ଦିନେ ମହର୍ଷି କର୍ଦମ ଚିନ୍ତା କରିଲେ ଯେ ବିଷୟ ଭୋଗରେ ରହି ତାଙ୍କ ଦୁର୍ଲଭ ମାନବ ଜନ୍ମ ନଷ୍ଟ ହୋଇଗଲା। ତାଙ୍କ ମନରେ ପୂର୍ଣ୍ଣ ବୈରାଗ୍ୟଭାବ ଉଦୟ ହେଲା।ଏଣୁ ସେ ଏକାକୀ ଅରଣ୍ୟକୁ ଯାଇ ତପଶ୍ଚାରଣ କରିବାର ନିଶ୍ଚୟ କରିଲେ।ଏକଥା ଜାଣିବାପରେ ଦେବହୁତିଙ୍କ ର ମଧ୍ୟ ଜ୍ଞାନ ଉଦୟ ହେଲା। ସେ ଅତ୍ୟନ୍ତ ବ୍ୟାକୁଳ ଚିତ୍ତରେ ପତିଙ୍କୁ କହିଲେ,‘‘ଦେବ!ମୁଁ ଇନ୍ଦ୍ରିୟ ସୁଖରେ ବୁଡ଼ି ରହି ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ ଠୁଁ ଦୂରେଇ ଯାଇଥିଲି। ଆପଣଙ୍କ ପରି ମାହାତ୍ମାଙ୍କ ସଙ୍ଗତି ପାଇ ମଧ୍ୟ ମୁଁ ଏଭଳି ବିଷୟ ଭୋଗରେ ଲିପ୍ତ ରହିଛି।ଏକଥା ଭାବିଲା ବେଳକୁ ମୁଁ ଲଜ୍ଜା ବୋଧ କରୁଛି। ଏଣୁ ଆପଣ ଦୟାପୂର୍ବକ ମୋତେ ଉଦ୍ଧାରର ମାର୍ଗ ବତାନ୍ତୁ।’
Sambad is now on WhatsApp
Join and get latest news updates delivered to you via WhatsApp
ମହର୍ଷି କର୍ଦମ କହିଲେ,‘‘ପ୍ରିୟେ! ବ୍ୟାକୁଳ ବା ଉଦ୍ବିଘ୍ନ ହୁଅ ନାହିଁ। ତୁମର ପରମ ପୁରୁଷ ପ୍ରକଟ ହେବ। ସେ ତୁମକୁ ତତ୍ତ୍ୱ ଜ୍ଞାନର ଉପଦେଶ ଦେବେ ମୁଁ ତାଙ୍କର ଦର୍ଶନ କରିବାପରେ ହିଁ ଏଠାରୁ ଯିବି। ସମୟ କ୍ରମେ ଭଗବାନ କପିଳ ଦେବହୁତିଙ୍କ ଗର୍ଭରୁ ଅବତାର ନେଲେ।ମହର୍ଷିି ତାଙ୍କର ଦର୍ଶନ କରି ଏବଂ ତାଙ୍କଠୁଁ ଅନୁମତି ଦେଇ ଅରଣ୍ୟକୁ ତପଶ୍ଚାଣଲାଗି ପ୍ରସ୍ଥାନ କରିଲେ।
ଭଗବାନ କପିଳ ମାତାଙ୍କୁ ତତ୍ତ୍ୱଜ୍ଞାନର ଉପଦେଶ ଦେଇ କହିଲେ,ଏହି ମନ ହିଁ ମନୁଷ୍ୟର ବନ୍ଧନ ଓ ମୋକ୍ଷର କାରଣ।କିନ୍ତୁ ପରାମାତ୍ମା ଅନୁରୋକ୍ତ ହେବାପରେ ତାହା ମୋକ୍ଷର କାରଣ ହୋଇଯାଏ। ଏଣୁ ମନୁଷ୍ୟ କୁ ସମସ୍ତ ପ୍ରକାରର ମୋହରୁ ମନକୁ ଜୋରଜବରଦସ୍ତ ଟାଣି ଆଣି ଭଗବାନଙ୍କ ସ୍ୱରୂପରେ ଲଗାଇବା ଉଚିତ। ଏହିପରି ଭାବେ ମାତାଙ୍କୁ ଭକ୍ତି ଓ ସାଂଖ୍ୟଶାସ୍ତ୍ରର ଉପଦେଶ ଦେଇ ଭଗବାନ କପିଳ ସମୁଦ୍ରତଟକୁ ଚାଲିଗଲେ ଏବଂ ସମୁଦ୍ର ତାଙ୍କୁ ନିଜ ଭିତରେ ସ୍ଥାନ ଦେଲେ।