ବାହୁବଳୀ ସିନେମାର ମହୀଷ୍ମତୀ ରାଜ୍ୟ କଥା ସତ

ବାହୁବଳୀ ସିନେମାରେ ବର୍ଣ୍ଣିତ ମହୀଷ୍ମତୀ ରାଜ୍ୟ କଥାଟି କାଳ୍ପନିକ ନୁହେଁ, ସତ। ଗୁଗଲ୍‌ରେ ଖୋଜିଲେ ମହୀଷ୍ମତୀ ରଜ୍ୟର ଅବସ୍ଥିତିର ସୂଚନା ମିଳୁଛି। ଅବଶ୍ୟ ତାହା ଦକ୍ଷିଣ ଭାରତରେ ଅବସ୍ଥିତ ନୁହେଁ।

ସୂଚନା ଅନୁସାରେ, ମହୀଷ୍ମତୀ ଥିଲା ଗୋଟାଏ ରାଜଧାନୀ ନଗରୀ ଏବଂ ସାମାଜିକ-ରାଜନୈତିକ କେନ୍ଦ୍ରସ୍ଥଳୀ। ତାହା ଥିଲା ପ୍ରାଚୀନ ଭାରତର ବିଖ୍ୟାତ ଜନପଦ ଅବନ୍ତୀ ରାଜ୍ୟର ଅଂଶବିଶେଷ। କୁହାଯାଏ, ସମ୍ପ୍ରତି ମଧ୍ୟପ୍ରଦେଶ ଦେଇ ପ୍ରବାହିତ ନର୍ମଦା ନଦୀ କୂଳରେ ଅବସ୍ଥିତ ମହେଶ୍ୱର ସହର ହିଁ ମହୀଷ୍ମତୀ ରାଜ୍ୟ।

ଖର୍‌ଗୋନ୍‌ ଜିଲ୍ଲାରେ ଥିବା ମହେଶ୍ୱର ମାହେଶ୍ୱରୀ ଶାଢ଼ି, ମନ୍ଦିର ଏବଂ ଦୁର୍ଗ ପାଇଁ ବିଖ୍ୟାତ। ରାଜା ମହିଷ୍ମାନ୍‌ ଥିଲେ ଏହାର ପ୍ରତିଷ୍ଠାତା। ଇତିହାସ ଉତ୍ତର ଭାରତରେ ଦୁଇଟି ଶକ୍ତି କେନ୍ଦ୍ର ଅବନ୍ତୀ ଏବଂ ଉଜ୍ଜୟିନୀ ଓ ଦକ୍ଷିଣ ଭାରତରେ ମହୀଷ୍ମତୀ।

ମହାଭାରତରେ ମଧ୍ୟ ମହୀଷ୍ମତୀ କଥା ଉଲ୍ଲେଖ ରହିଛି।

ମହାଭାରତର ଅନୁଶାସନ ପର୍ବରେ ଉଲ୍ଲେଖ କରାଯାଇଛି ଯେ ସହସ୍ର ବାହୁ କାର୍ତ୍ତବିର୍ଯ୍ୟ (ଅର୍ଜୁନ), ହୟ ମହୀଷ୍ମତୀ ଠାରୁ ଆରମ୍ଭ କରି ସମଗ୍ର ବିଶ୍ୱକୁ ଶାସନ କରୁଥିଲେ।

ଅନ୍ୟ ଏକ ସାହିତ୍ୟ କୃତୀ ‘ହରିବଂଶ’ରେ ମଧ୍ୟ ଉଲ୍ଲେଖ ଅଛି ଯେ ମହୀଷ୍ମତୀ ରାଜ୍ୟ ସଞ୍ଝାଙ୍କ ଦାୟଦ ରାଜା ମହୀଷ୍ମତଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଅନ୍ୟ ଏକ ତଥ୍ୟାନୁସାରେ ଏହାର ପ୍ରତିଷ୍ଠାତା ଥିଲେ ମୁଚୁକୁନ୍ଦ।

‘ମଧ୍ୟପ୍ରଦେଶର ଐତିହାସିକ ଭୂଗୋଳ’ ପୁସ୍ତକର ରଚୟିତା ପିକେ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି: ମହୀଷ୍ମତୀ ରାଜ୍ୟକୁ ଅନୁପ ମଧ୍ୟ କୁହାଯାଉଥିଲା। ରେବାକୂଳସ୍ଥ ମହୀଷ୍ମତୀ ଅନୁପ ଦେଶର ରାଜଧାନୀ ବୋଲି ରଘୁବଂଶରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଅନ୍ୟାନ୍ୟ ବର୍ଣ୍ଣନାରୁ ଯାହା ଜଣାପଡ଼େ ମହୀଷ୍ମତୀ ନର୍ମଦା ତୀରରେ ନୁହେଁ ତା’ର ମଝିରେ ଅବସ୍ଥିତ ଥିଲା। ହରିବଂଶରେ ବର୍ଣ୍ଣିତ ହୋଇଛି ଯେ ମୁଚୁକୁନ୍ଦ ଏହାକୁ ପଥୁରିଆ ଦ୍ୱୀପ ଏବଂ ମାନ୍ଧାତାଙ୍କ ଗାଁ’ରେ ପ୍ରତିଷ୍ଠା କରିଥିଲେ। ଏବେ ତାହା ଓଁକାରନାଥ ଧର୍ମପୀଠ ଭାବେ ଖ୍ୟାତ।

ଅନ୍ୟ କେତେକ ଲେଖାରୁ ସୂଚନା ମିଳେ ଯେ ନୀଳ ଥିଲେ ମହୀଷ୍ମତୀ ରାଜ୍ୟର ଶାସକ। ଅଗ୍ନି ଦେବତା ନୀଳଙ୍କ ଝିଅକୁ ପ୍ରେମ କରି ଜଣେ ବ୍ରାହ୍ମଣ ବେଶରେ ତାଙ୍କ ନିକଟତର ହେଲେ। କିନ୍ତୁ ନୀଳ ଏହାର ବିରୋଧ କରି ବ୍ରାହ୍ମଣଙ୍କୁ ଦଣ୍ଡିତ କରିବାକୁ ଆଦେଶ ଦେଲେ। ଅଗ୍ନି ଦେବତା ନିଜ ପରିଚୟ ଦେବାରୁ ରାଜା ନୀଳ ଆଉ ଆଗକୁ ନ ଯାଇ ନିଜ ରାଜ୍ୟକୁ କାଳ କାଳକୁ ସୁରକ୍ଷା ଦେବାକୁ ତାଙ୍କୁ ଅନୁରୋଧ କଲେ।

ରାବଣ ମଧ୍ୟ ମହୀଷ୍ମତୀ ରାଜ୍ୟ ଆକ୍ରମଣ କରିଥିବା କଥା ବର୍ଣ୍ଣନା କରାଯାଇଛି। ଏହି ଆକ୍ରମଣରେ ରାଜା ସହସ୍ରବାହୁଙ୍କ କଥା କୁହାଯାଇଛି। ସେ ଏକା ରାବଣକୁ ପ୍ରତିରୋଧ କରିବା ସହ ନର୍ମଦା ନଦୀର ପ୍ରବାହକୁ ବନ୍ଦ କରି ଦେଇଥିଲେ।

ଐତିହାସିକମାନେ କହୁଛନ୍ତି ଆଧୁନିକ ସମୟର ମହେଶ୍ୱର, ମାଣ୍ଡଲା ଏବଂ ମହୀଶୂର ବିଗତ ମହୀଷ୍ମତୀ ରାଜ୍ୟ ହୋଇ ପାରେ। ବୌଦ୍ଧ ଶାସ୍ତ୍ରରେ ଏହା ଅବନ୍ତୀରେ ଅବସ୍ଥିତ ଥିଲା ବୋଲି ଲେଖା ଅଛି।

ଦକ୍ଷିଣ ଭାରତର ଶାସକମାନେ ବିଚାର କରନ୍ତି ୧୧ଶ ଏବଂ ୧୨ଶ ଶତାବ୍ଦୀରେ ସେମାନଙ୍କ ସୃଷ୍ଟି ମହୀଷ୍ମତୀରୁ ହୋଇଥିଲା। କିନ୍ତୁ ୧୩ଶ ଶତାବ୍ଦୀର ଅଭିଲେଖ କହେ ଏ ସମୟରେ କିଛି ଭାରତୀୟ ଶାସକ ମହୀଷ୍ମତୀରେ ରହୁଥିଲେ।

ସମ୍ବନ୍ଧିତ ଖବର