ଭୋପାଳ: ବଜ୍ରକାପ୍ତା ଗାତ ଭିତରେ ପଶି ଜୀବନ ହାରିଲେ ଯୁବକ

ଭୋପାଳ:ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଚଓ୍ଵାରପାଠ ଗାଁ ନିକଟସ୍ଥ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା। ବଜ୍ରକାପ୍ତା ଗାତରେ ପଶି ବଜ୍ରକାପ୍ତା ଧରିବା ଜଣେ ଯୁବକଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ବଜ୍ରକାପ୍ତା ଗାତଭିତରେ ଫଶି ରହିଥିବା ଯୁବକକୁ ଜିଲ୍ଲା ପ୍ରଶାସନ ଜେସିବି ସାହାଯ୍ୟରେ ଖୋଳି ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଡାକ୍ତରଖାନାକୁ ନେବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଡାକ୍ତରମାନେ ଘୋଷଣା କରିଥିଲେ।
ପ୍ରଶାସନ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଚଓ୍ଵାରପାଠ ଗାଁର ବସନ୍ତ କେଓ୍ଵାତ ନାମକ ଜଣେ ୩୨ ବର୍ଷୀୟ ଯୁବକ ବଜ୍ରକାପ୍ତା ଶିକାର କରିବା ପାଇଁ ଏହାର ୩୦ ଫୁଟ ଗାତ ଭିତରକୁ ପଶି ଯାଇଥିଲେ। ବଜ୍ରକାପ୍ତା ଗାତ ଏତେ ସରୁଆ ଯେ ଏଥିରେ କୌଣସି ମଣିଷ ପଶିବା କଷ୍ଟକର କାର୍ଯ୍ୟ। କିନ୍ତୁ ବଜ୍ରକାପ୍ତା ଶିକାର ନିଶାରେ ବସନ୍ତ କୌଣସି ମତେ ଗାତ ଭିତରେ ପଶି ଯାଇଛନ୍ତି। ମାତ୍ର ତା ଭିତରେ ଆଉ ବୁଲିବାର ଜାଗା ନ ପାଇ ସେହି ବଜ୍ରକାପ୍ତା ଗାତ ଭିତରେ ଅଟକି ରହିଯାଇଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଅପରାହ୍ଣ ଦିନ ୨ଟାରୁ ଅପରାହ୍ଣ ସାଢ଼େ ୫ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ପ୍ରଥମେ ଜେସିବି ଓ ପରେ ଲୋକଙ୍କ ଦ୍ୱାରା ଏହି ବଜ୍ରକାପ୍ତା ଗାତ ଖୋଳାଯିବା ପରେ ବସନ୍ତଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସୂଚନା ଯୋଗ୍ୟ ଯେ ବଜ୍ରକାପ୍ତା ଶିକାର କରି ଏହାକୁ ବାହାରେ ବିକ୍ରି କରିବା ଏହି ଗାଁ ଲୋକଙ୍କର ଅଭ୍ୟାସ।

ସମ୍ବନ୍ଧିତ ଖବର