ଅଲଗା ହୋଇଯାଇଥିବା ଭାଇ-ଭଉଣୀ ଫେସ୍‌ବୁକ୍‌ ଜରିଆରେ ମିଶି ପାରିଲେ, ଏବେ ୧୪ବର୍ଷ ପରେ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ

ଗାଜିଆବାଦ: ଦୀର୍ଘ ୧୪ବର୍ଷ ପରେ ଅଲଗା ହୋଇଥିବା ଭାଇ-ଭଉଣୀ ଏକାଠି  ହୋଇ ପାରିଛନ୍ତି। ଏହି ଭାଇ-ଭଉଣୀ ଦୁହିଁଙ୍କୁ ମିଶାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଫେସ୍‌ବୁକ୍‌ ନିଭାଇଛି। ଦୀର୍ଘ ୧୪ବର୍ଷ ପରେ  ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧିବ, ଯାହାକୁ ନେଇ ଦୁଇ ଭାଇ-ଭଉଣୀ ବେଶ୍‌ ଖୁସି ଅଛନ୍ତି।

ଭଉଣୀ କାଜଲଙ୍କ କହିବାନୁସାରେ, ତାଙ୍କୁ ଯେତେବେଳେ ତିନିବର୍ଷ ହୋଇଥିଲା, ତାଙ୍କ ମା’ ବାପା ଓ ଭାଇ ଅଭିଷେକକୁ ଛାଡ଼ି ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ମା’ଙ୍କ ସହିତ ମୋଦୀନଗରର ଗୋବିନ୍ଦପୁରୀରେ ବସବାସ କରୁଥିଲେ। ଏବେ ସେ ୧୭ବର୍ଷରେ ପ୍ରଦାର୍ପଣ କରି ବିଏ  ପଢ଼ୁଛନ୍ତି। ଛୋଟବେଳୁ ଭାଇ ଓ ବାପାଙ୍କୁ ଛାଡ଼ି ଆସିଥିବା ହେତୁ ସେମାନଙ୍କ ଚେହେରା ତାଙ୍କର ସଠିକ୍‌ ଭାବେ ମନେ ନ ଥିବା କଥା କାଜଲ କହିଛନ୍ତି।

ଏକଦା ମା’ଙ୍କ ସହିତ କଥା ହେଉଥିବା ବେଳେ ମା’ ତାଙ୍କ ଭାଇଙ୍କ ନାମ କହିଥିଲେ। ଏହାପରେ କାଜଲ୍‌ ଫେସ୍‌ବୁକ୍‌ରେ ଭାଇର ଆଇଡି ଖୋଜିଥିଲେ ଓ ନମ୍ବର ପାଇ ଭାଇକୁ ସମ୍ପର୍କ କରିଥିଲେ। ଦୁହେଁ କଥା ହେବା ପରେ ସବୁ କଥା ଜାଣିବା ପରେ ଦୀର୍ଘ ୧୪ ବର୍ଷ ହେବ ଅଲଗା ହୋଇଯାଇଥିବା ଭଉଣୀକୁ ତାର ଭାଇ ନେବାକୁ ଆସିଥିଲେ।

ଗତ ସୋମବାର ଭାଇ ସହିତ ସମ୍ପର୍କ କରିବା ପରେ ଦୁହେଁ କୋତବାଲି ଆସିଥିଲେ। କାଜଲ ନିଜ ଭାଇ ଓ ବାପାଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ଏସ୍‌ଡିଏମ୍‌ କୋର୍ଟରେ ବୟାନ ରୁଜୁ କରିବା ପରେ ଭାଇ ସହିତ କାଜଲଙ୍କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର