ଚେନ୍ନାଇ ଷ୍ଟାର୍‌ ହୋଟେଲ୍‌ରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ବାଜିବା କାରଣରୁ କୁମ୍ଭୀରର ମୃତ୍ୟୁ

ଚେନ୍ନାଇ: ଇଷ୍ଟ୍‍ କୋଷ୍ଟ୍‍ ରୋଡ୍‌ସ୍ଥିତ ଏକ ଷ୍ଟାର୍‌ ହୋଟେଲ୍‌ରେ ଆୟୋଜିତ ପାର୍ଟିରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍‌ ବାଜିବାରୁ ନିକଟରେ ଥିବା ଚିଡ଼ିଆଖାନାରେ ଗୋଟାଏ କୁମ୍ଭୀରର ମୃତ୍ୟୁ ଘଟିଥିବା କଥା କୁହାଯାଉଛି।

ହୋଟେଲ୍‌ ଲନ୍‌ରୁ ସୃଷ୍ଟି ହୋଇଥିବା କମ୍ପନର ଚାପ ଯୋଗୁଁ ବିଲୁପ୍ତ ପ୍ରାୟ କ୍ୟୁବା ଦେଶର ସେ କୁମ୍ଭୀରଟି ମରିଛି ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷମାନେ ଅଭିଯୋଗ କରୁଛନ୍ତି।

ଏଇଟି ଏକ ମାତ୍ର ଘଟଣା ନୁହେଁ। ଚିଡ଼ିଆଖାନା ଚଳାଉଥିବା ମାଡ୍ରାସ କ୍ରକୋଡାଇଲ୍‌ ବ୍ୟାଙ୍କ୍‌ ପୂର୍ବରୁ ମଧ୍ୟ ଏ ଭଳି ଚାପ କାରଣରୁ କୁମ୍ଭୀରମାନେ ପରସ୍ପର ମଧ୍ୟରେ ଲଢ଼େଇ କରୁଥିବା ଅଭିଯୋଗ କରିଥିଲା। ଶେରାଟନ୍‌ ଗ୍ରାଣ୍ଡ୍‌ ଚେନ୍ନାଇ ରିସର୍ଟ ଆଣ୍ଡ୍‌ ସ୍ପା ନାମକ ସେ ହୋଟେଲ୍‌ ଉଠିଥିବା ସମସ୍ୟା ସମାଧାନ ଲାଗି ସହଯୋଗ କରିବ ବୋଲି କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲା।

ଏଥରର ଘଟଣାଟି ମାର୍ଚ ୩୦ ତାରିଖରେ ଘଟିଛି। କ୍ୟୁବା କୁମ୍ଭୀର ଘେରା ଠାରୁ ପ୍ରାୟ ୫୦ ଫୁଟ୍‌ ଦୂରରେ ଥିବା ଗୋଟାଏ ପାଚେରି ଉଭୟ ମାଡ୍ରାସ୍‌ କ୍ରକୋଡାଇଲ୍‌ ବ୍ୟାଙ୍କ୍‌ ଏବଂ ହୋଟେଲ୍‌କୁ ଦୁଇ ଭାଗ କରୁଛି। ଠିକ୍‌ ପାଚେରି ଆଡ଼କୁ ମୁହଁ କରି ଶକ୍ତିଶାଳୀ ସ୍ପିକର ସବୁ ରଖାଯାଇଥିବା କଥା ଚିଡ଼ିଆଖାନାର ଅନ୍ୟତମ ପ୍ରତିଷ୍ଠାତା ରୋମୁଲସ୍‌ ଓ୍ଵିଟାକର୍‌ କହିଛନ୍ତି।

ଉଚ୍ଚ ଶବ୍ଦ ଛଡ଼ା ତୀବ୍ର କମ୍ପନ ମଧ୍ୟ ଏହି ୧୨ ବର୍ଷୀୟ କୁମ୍ଭୀରର ମୃତ୍ୟୁର କାରଣ ବୋଲି ସେ କହିଛନ୍ତି। ସେଥିରେ ଆଉ ଗୋଟିଏ ଅଣ୍ଡିରା ଓ ତିନି ଗୋଟି ମାଈ କୁମ୍ଭୀର ଅଛନ୍ତି।

ସମ୍ବନ୍ଧିତ ଖବର