ଟଙ୍କା ପାଇଁ ଏଟିଏମ୍‌ ଭିତରେ ପଶି ମହିଳାଙ୍କୁ ଡ଼ରାଇଲେ ଯୁବକ, ୨,୫୦୦ଟଙ୍କା ନେବା ପରେ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବା ଦେଖି ଫେରାଇ ଦେଲେ

ନୂଆଦିଲ୍ଲୀ : ଚୀନ୍‌ର ଏକ ଏଟିଏମ୍‌ ସେଣ୍ଟର ଭିତରେ ଘଟିଥିବା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ଚୋର ମହିଳାଙ୍କୁ ଟଙ୍କା କାଢ଼ୁଥିବା ଦେଖି ତାଙ୍କୁ ଲୁଟିବା ଉଦ୍ଦେଶ୍ୟରେ ଏଟିଏମ୍‌ ସେଣ୍ଟର ଭିତରେ ପଶିଥିଲେ । କିନ୍ତୁ ପରେ ମହିଳାଙ୍କ ଆକାଉଣ୍ଟ ଚେକ୍‌ କରିବା ପରେ ଚୋର ନେଇଥିବା ଟଙ୍କା ଫେରାଇ ଦେବା ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଚୀନ୍‌ରେ ରହୁଥିବା ଲି ନାମକ ଜଣେ ମହିଳା ଆଇସିବିସି ବ୍ୟାଙ୍କ୍‌ର ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଟଙ୍କା ଉଠାଉଥିବା ଦେଖି ଜଣେ ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ଏଟିଏମ୍‌ ସେଣ୍ଟର ଭିତରକୁ ପଶିବା ସହ ମାରିବାର ଧମକ ଦେଇ ଟଙ୍କା ମାଗିଥିଲେ । ଯୁବକଙ୍କ ଧମକରେ ଲି ଡ଼ରିଯିବା ସହ ଉଠାଇଥିବା ୨,୫୦୦ଟଙ୍କା ତାଙ୍କୁ ଧରାଇ ଦେଇଥିଲେ । ଏହା ପରେ ଅଭିଯୁକ୍ତ ଯୁବକ ଅଧିକ ଟଙ୍କା ନେବା ଆଶାରେ ଲିଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ଚେକ୍‌ କରିଥିଲେ । ଚେକ୍‌ କରିବା ପରେ ଆକାଉଣ୍ଟରେ କିଛି ଟଙ୍କା ନଥିବା ଦେଖି ଯୁବକଜଣଙ୍କ ନେଇଥିବା ୨,୫୦୦ଟଙ୍କା ଲିଙ୍କୁ ଫେରାଇ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ଟଙ୍କା ଫେରାଇବା ପରେ ମଧ୍ୟ ଚୋରି ଉଦ୍ୟମ କରିଥିବାରୁ ପୁଲିସ ଯୁବକଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ଏ ସବୁ ଘଟଣା ଏଟିଏମ୍‌ ସେଣ୍ଟରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର