ମହାଔଷଧ ମହାପ୍ରସାଦ

ମହୀମୋହନ ତ୍ରିପାଠୀ

ଜଣେ ବିଶିଷ୍ଟ ନାଟ୍ୟକାର, ଯାହାଙ୍କର ବଙ୍ଗଳା ନାଟ୍ୟ-ସାହିତ୍ୟକୁ ଅବଦାନ ଅବିସ୍ମରଣୀୟ, ସେ ଉତ୍କଟ କଲେରାରୋଗରେ ପୀଡ଼ିତ ହେଲେ। ଚିକିତ୍ସକମାନେ ବ୍ୟର୍ଥ ହୋଇ ତାଙ୍କର ଆରୋଗ୍ୟ ଲାଭର ଆଶା ଛାଡ଼ିଦେଲେ। ଅସହାୟ ରୋଗୀଜଣକ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ିଥିବା ସମୟରେ ଏକ ମାତୃମୂର୍ତ୍ତି ତାଙ୍କ ନିକଟରେ ଉଭାହେଲେ। ତାଙ୍କର ଶରୀରରୁ ଦିବ୍ୟଜ୍ୟୋତି ବାହାରୁଥାଏ। ସେ ପିନ୍ଧିଥାଆନ୍ତି ନାଲିଧଡ଼ି ଥିବା ଏକ ଶାଢ଼ି। ଏହି ଦିବ୍ୟମାତା ରୋଗୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନ କରିବାକୁ କହିଲେ ଏବଂ ଖୁଆଇଦେଲେ। ଏହି ଘଟଣା ପରେ ପରେ ଅଲୌକିକ ଭାବରେ ରୋଗୀ ରୋଗମୁକ୍ତ ହୋଇଥିଲେ। ଏହି ନାଟ୍ୟକାର ହେଉଛନ୍ତି ଗିରୀଶ ଚନ୍ଦ୍ର ଘୋଷ।

ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପୂର୍ବଯୁଗର ଶ୍ରେଷ୍ଠ ନାଟ୍ୟକାର ଗିରୀଶଚନ୍ଦ୍ର (୧୮୪୪-୧୯୧୨) ପୌରାଣିକ, ଐତିହାସିକ, ସାମାଜିକ ପ୍ରଭୃତି ଅଶୀଖଣ୍ଡ ନାଟକ ରଚନା କରିଛନ୍ତି। ତାଙ୍କର ବହୁ ଜନାଦୃତ ନାଟକର ନାମ ହେଲା- ଚୈତନ୍ୟଲୀଳା, ପାଣ୍ଡବଗୌରବ, ବିଲ୍ଵମଙ୍ଗଳ, ରୂପ-ସନାତନ, କଳାପାହାଡ଼, ଶିବାଜୀ, ମୀରକାଶୀମ, ସିରାଜ ଉଦ୍ଦୌଲା, ପୂର୍ଣ୍ଣଚନ୍ଦ୍ର, ପ୍ରଫୁଲ୍ଲ ଇତ୍ୟାଦି। ଗିରୀଶ ଚନ୍ଦ୍ର କେବଳ ନାଟ୍ୟକାର ନଥିଲେ, ଥିଲେ ମଧ୍ୟ ନାଟ୍ୟନିର୍ଦ୍ଦେଶକ ଓ ଅଭିନେତା। ସେ ମଧ୍ୟ ଜଣେ କବି ଥିଲେ।

ଗିରୀଶଚନ୍ଦ୍ର କୈଶୋର ଥିବାବେଳେ ତାଙ୍କର ମାତାପିତାଙ୍କର ବିୟୋଗ ଘଟିଥିଲା। ବଡ଼ଭଉଣୀ ତାଙ୍କର ଲାଳନପାଳନର ଦାୟିତ୍ୱ ନେଇଥିଲେ। ଗିରୀଶଚନ୍ଦ୍ର ହୋଇଗଲେ ବେପରୁଆ ଓ ସାମାଜିକ ରୀତିନିୟମର ବିରୋଧୀ। ଚନ୍ଦ୍ରରେ କଳଙ୍କ ପରି ନାଟ୍ୟପ୍ରତିଭା ସହିତ ଲମ୍ପଟତାର ବିଚିତ୍ର ସହାବସ୍ଥାନ ଘଟିଥିଲା ତାଙ୍କର ଚରିତ୍ରରେ। ଧର୍ମବ୍ୟାପାରରେ ସନ୍ଦେହ ସହିତ ଆଧ୍ୟାତ୍ମିକ ଅଭ୍ୟାସ ପାଇଁ ସାମୟିକ ଉଦ୍ଦୀପନା ତାଙ୍କ ମନରେ ଛପି ରହିଥାଏ। ଜଣେ ବନ୍ଧୁଙ୍କ ବାଧ୍ୟବାଧକତାରେ ସେ ବ୍ରାହ୍ମସମାଜର କେତୋଟି ବୈଠକରେ ଯୋଗଦେଇଥିଲେ, କିନ୍ତୁ ପରେ ଆଉ ସେଥିରେ ଯୋଗ ଦେଲେ ନାହିଁ।

ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ସେ ଦ୍ୱିତୀୟ ବିବାହ କରିଥିଲେ ୧୮୭୫ ସାଲରେ। ଦ୍ୱିତୀୟ ବିବାହର କେତେ ମାସପରେ ଉଲ୍ଲିଖିତ ରୋଗମୁକ୍ତି ଘଟଣା ଘଟିଥିଲା।

ଶ୍ରୀରାମକୃଷ୍ଣ ପରମହଂସଙ୍କ ସଂପର୍କରେ ବିଭିନ୍ନ ପତ୍ରପତ୍ରିକାରୁ ପଢ଼ି ଓ ତାଙ୍କ ସଂପର୍କରେ ଶୁଣି ମଧ୍ୟ ସନ୍ଦେହୀ ଗିରୀଶଚନ୍ଦ୍ର ତାଙ୍କୁ ଭେଟିବାକୁ ଆଗ୍ରହୀ ହୋଇନଥିଲେ। ତାଙ୍କର ଜଣେ ପଡ଼ୋଶୀଙ୍କ ଘରକୁ ଶ୍ରୀରାମକୃଷ୍ଣ ପରମହଂସ ୧୮୭୬ରେ ଆସିଥିଲେ। ଗିରୀଶଚନ୍ଦ୍ର ସେତେବେଳେ ପ୍ରଥମ ଥର ପାଇଁ ଏହି ମହାନ ସନ୍ଥଙ୍କୁ ସେଠାରେ ଦେଖିଥିଲେ। ଭେଟିବା ପରେ ଶ୍ରୀରାମକୃଷ୍ଣ ପ୍ରତି ଗିରୀଶଚନ୍ଦ୍ରଙ୍କ ମନରେ ବିଶ୍ୱାସ କିମ୍ବା ଭକ୍ତିଭାବର ଉଦ୍ରେକ ହୋଇ ନଥିଲା। ଏହାର ଦୀର୍ଘ ଆଠ ବର୍ଷ ପରେ ୧୮୮୪ ସାଲ ସେପ୍‌ଟେମ୍ବର ମାସର ଆଦ୍ୟ ଭାଗରେ ଗିରୀଶଚନ୍ଦ୍ର ଶ୍ରୀରାମକୃଷ୍ଣଙ୍କୁ ଭେଟିଥିଲେ ବନ୍ଧୁ ବଳରାମ ବୋଷଙ୍କ ବାସଭବନରେ। ଶ୍ରୀରାମକୃଷ୍ଣ ଭୂମି ଉପରେ ମଥାନତ କରି ତାଙ୍କୁ ଦେଖିବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ ଜଣାଉଥାଆନ୍ତି। ପ୍ରଥମ ଥର ପରି ଏଥର ମଧ୍ୟ ଗିରୀଶ ଚନ୍ଦ୍ରଙ୍କ ମନରେ ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରଭାବ ପଡ଼ିନଥିଲା। କିନ୍ତୁ ଇତିମଧ୍ୟରେ କେତୋଟି ଘଟଣାରେ ଗିରୀଶଚନ୍ଦ୍ରଙ୍କ ହୃଦୟରେ ଆଧ୍ୟାତ୍ମିକ ବ୍ୟାକୁଳତା ସୃଷ୍ଟି ହୋଇଥିଲା।

୨୧ ସେପ୍‌ଟେମ୍ବର, ୧୮୮୪ ଥିଲା ଗିରୀଶଚନ୍ଦ୍ରଙ୍କ ଜୀବନରେ ପରିବର୍ତ୍ତନର ଏକ ନିର୍ଣ୍ଣାୟକ ଦିନ। ତାଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ‘ଚୈତନ୍ୟଲୀଳା’ ନାଟକ କଲିକତାର ବିଖ୍ୟାତ ‘ଷ୍ଟାର ଥିଏଟର’ରେ ମଞ୍ଚସ୍ଥ ହେଉଥାଏ। ନାଟକର ଅପୂର୍ବ ସଫଳତା ସମଗ୍ର କଲିକତା ନଗରୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ। ସେଦିନ ଶ୍ରୀରାମକୃଷ୍ଣ ପରମହଂସ କେତେଜଣ ଭକ୍ତଙ୍କ ଗହଣରେ ଏହି ନାଟକ ଦେଖିବାକୁ ଆସିଥିଲେ। ଗିରୀଶଚନ୍ଦ୍ର ଔପଚାରିକ ଭାବରେ ଶ୍ରୀରାମକୃଷ୍ଣଙ୍କୁ ପାଛୋଟି ଆଣିଲେ। ଗିରୀଶଚନ୍ଦ୍ରଙ୍କୁ ଭେଟିବା କ୍ଷଣି ଶ୍ରୀରାମକୃଷ୍ଣ ତାଙ୍କୁ ପ୍ରଥମେ ନମସ୍କାର କଲେ। ଏହି ନାଟକ ଦେଖୁଥିବା ବେଳେ ସେ ଭାବ ବିହ୍ଵଳ ହୋଇପଡ଼ୁଥିଲେ, ତାଙ୍କ ଚକ୍ଷୁରୁ ଅଶ୍ରୁ ଝରିପଡ଼ୁଥିଲା। ସେ ମଧ୍ୟ ମଝିରେ ମଝିରେ ସମାଧିସ୍ଥ ହୋଇଯାଉଥିଲେ।

ନାଟକ ଦେଖିସାରିବା ପରେ ଶ୍ରୀରାମକୃଷ୍ଣ ଦିବ୍ୟଦୃଷ୍ଟିରେ ଗିରୀଶଚନ୍ଦ୍ରଙ୍କ ଅନ୍ତର୍ନିହିତ ଆଧ୍ୟାତ୍ମିକ ଚେତନାର ଆକଳନ କରି କହିଥିଲେ- ‘ଗିରୀଶଙ୍କ ଧର୍ମବିଶ୍ୱାସ ଶତକଡ଼ା ଏକଶହରୁ ଅଧିକ! ଏହା ପରେ ଲୋକମାନେ ତାଙ୍କର ଆଧ୍ୟାତ୍ମିକ ବିଶ୍ୱାସ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।’

ତିନିଦିନ ପରେ ଅର୍ଥାତ ୨୪ ତାରିଖରେ, ଗିରୀଶଚନ୍ଦ୍ର ଶ୍ରୀରାମକୃଷ୍ଣଙ୍କଠାରୁ ଡାକରାପାଇ ତାଙ୍କୁ ଭେଟିଥିଲେ ବନ୍ଧୁ ବଳରାମ ବୋଷଙ୍କ ଘରେ। ଶ୍ରୀରାମକୃଷ୍ଣ ଗିରୀଶଚନ୍ଦ୍ରଙ୍କୁ କହିଥିଲେ- ସେ ତାଙ୍କର ନାଟକ ଦେଖି ଖୁସି ହୋଇଛନ୍ତି। ଗିରୀଶଚନ୍ଦ୍ରଙ୍କ ମନର ଭାବନା ବୁଝିପାରି ସେ କହିଥିଲେ, ‘‘ତୁମ ପାଇଁ ‘ଗୁରୁ’ ନିର୍ଦ୍ଧାରିତ ହୋଇ ସାରିଛନ୍ତି। ତୁମର ହୃଦୟର ସବୁ କଳଙ୍କ ଧୋଇ ହୋଇଯିବ!’’

ଚୁମ୍ବକ ଦ୍ୱାରା ଲୁହା ଆକର୍ଷିତ ହେବାପରି ଗିରୀଶଚନ୍ଦ୍ର ଟାଣି ହୋଇଗଲେ ଶ୍ରୀରାମକୃଷ୍ଣଙ୍କ ଆଡ଼କୁ। ତାଙ୍କର ଆଉ ବୁଝିବାକୁ ବାକି ରହିଲାନି ଯେ ଶ୍ରୀରାମକୃଷ୍ଣ ହିଁ ତାଙ୍କ ପାଇଁ ବିଧି ନିର୍ଦ୍ଧାରିତ ଗୁରୁ। ସୁରା ଓ ସାକିରେ ଅଭ୍ୟସ୍ତ ଗିରୀଶଚନ୍ଦ୍ର ପାଲଟିଗଲେ ଶ୍ରୀରାମକୃଷ୍ଣ ପରମହଂସଙ୍କ ଜଣେ ପ୍ରମୁଖଶିଷ୍ୟ। ସେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦେଲେ ଏହି ମହାନ ସନ୍ଥଙ୍କ ପାଖରେ। ଶ୍ରୀରାମକୃଷ୍ଣଙ୍କ ପ୍ରିୟଶିଷ୍ୟ ସ୍ୱାମୀ ବିବେକାନନ୍ଦ କହିଛନ୍ତି ଯେ ସେ ଗିରୀଶଚନ୍ଦ୍ରଙ୍କଠାରୁ ‘ଆତ୍ମସମର୍ପଣ’ର ଶିକ୍ଷା ଲାଭ କରିଥିଲେ।

ସେ ଯାଏଁ ଗିରୀଶଚନ୍ଦ୍ର ଶ୍ରୀରାମକୃଷ୍ଣଙ୍କ ସହଧର୍ମିଣୀ ଶ୍ରୀ ମା’ ସାରଦାଦେବୀଙ୍କୁ ଦେଖି ନଥିଲେ। ଗୁରୁଦେବଙ୍କ ମହାପ୍ରୟାଣର ପ୍ରାୟ ପାଞ୍ଚ ବର୍ଷ ପରେ ମା’ ସାରଦା ଦେବୀଙ୍କୁ ସେ ଦର୍ଶନ କରିବାକୁ ଯାଇଥିଲେ। ସେତେବେଳକୁ କଲିକତା ସହରଠାରୁ ସତୁରି ମାଇଲ ଦୂର ଜୟରାମବାଟୀ ଗ୍ରାମରେ ମା’ ଅବସ୍ଥାନ କରୁଥିଲେ। ମା’ଙ୍କ ଶ୍ରୀମୁଖ ପ୍ରଥମ ଥରପାଇଁ ଦର୍ଶନ କରି ସେ ବିସ୍ମିତ ହୋଇଗଲେ। ‘‘ଇଏ ତ ସେହି ଦିବ୍ୟ ମା’, ଯେ କି ଷୋହଳ ବର୍ଷ ତଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ତାଙ୍କୁ ସ୍ୱପ୍ନରେ ଖାଇବାକୁ ଦେଇ ରୋଗମୁକ୍ତ କରିଦେଇଥିଲେ!’’ ତଥାପି ସେ ଜାଣିବାକୁ ଚାହିଁଲେ ମା’ ତାଙ୍କୁ ସେଦିନ ଦର୍ଶନ ଦେଇଥିଲେ କି? ମା’ ସ୍ୱୀକାର କଲେ। ଗିରୀଶ ଚନ୍ଦ୍ର ମା’ ସାରଦାଙ୍କୁ ଦିନେ ପଚାରିଲେ, ‘‘ତୁମେ କି ଧରଣର ମା’ ?’’ ମା’ ଉତ୍ତର ଦେଇଥିଲେ, ‘‘ମୁଁ ପ୍ରକୃତ ମା’। ଗୁରୁପତ୍ନୀ ନୁହେଁ, ଧର୍ମ ମା’ ନୁହେଁ। ମୁଁ ସତ୍ୟଜନନୀ।’’

ସମ୍ବନ୍ଧିତ ଖବର