ ଅନୁଷ୍ଠାନରେ ଆସି ପହଞ୍ଚି ଥିଲେ ଭଗବାନ ଶ୍ରୀକୃଷ୍ଣ। ଅଭିଷେକ ଉତ୍ସବ ପରେ ସେଦିନ ରାତିରେ ଶ୍ରୀକୃଷ୍ଣ ଓ ଯୁଧିଷ୍ଠିର ହସ୍ତୀନାପୁରର ଭବିଷ୍ୟତ ବିଷୟରେ ଅନେକ କଥା ଆଲୋଚନା କରିଥିଲେ। ରାଜ୍ୟକୁ ସମୃଦ୍ଧ କରାଇବା ପାଇଁ ଶ୍ରୀକୃଷ୍ଣ ତାଙ୍କୁ କିଛି ସୁପରାମର୍ଶ ଦେଇଥିଲେ। ତା’ସହ ସେ କହିଥିଲେ କେଉଁ ପାଞ୍ଚୋଟି ସାମଗ୍ରୀ ଘରେ ରଖିଲେ ଜୀବନରେ ପ୍ରଚୁର ସମ୍ପଦ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏଇ ପାଞ୍ଚଟି ସାମଗ୍ରୀ କେବଳ ସକାରାତ୍ମକ ଶକ୍ତିକୁ ସ୍ୱାଗତ କରେ ନାହିଁ, ତା’ସହ ଘରେ ବସବାସ କରୁଥିବା ଲୋକମାନଙ୍କର ମନ ଓ ଆତ୍ମାକୁ ପବିତ୍ର କରିଥାଏ।


୧. ଜଳ: ହିନ୍ଦୁ ସଂସ୍କୃତିରେ ଜଳ ଦାନକୁ ମହାପୁଣ୍ୟ ବୋଲି ବିବେଚନା କରାଯାଏ। ସେଥିପାଇଁ ପ୍ରଥମେ ସୂର୍ଯ୍ୟ, ଦେବଦେବୀ ଏବଂ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ଜଳ ଅର୍ପଣ କରାଯାଏ। ଜଳ ଗୃହ ମଧ୍ୟଙ୍କୁ ପ୍ରଚୁର ଓ ନିରନ୍ତର ସମ୍ପଦର ସ୍ରୋତ ବୁହାଏ। ତେଣୁ ସ୍ନାନାଗାର ଆଖପାଖରେ ସର୍ବଦା ଜଳପୂର୍ଣ୍ଣ ବାଲତିଟିଏ ଉତ୍ତମ ରୂପେ ଘୋଡ଼ାଇ ରଖିବା ଉଚିତ।


୨. ଚନ୍ଦନକାଠ: ହଜାରେ ବିଷଧର ସର୍ପ ଗୁଡ଼େଇ ହେଲେ ମଧ୍ୟ ଚନ୍ଦନଗଛ ତା’ର ମହକ ହରାଇ ନ ଥାଏ। ତେଣୁ ଘରେ ଖଣ୍ଡେ ଚନ୍ଦନକାଠ ରଖିବା କଥା। ଯେଡ଼େ ବଡ଼ ନକାରାତ୍ମକ ଶକ୍ତି ପ୍ରବେଶ କଲେ ମଧ୍ୟ ଚନ୍ଦନକାଠ ତାକୁ ଘରୁ ଦୂରେଇ ଦିଏ। ଜ୍ୟୋତିଷି ଶାସ୍ତ୍ର ଅନୁସାରେ ନିଜର ଏବଂ ଦେବ ପ୍ରତିମାଙ୍କ କପାଳରେ ଚନ୍ଦନ ତିଳକ ଲଗାଇବା ପବିତ୍ରତାର ସଙ୍କେତ। ଏହା ବାତାବରଣ ଶୁଦ୍ଧ କରିବା ସହ ସମୃଦ୍ଧିକୁ ଆକର୍ଷଣ କରିଥାଏ।


୩. ଘୃତ: ହିନ୍ଦୁବାଦରେ ଗାଈକୁ ସର୍ବଶ୍ରେଷ୍ଠ ପ୍ରବିତ୍ର ଜୀବ ବୋଲି ବିଚାର କରାଯାଏ। ତେଣୁ ଗୋରସରୁ ପ୍ରସ୍ତୁତ ଘିଅ ଅତି ପବିତ୍ର। ଠାକୁର ଘରେ ଗୁଆଘିଅ ଦୀପ ଜାଳିବା ଅତ୍ୟନ୍ତ ଭକ୍ତିମତ୍ତାର କାର୍ଯ୍ୟ। ବଜାରେ ମିଳୁଥିବା ଗୁଆଘିଅ ଅପେକ୍ଷା ନିଜେ ଗୁଆଘିଅ ପ୍ରସ୍ତୁତ କରି ସେଥିରେ ଦୀପ ଜାଳିବା ଅତି ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଘର ଲୋକମାନଙ୍କୁ ସୁସ୍ଥ ରଖେ ନାହିଁ, ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିଥାଏ।


୪. ବୀଣା: ପଙ୍କରୁ ଜାତ ହୋଇ ମଧ୍ୟ ପଦ୍ମରେ ପଙ୍କ ଲାଗି ନ ଥାଏ। ପଦ୍ମଫୁଲରେ ସରସ୍ୱତୀ ବିଜେ କରିଥାଆନ୍ତି। ତେଣୁ ଘରେ ସରସ୍ୱତୀଙ୍କ ପ୍ରତିମା କିଂବା ତାଙ୍କ ବୀଣା ରଖନ୍ତୁ। ଏହାଦ୍ୱାରା ଦାରିଦ୍ର୍ୟ ଏବଂ ଅନିଶ୍ଚିତା ସ୍ପର୍ଶ କରିପାରେ ନାହିଁ।


୫. ମହୁ: ମହୁ ଏକ ପବିତ୍ର ଉପାଦାନ। ଏହା କେବଳ ମାନବର ଆତ୍ମାକୁ ଶୁଦ୍ଧ କରେ ନାହିଁ, ଘରର ବାତାବରଣକୁ ମଧ୍ୟ ଶୁଦ୍ଧ କରେ। ମହୁର ସକାରାତ୍ମକ ଶକ୍ତି ଅତି ଟାଣୁଆ। ଏହା ଘରେ ତିଳେମାତ୍ର ନକାରାତ୍ମ ଶକ୍ତି ରଖାଇ ଦିଏ ନାହିଁ। ମହୁକୁ ଘରର ଏକ ପରିଷ୍କାର ତଥା ଶୁଖିଲା ସ୍ଥାନରେ ରଖନ୍ତୁ। ଘରୁ ଆର୍ଥିକ ଅନିଶ୍ଚିତା ଦୂରେଇ ଯିବା ସହ ବଦଖର୍ଚ୍ଚ କମିବ।

ସମ୍ବନ୍ଧିତ ଖବର