ରୋକି ପାରିଲାନି ସମାଜ: ପକ୍ଷାଘାତର ଶିକାର ଥିବା ଯୁବକଙ୍କୁ ବିବାହ କ‌ରି ଉଦାହରଣ ସାଜିଲେ ମହିଳା

ତିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଗତକାଲି ମହିଳାମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେମାନଙ୍କର ତ୍ୟାଗ, ପରିଶ୍ରମ ଏବଂ ସମାଜ ସହ ଲଢ଼ିବାର ସାହାସକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ତିରୁବନନ୍ତପୁରମରୁ ଜଣେ ମହିଳାଙ୍କ କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଯୁବକଜଣଙ୍କ ପକ୍ଷାଘାତର ଶିକାର ଥିବା ଜାଣି ମଧ୍ୟ ତାଙ୍କୁ ପ୍ରେମ କରିବା ଏବଂ ପରେ ତାଙ୍କୁ ବିବାହ କରି ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମହିଳାଙ୍କ ନାଁ ଶାହନା ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ସ୍ବାମୀଙ୍କ ନାଁ ପ୍ରଣବ ବୋଲି ଜଣା ପଡ଼ିଛି।

ଶାହନାଙ୍କୁ ଏହି ବିବାହ ନକରିବା ପାଇଁ ତାଙ୍କ ପରିବାର ଲୋକ ଏବଂ ପଡ଼ୋଶୀ ମନା କରିଥିଲେ ମଧ୍ୟ ସେ ନିଜ ହୃଦୟର କଥା ଶୁଣି ପ୍ରଣବଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିଲେ। ଦୁହିଁଙ୍କର ବିବାହର ଫଟୋ ଏବେ ଖୁବ୍ ଭାଇରାଲ ହେଉଥିବା ବେଳେ ଶାହନା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସୂଚନା ମୁତାବକ, ପ୍ରଣବ ଇରିଞ୍ଜାଲକ୍କୁଦା ନିକଟସ୍ଥ ଥାଜେକାଡର ମୂଳ ବାସିନ୍ଦା ହୋଇଥିବା ବ‌େଳେ ଶାହନା ତିରୁବନନ୍ତପୁରମ୍ ର ବାସିନ୍ଦା ବୋଲି ଜଣା ପଡ଼ିଛି। ୬ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଅଣ୍ଟାରୁ ତଳକୁ ତାଙ୍କ ଶରୀର ଅଚଳ ହୋଇଯାଇଥିଲା, ଯାହା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା। ଦୁର୍ଘଟଣା ପରେ ପ୍ରଣବ ହ୍ୱିଲ ଚେୟାରରେ ବସି ରହିଥିବାରୁ ତାଙ୍କୁ ଅନେକ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା।

Thrissur woman marries paralysed man
timesnownews.com

ହେଲେ ପ୍ରଣବ ତାଙ୍କ ସହ ଘଟିଥିବା ଦୁର୍ଘଟଣାକୁ ତାଙ୍କ ଜୀବନ ପଥରେ ଆସିବାକୁ ଦେଇନଥିଲେ ଏବଂ ଘରେ ନବସି ବିଭିନ୍ନ ଉତ୍ସବ ତଥା କାର୍ଯ୍ୟକ୍ରମରେ ଯୋଗଦେବା ଆରମ୍ଭ କରିଥିଲେ। କିଛି ଦିନ ପରେ ପ୍ରଣବଙ୍କ କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଶାହନା ପ୍ରଣବଙ୍କ ସେହି ସବୁ ଭିଡିଓ ଦେଖି ସୋସିଆଲ ମିଡିଆରେ ତାଙ୍କ ସହ ଯୋଗାଯୋଗ କରିଥିଲେ ବୋଲି ସୂଚନା ରହିଛି।

କିଛି ମାସ ପରେ ସେ ପ୍ରଣବଙ୍କୁ ଫୋନ୍ ନମ୍ବର ମାଗି ନିଜ ମନରେ ତାଙ୍କ ପ୍ରତି ଥିବା ଭଲ ପାଇବା ପ୍ରକାଶ କରିଥିଲେ। ବିବାହ କରିବାକୁ ଚାହୁଁଥିବା ବିଷୟରେ ଶାହନା ଜଣାଇବା ପରେ ପ୍ରଣବ, ତାଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଶାହନାଙ୍କୁ ତାଙ୍କ ମତ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ। ହେଲେ ଶାହନା ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ। ଶାହନାଙ୍କ ପରିବାର ତାଙ୍କୁ ପ୍ରଣବଙ୍କୁ ବିବାହ ନକରିବାକୁ କହିଥିଲେ ମଧ୍ୟ ସେ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ମନା କରିଦେଇଥିଲେ। ଶାହନା ନିଜ ନିଷ୍ପତ୍ତିରେ ଅଟଳ ରହିବା ପରେ ଦୁଇ ପରିବାରକୁ ବିବାହ ପାଇଁ ରାଜି ହେବାକୁ ପଡ଼ିଥିଲା। ଯାହା ପରେ ଗତ ମଙ୍ଗଳବାର ଦିନ ଥ୍ରୀସୁରର କୋଡୁଙ୍ଗାଲୁରର ଏକ ମନ୍ଦିରରେ ଦୁହିଁଙ୍କ ବିବାହ ହୋଇଥିଲା।

ସମ୍ବନ୍ଧିତ ଖବର