ମହାନାୟକ

0 147

ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜନୀତିର ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ବାଜପେୟୀ ଏକ ଲମ୍ବା ଅବଧି ପାଇଁ ବିରୋଧୀ ଦଳ ନେତା ରହିଲେ, ୩ ଥର ପ୍ରଧାନମନ୍ତ୍ରୀ ବି ହେଲେ। କିନ୍ତୁ ତାଙ୍କ ଲୋକପ୍ରିୟତା ଏହି ଦୁଇଟି ପଦ ମଧ୍ୟରେ ସୀମିତ ନଥିଲା। ରାଜନୀତିରେ ବେଶ୍‌ ପାରଙ୍ଗମ ଏହି ମହାନ୍‌ ନେତା ଦେଶର ସାମଗ୍ରିକ ବିକାଶ ଉପରେ ସବୁବେଳେ ଧ୍ୟାନ ଦେଉଥିଲେ। ଏଥିପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ତାଙ୍କ ସମୟରେ ଆସିଥିଲା, ଯାହାର ଫାଇଦା ପ୍ରତ୍ୟେକ ବର୍ଗର ଲୋକ ଉଠାଇଥିଲେ। ବିରୋଧୀ ଦଳଙ୍କୁ ନେଇ ତାଙ୍କ ମନରେ କୌଣସି ନକାରାତ୍ମକ ଭାବନା ନଥିଲା। ସେମାନଙ୍କ ମତକୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ ଦେଉଥିଲେ।

ଗଣତନ୍ତ୍ରର ଅସଲ ରକ୍ଷକ

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ଅହଙ୍କାରଶୂନ୍ୟ ରାଜନେତା ଥିଲେ। ସେ କ୍ଷମତାକୁ କେବଳ ଦେଶର ସେବା ପାଇଁ ଉପଯୋଗ କରୁଥିଲେ ଏବଂ ବ୍ୟକ୍ତିସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ଥିଲେ। ଦେଶର ସାଧାରଣ ଜନତା ଏବଂ ଭିଆଇପିଙ୍କ ମଧ୍ୟରେ ସେ କୌଣସି ଫରକ୍‌ ଦେଖୁନଥିଲେ। ତାଙ୍କ ଆଚରଣ ଓ କାର୍ଯ୍ୟ ସର୍ବଦା ପୂର୍ଣ୍ଣମାତ୍ରାରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ଥିଲା। ହିନ୍ଦୁ ଓ ମୁସ୍‌୍‌ଲିମ୍‌ ସଂପ୍ରଦାୟ ମଧ୍ୟରେ ସର୍ବଦା ଭାଇଚାରା ଓ ସଦ୍‌୍‌ଭାବ ପାଇଁ ପ୍ରୟାସରତ ବାଜପେୟୀ ରାଜନୀତିରେ ମାନବିକତାକୁ ହିଁ ଶ୍ରେଷ୍ଠ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ସଂସଦରେ ତାଙ୍କର କାର୍ଯ୍ୟକଳାପ ଏବଂ ଭାଷଣ ସର୍ବଦା ଗଠନମୂଳକ ଓ ଦେଶ ପାଇଁ ଉପଯୋଗୀ ରହିଥିଲା। ଏକ ହିନ୍ଦୁ ଜାତୀୟତାବାଦୀ ଦଳର ନେତା ହୋଇଥିଲେ ମଧ୍ୟ ମୁସ୍‌୍‌ଲିମ୍‌ଙ୍କ ମଧ୍ୟରେ ତାଙ୍କର ବିପୁଳ ପ୍ରଶଂସକ ରହିଥିଲେ। ଜମ୍ମୁ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଗଣତନ୍ତ୍ର ଏବଂ ମାନବିକାତାକୁ ହିଁ ମାଧ୍ୟମ କରି ଆଗକୁ ବଢ଼ିବାକୁ ଚାହିଥିଲେ। କଶ୍ମୀର ବାସିନ୍ଦାଙ୍କ ଦୁଃଖସୁଖର ସାଥୀ ହୋଇ ଏହି ଜଟିଳ ସମସ୍ୟାର ସମାଧାନ କରିବାକୁ ସେ ସର୍ବଦା ପ୍ରୟାସରତ ଥିଲେ।

କେବଳ ବନ୍ଧୁ ଅର୍ଜିଥିଲେ ବାଜପେୟୀ

ଆଜି ପଂଚଭୂତରେ ଲୀନ ହୋଇଯାଇଥିବା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏକ କୃତଜ୍ଞ ରାଷ୍ଟ୍ର ଅଶ୍ରୁଳ ବିଦାୟ ଦେଇଛି। ବାଜପେୟୀ ନିଜ ସମୟର ରାଜନେତାଙ୍କଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ଥିଲେ। ତାଙ୍କ ପିଢ଼ିର ରାଜନେତାଙ୍କ ସହିତ ସେ ଅତି ସହଜ ଓ ସଦ୍‌ଭାବନାର ସହ ବ୍ୟବହାର କରୁଥିଲେ ମଧ୍ୟ ବାଜପେୟୀଙ୍କ ନୀତି ଓ ଆଦର୍ଶ ଭିନ୍ନ ଥିଲା। ରାଜନୀତିରେ ମୂଲ୍ୟବୋଧକୁ ସେ ସର୍ବଦା ଗୁରୁତ୍ୱ ଦେଉଥିଲେ। ଜୀବନ ବ୍ୟାପୀ ସେ ରାଜନୀତିକୁ ଦେଶସେବାର ପ୍ରମୁଖ ମାଧ୍ୟମ କରିଆସିଥିଲେ। ବାଜପେୟୀ ରାଜନୈତିକ ମତଭେଦ, ବିଚାରଧାରାରୁ ଊଦ୍ଧ୍ଵର୍କୁ ଉଠି ସର୍ବଦା ରାଷ୍ଟ୍ରର ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିଲେ ଏବଂ ତାଙ୍କର କାହା ସହିତ ଶତ୍ରୁତା ନଥିଲା। ମଧୁର ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଦ୍ୱାରା ବାଜପେୟୀ ସର୍ବଦା ବନ୍ଧୁ ଅର୍ଜନ କରୁଥିଲେ ଏବଂ ରାଜନୀତିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ କେବେ ଶତ୍ରୁ ଭାବେ ଗ୍ରହଣ କରୁନଥିଲେ। ୨୦୦୯ ମସିହା ପର୍ଯ୍ୟନ୍ତ ତାଙ୍କର ୬୫ ବର୍ଷର ରାଜନୈତିକ ଜୀବନ ଭିତରେ ସେ ୫୬ ବର୍ଷ ବିରୋଧୀ ଦଳରେ ରହିଥିଲେ ଏବଂ କ୍ଷମତାରେ ମାତ୍ର ୯ ବର୍ଷ ଥିଲେ। ସେ ମୋରାରଜୀ ଦେଶାଇ ସରକାରରେ ବିଦେଶ ମନ୍ତ୍ରୀ ଥିଲେ ଏବଂ ପରବର୍ତ୍ତୀ ସମୟରେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲା। ବିରୋଧୀ ଦଳରେ ଥାଇ ମଧ୍ୟ ଦେଶର ବିକାଶରେ ସର୍ବଦା ତାଙ୍କର ସକ୍ରିୟ ଯୋଗଦାନ ରହୁଥିଲା।

ଚାଲ ଚା’ପିଇବା

ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଅରୁଣ ସୌରୀ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେତେବେଳର ଅଭିଜ୍ଞତାରୁ ସୌରୀ କହନ୍ତି:- ମହାରାଷ୍ଟ୍ରରେ ବିଜେପି ହାରିଲା। ସମୀକ୍ଷା ପାଇଁ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଲା। ଆରମ୍ଭରେ ସେ କେବଳ ଗୋଟିଏ ପଦ କହିଲେ, ‘ଆମେ ଜିତିପାରିଥା’ନ୍ତେ।’ ବାସ୍‌ ଏତିକି ଯଥେଷ୍ଟ ଥିଲା। ତା’ମାନେ ତାଙ୍କ ପରୋକ୍ଷ ନିର୍ଦ୍ଦେଶ ଥିଲା, ସେଇ ଦିଗରେ ଆଲୋଚନା ଆଗେଇ ନିଅ। କିଏ କହିଲା ମୁସଲମାନଙ୍କ ଭୋଟ ଧ୍ରୁବୀକରଣ ହୋଇଗଲା ତ ଆଉ କିଏ କହିଲା ଶିବସେନା ବାଲା ଧୋକାବାଜି କଲେ। ତ ଆଉ ପୁଣି କିଏ ଦଳରେ ଗୋଛି କଟାକଟି ପାଇଁ ଦଳ ହାରିଲା ବୋଲି ଅଭିଯୋଗ କଲା। ଆଲୋଚନା ଯେତେ ବଢୁଥାଏ, ବାତାବରଣ ସେତେ ଅଧିକ ସରଗରମ ହେଉଥାଏ। ଶେଷରେ ବାଜପେୟୀ ଦେଖିଲେ ସେଇସେଇ କଥା ବାରମ୍ବାର ଆଲୋଚନା ହେଲାଣି। ସେ ହସ୍ତକ୍ଷେପ କରି କହିଲେ, ଓହୋ! ଏଇ କଥା ତ!! ତା’ମାନେ ତମର କାହା ପାଖରେ ଆଉ କିଛି ନୂଆ କାରଣ ନାହିଁ ବୋଲି କହୁଛ ତ? ଛାଡ଼! ଚାଲ ଚା’ପିଇବା। ବାସ୍‌ ତା’ପରେ ଯାହା ହେଲା ମ୍ୟାଜିକ୍‌। ବାତାବରଣ ହଠାତ ଥଣ୍ଡା ହୋଇଗଲା।

ଯୋଉଠି ହସ୍ତକ୍ଷେପ କରିବେ ସେଇଟା ହିଁ ନିଷ୍ପତ୍ତି

ବୈଠକମାନଙ୍କରେ ବାଜପେୟୀ ସମସ୍ତଙ୍କୁ ଜଣଜଣ କରି ଶୁଣୁଥିଲେ। ଅନ୍ୟମାନେ କହିଚାଲୁଥିଲେ। ବାଜପେୟୀ ଆଖିଦୁଇଟିକୁ ବନ୍ଦ କରି ଶୁଣୁଥିବେ। ଯେଉଁ ମୁହୂର୍ତ୍ତରେ କାହାର କଥାଟିଏ ତାଙ୍କୁ ଭଲ ଲାଗିବ, ସେଇଠି ହସ୍ତକ୍ଷେପ କରିବେ। ଆଖି ଖୋଲି କହିବେ, ଠିକ୍‌ ହୈ, ଆଗେ ଚଲୋ। ତା’ଅର୍ଥ ହେଲା, ଯାହାର କଥା ଶେଷରେ ହସ୍ତକ୍ଷେପ କରି ବାଜପେୟୀ ସେପରି କହନ୍ତି, ସେଇଟା ହିଁ ନିଷ୍ପତ୍ତିବୋଲି ଧରାଯାଏ। ତା’ପରେ ପରବର୍ତ୍ତୀ ବିଷୟରେ ଆଲୋଚନା ହେଉଥିଲା।

ସମସ୍ୟା ସମାଧାନ ତାଙ୍କ ଚୁଟୁକି ଫୁଟା କାମ ଥିଲା

ସମସ୍ୟା ଦେଖାଦେଲେ କିପରି ସହଜରେ ସମାଧାନ କରିହୁଏ ବାଜପେୟୀଙ୍କଠାରୁ ଶିଖିବା କଥା। ଥରେ ବିଜେପିକୁ ମେଣ୍ଟ ସହଯୋଗୀ ଶିବସେନା ଅଡୁଆରେ ପକାଇଲା। ଛତ୍ରପତି ଶିବାଜୀଙ୍କ ଉପରେ ଲେଖାଯାଇଥିବା ଏକ ବହିକୁ ନେଇ ଶିବସେନା ଲଙ୍କାକାଣ୍ଡ କରୁଥାଏ। ବିଜେପିକୁ ସେଥିରେ ସାମିଲ ହେବାପାଇଁ ବାଧ୍ୟ କରୁଥାଏ। ଶିବସେନାର ନେତାମାନେ ଏ ନେଇ ବିଜେପିର ଉଦାସୀନତାର କଥା ବାଜପେୟୀଙ୍କ କାନକୁ ନେଲେ। ବାଜପେୟୀ ଶୁଣିଲେ ଓ ହସିଦେଇ କହିଲେ, ସେଇ ବହିଟିକୁ ନେଇକି ବାଦ କରନି। ଛତ୍ରପତିଙ୍କ ଉପରେ ତା’ଠୁ ଢେର ଭଲ ବହିଟିଏ ଛାପିବା ବ୍ୟବସ୍ଥା କରିଦିଅ। ଦେଖିବ ସେଇଟା ଆପେ ପ୍ରତ୍ୟାଖ୍ୟାତ ହୋଇଯିବ।

ସୁଦକ୍ଷ ରାଜନୀତିଜ୍ଞ: ନ୍ୟୁୟର୍କ ଟାଇମ୍ସ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଆଜି ବାଜପେୟୀଙ୍କ ଖବର ପ୍ରକାଶ ପାଇବା ସହ ତାଙ୍କୁ ଜଣେ ସୁଦକ୍ଷ ରାଜନୀତିଜ୍ଞ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ପରମାଣୁ ପରୀକ୍ଷଣକୁ ସେ ସଫଳ କରାଇଥିଲେ। ଏମିତି କି ଏହାକୁ ନେଇ କିଛି ରାଷ୍ଟ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ବାଜପେୟୀଙ୍କ ଉଦ୍ୟମ ଯୋଗୁ ତାହା ମଧ୍ୟ ଅପସରି ଯାଇଥିଲା। ଆଇନ ଓ ସାମ୍ବାଦିକତା କ୍ଷେତ୍ରରେ ଜ୍ଞାନ ଅର୍ଜନ କରିଥିବା ବାଜପେୟୀ ବ୍ରିଟିସ୍‌ ଉପନିବେଶବାଦ ବିରୋଧରେ ସାହସର ସହିତ ଲଢ଼େଇ କରିଥିଲେ। ରାଜନୀତି କ୍ଷେତ୍ରରେ ତାଙ୍କର ପ୍ରଭାବୀ ୫୦ ବର୍ଷ ମଧ୍ୟରେ ବାଜପେୟୀ କେବଳ ଭାରତୀୟ ରାଜନୀତିରେ ସୀମିତ ନଥିଲେ। ସେ ଜଣେ ବିଶ୍ୱନେତା ସାଜିଥିଲେ। ଭାରତ-ଆମେରିକା ସଂପର୍କକୁ ଉଚ୍ଚ ସୋପାନକୁ ନେବା ପାଇଁ ବାଜପେୟୀ ଢେର ଉଦ୍ୟମ କରିଥିଲେ। ୨୦୦୦ ମସିହାରେ ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କୁ ଭାରତ ଆମନ୍ତ୍ରଣ କରି ତାଙ୍କର ସ୍ୱାଗତ କରିଥିଲେ।

ବିଚାରଶୀଳ କୂଟନୀତିଜ୍ଞ: ଓ୍ଵାସିଂଟନ୍‌ ପୋଷ୍ଟ
ଓ୍ଵାସିଟନ୍‌ ପୋଷ୍ଟରେ ଉଲ୍ଲେଖ କରାଯାଇଛି, ‘ଭାରତକୁ ପରମାଣୁ ଶକ୍ତି ରାଷ୍ଟ୍ର ବନାଇଥିବା ଅଟଳ ବିହାରୀ ବାଜପେୟୀ ୯୩ ବର୍ଷରେ ଶେଷନିଃଶ୍ୱାସ ତ୍ୟାଗ କଲେ।’ ତେବେ ଏହି ନିବନ୍ଧରେ ଦର୍ଶାଯାଇଛି ଯେ ଭାରତ ଏହି ପରମାଣୁ ଶକ୍ତି ପରୀକ୍ଷା କରି କୌଣସି ରାଷ୍ଟ୍ର ସହିତ ଯୁଦ୍ଧ କରିବାକୁ ଚାହୁନଥିଲା। ବରଂ ଶାନ୍ତି ପ୍ରତିଷ୍ଠା ପାଇଁ କରିଥିଲା। ବାଜପେୟୀଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ଏହାକୁ ନେଇ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ମଧ୍ୟ ଖପ୍ପା ହୋଇଥିଲେ। କିନ୍ତୁ ଜଣେ ବିଚାରଶୀଳ କୂଟନୀତିଜ୍ଞ ଭାବେ ବାଜପେୟୀ କ୍ଲିଣ୍ଟନ୍‌ଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଶୈଳୀରେ ଆଲୋଚନା କରିଥିଲେ। ୨୦୦୦ ମସିହାରେ କ୍ଲିଣ୍ଟନ୍‌ ଭାରତ ଗସ୍ତରେ ଆସି ବାଜପେୟୀଙ୍କ ସହ କଥାବାର୍ତ୍ତା କରିଥିଲେ। ଫଳରେ ଏ ନେଇ ରହିଥିବା ସମସ୍ତ ତିକ୍ତତାର ଅନ୍ତ ଘଟିଥିଲା।

ଚାପକୁ ଡରୁନଥିଲେ: ସିଏନ୍‌ଏନ୍‌
ଆମେରିକାର ଅନ୍ୟତମ ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ମଧ୍ୟ ବାଜପେୟୀଙ୍କର ଉଚ୍ଚ ପ୍ରଶଂସା କରିଛି। ପରମାଣୁ ପରୀକ୍ଷା ସମୟରେ ବାଜପେୟୀଙ୍କୁ ଉଭୟ ଘରୋଇ ଓ ବିଦେଶରେ ସମାଲୋଚନା କରାଯାଇଥିଲା। ସେ କିନ୍ତୁ ଅତ୍ୟନ୍ତ ଭଦ୍ରତାର ସହ ଏହାର ସାମ୍ନା କରିଥିଲେ। ସଂସଦରେ ସେ ଏ ନେଇ ବକ୍ତବ୍ୟ ରଖି କହିଥିଲେ, ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ସେ ଏଭଳି କରିନାହାନ୍ତି। ଏମିତି କି ଭବିଷ୍ୟତରେ ମଧ୍ୟ ଏଭଳି ପରମାଣୁ ପରୀକ୍ଷଣ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ବାଜପେୟୀ ଏ ସମସ୍ୟାକୁ ଏଡ଼ାଇ ପାରିଥିଲେ।

ବାଜପେୟୀଙ୍କ ପସନ୍ଦ

ପ୍ରିୟ ପୋଷାକ : ଧୋତି କୁର୍ତା
ପ୍ରିୟ ରଙ୍ଗ : ନୀଳ
ପ୍ରିୟ ସ୍ଥାନ : ମନାଲି, ଅଲମୋଡ଼ା ଏବଂ ମାଉଣ୍ଟ୍‌ ଆବୁ
ପ୍ରିୟ ଖାଦ୍ୟ : ଖେଚୁଡ଼ି, କ୍ଷୀରି ଏବଂ ମାଲପୁଆ। ଏଥିସହ ମାଛ ଏବଂ ଚୀନ୍‌ ଖାଦ୍ୟ ବି ତାଙ୍କୁ ଭଲ ଲାଗେ
ପ୍ରିୟ ଗୀତ : ଏସ୍‌ ଡି ବର୍ମାନ୍‌ଙ୍କ ଦ୍ୱାରା ‘ଓରେ ମାଁଝି’ ଏବଂ ମୁକେଶ ଓ ଲତା ମଙ୍ଗେଶକରଙ୍କ ଦ୍ୱାରା ‘ କଭି କଭି ମେରେ ଦିଲ୍‌ ମେ’
ପ୍ରିୟ ଚଳଚ୍ଚିତ୍ର (ହିନ୍ଦୀ) : ‘ଦେବଦାସ’, ‘ବନ୍ଦିନୀ’ ଏବଂ
‘ତିସ୍‌ରୀ କସମ୍‌’
ପ୍ରିୟ ଚଳଚ୍ଚିତ୍ର (ଇଂରାଜି) : ‘ବ୍ରିଜ୍‌ ଓଭର ରିଭର କ୍ୱାଇ’, ‘ବର୍ନ ଫ୍ରି’ ଏବଂ ‘ଗାନ୍ଧୀ’
ପ୍ରିୟ ଗାୟକ : ଲତା ମଙ୍ଗେଶକର, ମୁକେଶ ଏବଂ ମହମ୍ମଦ ରଫି
ପ୍ରିୟ କବି : ସୁର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା, ବାଳ କ୍ରିଷ୍ଣା ଶର୍ମା ନବୀନ, ଜଗନ୍ନାଥ ପ୍ରସାଦ ମିଲିନ୍ଦ, ଫୈଜ ଅହମଦ

ରାଜଘାଟରେ ସ୍ମୃତିସ୍ତମ୍ଭ ନିର୍ମାଣ କରିବ ଏନ୍‌ଡିଏ

ଏନ୍‌ଡିଏ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୃଥକ୍‌ ଭାବେ ରାଜଘାଟରେ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରିବ। ନୂଆଦିଲ୍ଲୀ ସ୍ଥିତ ରାଜଘାଟ୍‌ରେ ଯମୁନା ନଦୀ କୂଳରେ ବିଜେପିର ଏହି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଏନ୍‌ଡିଏ ଯୋଜନା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏ ବାବଦରେ ଖୁବ୍‌ଶୀଘ୍ର ଏନ୍‌ଡିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଆଉଥରେ ପିତାଙ୍କୁ ହରାଇଲି: ଲତା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର ଆଜି ଗଭୀର ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି, ବାଜପେୟୀ ମୋ ପିତା ଭଳି ଥିଲେ। ସେ ମୋତେ ଝିଅ ବୋଲି ଡାକୁଥିଲେ। ମୁଁ ତାଙ୍କୁ ଦାଦା ଡାକୁଥିଲି। ଆଜି ଲାଗୁଛି ମୁଁ ମୋ ପିତାଙ୍କୁ ଆଉଥରେ ହରାଇଛି।’ ଲତା ଆହୁରି କହିଛନ୍ତି, ‘ମୁଁ ଯେତେବେଳେ ତାଙ୍କ ମୁହଁରେ ଉଜ୍ଜ୍ୱଳତା ଦେଖୁଥିଲି ଏବଂ କଳା ପ୍ରତି ତାଙ୍କ ଭଲପାଇବା ଦେଖୁଥିଲି, ସେତେବେଳେ ମୋ ପିତା (ପଣ୍ଡିତ ଦୀନାନାଥ ମଙ୍ଗେସ୍‌କର) ମନେପଡୁଥିଲେ। ମୁଁ ଯେତେବେଳେ ଛୋଟ ଥିଲି, ପିତାଙ୍କୁ ଦେଖା କରିବାକୁ ଆମ ଘରକୁ ଅନେକ ରାଷ୍ଟ୍ରନେତା ତଥା ରାଜନୀତିଜ୍ଞ ଆସୁଥିଲେ। ସେମାନଙ୍କ ମଧ୍ୟରେ ବୀର ସବରକର ମଧ୍ୟ ଥିଲେ। ସେ ଜଣେ ମହାନ୍‌ ତଥା ଆଦର୍ଶ ବ୍ୟକ୍ତି ଥିଲେ। ଅଟଳଜୀଙ୍କୁ ଦେଖିବା ପରେ ସବରକର ମନେପଡୁଥିଲେ। ଅଟଳଜୀଙ୍କୁ ପ୍ରଶଂସା କରିବା ପାଇଁ ଶବ୍ଦର ଅଭାବ ପଡ଼ିଯିବ। କିନ୍ତୁ ଅଟଳଜୀଙ୍କୁ କଦାପି ଶବ୍ଦ ଅଭାବ ପଡୁନଥିଲା।’’

ଡ୍ରିମ୍‌ଗର୍ଲଙ୍କ ଫ୍ୟାନ୍‌ ଥିଲେ
ଡ୍ରିମ୍‌ଗର୍ଲ ହେମାମାଳିନୀଙ୍କ ବଡ଼ ଫ୍ୟାନ୍‌ ଥିଲେ ବାଜପେୟୀ। ତାଙ୍କର ପ୍ରତ୍ୟେକଟି ଚଳଚ୍ଚିତ୍ର ଦେଖିବାକୁ ସେ ପସନ୍ଦ କରୁଥିଲେ। ତେବେ ୧୯୭୨ରେ ମୁକ୍ତିଲାଭ କରିଥିବା ହେମାମାଳିନୀଙ୍କ ‘ସୀତା ଔର ଗୀତା’ ଚଳଚ୍ଚିତ୍ର ତାଙ୍କୁ ଏତେ ଭଲ ଲାଗିଥିଲା, ସେ ଏହାକୁ ୨୫ ଥର ଦେଖିଥିଲେ। ଏ କଥା ହେମା ମାଳିନୀ ନିଜେ ସ୍ୱୀକାର କରିଥିଲେ। ସାମ୍ବାଦିକତାରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ମହାନ୍‌ ନେତା କବିତା ଲେଖିବା ସହିତ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଉଥିଲେ। ବିଜେପି ସାଂସଦ ହେମା ମାଳିନୀ ମଥୁରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବକ୍ତବ୍ୟ ରଖିଥିଲେ। ଏହି ସମୟରେ ସେ ବାଜପେୟୀଙ୍କର ଏହି ଅଜଣା କଥାକୁ ସାର୍ବଜନୀନ କରିଥିଲେ।

ଅତି ବିରଳ ବ୍ୟକ୍ତି ଥିଲେ: ଅମିତାଭ

ବାଜପେୟୀଙ୍କ ମୃତ୍ୟୁରେ ଶୋକପ୍ରକାଶ କରି ବଲିଉଡ୍‌ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ କହିଛନ୍ତି, ସେ ମୋ ପିତାଙ୍କର ଜଣେ ପ୍ରଶଂସକ ଥିଲେ। ସେମାନଙ୍କ ସାକ୍ଷାତ ବେଳେ ମୁଁ ପ୍ରାୟତଃ ଉପସ୍ଥିତ ରହୁଥିଲି। ବିଶିଷ୍ଟ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପୁଅ ଅମିତାଭ କହିଛନ୍ତି, ବାଜପେୟୀଙ୍କ ବାକ୍‌ ଦକ୍ଷତାରେ ତାଙ୍କ ପିତା ବିମୁଗ୍ଧ ହୋଇଥିଲେ। ତେବେ ସେମାନେ ପରସ୍ପରର ପ୍ରଶଂସକ ଥିଲେ। କାରଣ ଉଭୟେ ଶବ୍ଦର ସମ୍ରାଟ ଥିଲେ। ଏକାଧିକ ଉଦାହରଣ ମାଧ୍ୟମରେ କୌଣସି ବିଷୟ ବୁଝାଇବା କ୍ଷେତ୍ରରେ ସେମାନେ ସିଦ୍ଧହସ୍ତ ଥିଲେ। ତେବେ ବାଜପେୟୀ ଜଣେ ମହାନ୍‌ କବି, ଲେଖକ ଓ ରାଜନୀତିଜ୍ଞ ଥିଲେ। ସେ ଅତି ବିରଳ ବ୍ୟକ୍ତି ଥିଲେ ବୋଲି ଅମିତାଭ କହିଛନ୍ତି।

ମନେପଡ଼ିବେ ବାପ୍‌ଜୀ: ଶାହରୁଖ
ଦିଲ୍ଲୀରେ ଯେଉଁଠି ବାଜପେୟୀ ଭାଷଣ ଦେଉଥିଲେ ମୋ ପିତା ମୋତେ ସେଠାକୁ ନେଇଯାଉଥିଲେ। ତାଙ୍କର ଅଧିକାଂଶ ଭାଷଣକୁ ମୁଁ ମନଭରି ଶୁଣିଛି। ଅନେକ କିଛି ଶିଖିଛି। ତେବେ କିଛି ବର୍ଷ ବିତିବା ପରେ ତାଙ୍କ ସହିତ ସିଧା ଭେଟିବାର ସୁଯୋଗ ପାଇଲି। ତାଙ୍କ ସହିତ କବିତା, ଚଳଚ୍ଚିତ୍ର, ରାଜନୀତି ଏବଂ ଆମର ଆଣ୍ଠୁ ରୋଗ ସଂପର୍କରେ ଆଲୋଚନା କରୁଥିଲି। ଏମିତି କି ତାଙ୍କର ଏକ କବିତାରେ ମୁଁ ପରଦାରେ ଅଭିନୟ ସୁଯୋଗ ମଧ୍ୟ ପାଇଛି। ତାଙ୍କ ଭଳି ଜଣେ ପିତୃତୁଲ୍ୟ ନେତା ଆଜି ଆମେ ହରାଇଛୁ। କିନ୍ତୁ ‘ବାପ୍‌ଜୀ’ ସବୁବେଳେ ମନେପଡ଼ିବେ ବୋଲି ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.