ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ବାପାଙ୍କର ହୋଇଥିଲା ମୃତ୍ୟୁ, ପୁଅ ଏପରି ଦେଲା ଶ୍ରଦ୍ଧାଞ୍ଜଳି

ଲକ୍ଷ୍ମୌ: ଲକ୍ଷ୍ମୌରେ ବସବାସ କରୁଥିବା ଅନମୋଲ ସିଂହ ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୯୮.୨୫ ପ୍ରତିଶତ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଅନମୋଲଙ୍କ ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ହଠାତ୍‌ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା। ଦ୍ୱାଦଶ ଶ୍ରେଣୀ ଗଣିତ ପରୀକ୍ଷାରେ ଅନମୋଲ ୧୦୦ରୁ ୧୦୦ ନମ୍ବର ରଖି ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲା।

ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିପରି ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବେ ସେ ନେଇ ମନ ପ୍ରାଣ ଲଗାଇ ପାଠପଢ଼ୁଥିଲେ ଅନମୋଲ। କିନ୍ତୁ ବିଧାତା ଲଖିନ କେ କରିବ ଆନ୍‌। ପରୀକ୍ଷା ଚାଲି ଥିବା ସମୟରେ ଅନମୋଲ ପିତାଙ୍କ ମୃତ୍ୟୁ ହୋଇଥିଲା। ହେଲେ ବି ସେ ପିତାଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ମନରେ ଧୖର୍ଯ୍ୟ ରଖି ପରୀକ୍ଷା ଦେଇଥିଲେ ଏବଂ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଜେଇଇର କ୍ୱାଲିଫାଏ କରିବା ପରେ ଆଇଆଇଟିରେ ନାମ ଲେଖାଇବାକୁ ଯାଉଥିବା ଅନମୋଲ କହନ୍ତି, ‘ମୋର ବାପା ଏକ ଇନ୍‌ସୁରାନ୍ସ କମ୍ପାନିରେ କାମ କରନ୍ତି। ଘରେ ଥିବା ସମୟରେ ହଠାତ୍‌ ତାଙ୍କର ହୃଦଘାତ ହୋଇଥିଲା, ତୁରନ୍ତ ଚିକିତ୍ସା ପାଇଁ ବାପାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ମୋର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲୁଥାଏ। ବାପା ମୋତେ ବ୍ୟସ୍ତ ନହେବା ପାଇଁ କହିଥିଲେ ଏବଂ ପରୀକ୍ଷାରେ କିପରି ଭଲ ନମ୍ବର ରଖି ପାସ୍‌ କରିବି ସେନେଇ ବୁଝାଇ ଥିଲେ। ଯେଉଁଦିନ ମୋର ଗଣିତ ପରୀକ୍ଷା ଥିଲା ସେହିଦିନ ସକାଳ ୧୦ଟା ସମୟରେ ମା’ ହସ୍‌ପିଟାଲରୁ ଫୋନ୍‌ କରି କରି କହିଥିଲେ କି ପୁଅ ବାପା ଆଉ ନାହାନ୍ତି। ମୋତେ ଲାଗିଲା ଯେମିତି ସବୁକିଛି ଶେଷ ହୋଇଗଲା। ମୁଁ ହସ୍‌ପିଟାଲ ଯାଇ ପହଞ୍ଚି ଥିଲି, ମା’ ମାତେ ବ୍ୟସ୍ତ ନହୋଇ ପରୀକ୍ଷା ଦେବାକୁ ବାଧ୍ୟ କରି ପଠାଇ ଥିଲେ।

କେମିତି ପରୀକ୍ଷା ଦେବି ମୁଁ କିଛି ବୁଝି ପାରି ନଥିଲି। ଶେଷରେ ମନକୁ ସ୍ଥିର କରି ଦିନ ୨ଟାରେ ଯାଇ ପରୀକ୍ଷା ଦେଇଥିଲି । ପରୀକ୍ଷା ଫଳ ବାହାରିଲା। ଗଣିତରେ ୧୦୦ରୁ ୧୦୦ ନମ୍ବର ରଖିଥିଲି। ସର୍ବମୋଟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋର ୯୮.୨୫ ପ୍ରତିଶତ ରହିଥିଲା। କିନ୍ତୁ ଏହି ଖୁସିରେ ଖୁସି ହେବାକୁ ଆଜି ମୋ ପାଖରେ ବାପା ନାହାନ୍ତି ବୋଲି କହିଥିଲେ ଅନମୋଲ।

ସମ୍ବନ୍ଧିତ ଖବର