ଘରକୁ ନୂଆ ଗାଡ଼ି ଆଣିବା ପରେ ଝିଅର ପାଦକୁ ‘କୁମ୍‌କୁମ୍‌’ରେ ବୁଡ଼ାଇ ଲକ୍ଷ୍ମୀପାଦ ଆଙ୍କିଲେ ବାପା; ପୂର୍ବତନ ମୁଖ୍ୟମନ୍ତ୍ରୀ କହିଲେ,‘ମନକୁ ଛୁଇଁଗଲା’

ମୁମ୍ବାଇ: ମହାରାଷ୍ଟ୍ରରୁ ଏକ ହୃଦୟସ୍ପଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜର ଝିଅର ପାଦ ଚିହ୍ନକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପରିଗଣିତ କରି ନୂଆ କାର ସାମ୍ନାରେ ଅଙ୍କାଇ ଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଫଟୋ ଓ ଭିଡିଓକୁ ଦେଖି ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି। ଏପରିକି ମହାରାଷ୍ଟ୍ରର ମନ୍ତ୍ରୀ ଅଶୋକ ଚୌହ୍ଵାନ୍‌ ନାଗେଶ ପାଟିଲଙ୍କ ଏଭଳି କାମ ପାଇଁ ତାଙ୍କୁ ବାହାବା ଦେଇଛନ୍ତି।

କୋହ୍ଲାପୁରରେ ବସବାସ କରୁଥିବା ନାଗେଶ ପାଟିଲ ଏକ ନୂଆ କାର କିଣିଲେ । କାର କିଣି ଘରକୁ ଆଣିବା ପରେ ସେ ପୂଜାର୍ଚ୍ଚନା କରିଥିଲେ। ପୂଜା ସରିବା ପରେ ସେ ନିଜର ଦୁଇବର୍ଷର ଝିଅର ପାଦକୁ ‘କୁମ୍‌କୁମ୍‌’ରେ ବୁଡ଼ାଇ କାର ସାମ୍ନାରେ ଥିବା ବନେଟରେ ମା’ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ଅଙ୍କିତ କରିଥିଲେ।

ନାଗେଶ ପାଟିଲ ଏକ ଘରୋଇ କମ୍ପାନିରେ ଡ୍ରାଇଭର୍ ଭାବେ କାମ କରନ୍ତି। ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ସେ ଏହି ଘଟଣାର ଦୁଇଟି ଭିଡିଓକୁ ଟୁଇଟରେ ବି ସେୟାର କରିଛନ୍ତି । ନାଗେଶ ଏହି ସୁନ୍ଦର ହୃଦୟସ୍ପର୍ଶୀ ଭିଡିଓକୁ ସେୟାର କରିବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଯାଇଥିଲା। ନାଗେଶଙ୍କର ତାଙ୍କ କନ୍ୟା ପ୍ରତିଥିବା ଏଭଳି ଶ୍ରଦ୍ଧା ଦେଖି ସମସ୍ତେ ଖୁବ୍‌ ପ୍ରଶଂସା କରୁଛନ୍ତି। ବହୁ ବ୍ୟବହାରକାରୀ ଏହାକୁ ଲାଇକ୍ ଓ ରିଟୁଇଟ୍ କରିଛନ୍ତି।

khabar.ndtv

ରାଜ୍ୟର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚୌହ୍ଵାନ୍‌ ନାଗେଶଙ୍କ ଏହି ଭିଡିଓ ଦେଖି ତାଙ୍କୁ ଗତ ବୁଧବାର ଫୋନ୍‌ କରି କହିଥିଲେ ‘ତୁମ କନ୍ୟା ପ୍ରତି ତୁମର ଏଭଳି ସମ୍ମାନ ମୋର ମନକୁ ଛୁଇଁ ଯାଇଛି।’ ଏଥିସହ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ  ‌ଚୌହ୍ବାନ୍ ନାଗେଶଙ୍କୁ ଭେଟିବାର ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର