ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଉଠିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ନିଜର ଏହି ସମସ୍ୟା ନେଇ ବୃଦ୍ଧ ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ଏବେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇ ଶିଙ୍ଗଟିକୁ ବାହାର କରାଯାଇଥିବା ଜଣା ପଡ଼ିଛି । ବୃଦ୍ଧ ଶ୍ୟାମ ଲାଲ୍ଙ୍କ କହିବା ଅନୁଯାୟୀ, କିଛି ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାର କିଛି ଦିନ ପରେ ସେହି ସ୍ଥାନରୁ ଶିଙ୍ଗ ଉଠିବା ଆରମ୍ଭ ହୋଇଥିଲା। ଶିଙ୍ଗ ଉଠିବା ଦେଖି ଶ୍ୟାମଲାଲ୍ ଅନେକ ଥର ଏହାକୁ କାଟିଥିଲେ ମଧ୍ୟ ତାହା ବାରମ୍ବାର ବଢ଼ିବାକୁ ଲାଗିଥିଲା ।
/sambad/media/post_attachments/595998f32495f91a1a5f9771bc6d53105e2bfd6d49fb66e2114a2d53669467b8.jpg)
ପରେ ଡାକ୍ତରଙ୍କୁ ଦେଖାଇବା ପରେ କିଛି ଡାକ୍ତର ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ମାଗୁଥିବା ବେଳେ କିଛି ସମାଧାନର ବାଟ ବାହାର କରି ପାରୁ ନ ଥିଲେ । ଚାରିଆଡ଼ୁ ନିରାଶ ହେବା ପରେ ଶ୍ୟାମଲାଲ ସାଗରର ଭାଗ୍ୟୋଦୟ ତୀର୍ଥ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ । ସେଠାରେ ଡାକ୍ତର ପୀଡ଼ିତଙ୍କ ସିଟି ସ୍କାନ କରିବା ସହ ଶିଙ୍ଗଟି ମୁଣ୍ଡର କେତେ ଭିତରକୁ ରହିଛି ତାହା ଦେଖିଥିଲେ । ରିପୋର୍ଟ ଆସିବା ପରେ ଶିଙ୍ଗଟି ବେଶି ଭିତରକୁ ନ ଥିବାରୁ ଡାକ୍ତର ଅସ୍ତ୍ରୋପଚାର କରି ଶିଙ୍ଗଟିକୁ ମୂଳରୁ ବାହାରକୁ ବାହାର କରିଥିଲେ । ଅସ୍ତ୍ରୋପଚାର ପରେ ଶ୍ୟାମଲାଲ୍ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।