ଜେଜେ ଅଦାଲତରେ ଚୌକିଦାର, ବାପା ବିଚାରପତିଙ୍କ ଗାଡ଼ି ଚାଳକ, ଏବେ ପୁଅ ବିଚାରପତି ବନି ସୃଷ୍ଟି କଲେ ଉଦାହରଣ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୨୬ବର୍ଷୀୟ ଯୁବକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜିଲ୍ଲା ବିଚାରପତି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଏବେ ସେ ବିଚାରପତି ବନିବାକୁ ଯାଉଥିବା ବେଳେ ତାଙ୍କ ସଂଘର୍ଷ ଏବେ ସମସ୍ତଙ୍କୁ ପ୍ରେରଣା ଦେଇଛି । ନିଜ ବାପାଙ୍କ ସ୍ୱପ୍ନ ପୂରଣ କରି ଚେତନ ବିଜାଡ ଏବେ ଖୁସି ଥିବା କହିଛନ୍ତି । ଚେତନଙ୍କ ବାପା ଜଣେ ଜିଲ୍ଲା ବିଚାରପତିଙ୍କ ଗାଡ଼ିର ଚାଳକ ଥିବା ବେଳେ ତାଙ୍କ ଜେଜେ ଅଦାଲତରେ ଚୌକିଦାର ଥିଲେ । କିନ୍ତୁ ଚୌକିଦାର ବା ବିଚାରପତିଙ୍କ ଗାଡ଼ିର ଚାଳକ ହେବା ନେଇ ସ୍ୱପ୍ନ ଦେଖିବା ପରିବର୍ତ୍ତେ ଚେତନ ନିଜକୁ ବିଚାରପତି ବନାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ବୁଧବାର ଜିଲ୍ଲା ବିଚାରପତି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିବା ବେଳେ ଚେତନ ସର୍ବମୋଟ ମାର୍କ ୪୫୦ରୁ ୨୫୭.୫ମାର୍କ ରଖି ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଜଣା ପଡ଼ିଛି । ଏତେ ବଡ଼ ସଫଳତା ପରେ ଚେତନ ସାକ୍ଷାତକାର ଦେଇ କହିଛନ୍ତି, ମୋ ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋରର ଜିଲ୍ଲା ଅଦାଲତରେ ବିଚାରପତିଙ୍କ ଚାଳକ ଭାବେ କାମ କରିଥିଲେ । ମୋର ଜେଜେ ସେହି ଅଦାଲତରେ ଚୌକିଦାର ଭାବେ କାମ କରି ଅବସର ନେଇଥିଲେ । ତାଙ୍କ ୩ ପୁଅ ମଧ୍ୟରୁ ଜଣେ ବିଚାରପତି ବନନ୍ତୁ ବୋଲି ଛୋଟ ବେଳୁ ମୋ ବାପାଙ୍କର ଏକ ସ୍ୱପ୍ନ ଥିଲା । ଯାହା ମୁଁ ଆଜି ପୂରଣ କରିଛି ।
ସୂଚନା ମୁତାବକ, ଚେତନ ନିଜର ଚତୁର୍ଥ ପ୍ରୟାସରେ ଜିଲ୍ଲା ବିଚାରପତି ପରୀକ୍ଷାରେ ସଫଳ ହୋଇଛନ୍ତି । ବିଚାରପତି ପଦ ମିଳିବା ପରେ କେମିତି ଲୋକଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ମିଳିବ, ସେ ଦିଗ ପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ଚେତନ । ଚେତନଙ୍କୁ ଏତେ ବଡ଼ ସଫଳତା ମିଳିବା ପରେ ତାଙ୍କ ପୂରା ପରିବାର ଏବେ ଖୁସି ଥିବା ଜଣା ପଡ଼ିଛି ।