ପୁଣି ଜଣେ ଦସ୍ୟୁ ପାଲଟିଲେ ବାଲ୍ମିକୀ; ଏମିତି ଥିଲା ମାଓବାଦୀରୁ ମହାଦେବ ପୂଜାର ଯାତ୍ରା!

ରାଞ୍ଚି: ପୁରାଣ ଯୁଗର ଦସ୍ୟୁ ରତ୍ନାକରଙ୍କ କଥା ତ ଆପଣଙ୍କର ମନେ ଥିବ ନିଶ୍ଚୟ। ଦସ୍ୟୁର ସେ କିଭଳି ଭାବେ ବାଲ୍ମିକୀ ପାଲଟି ଯାଇଥିଲେ! ଏ ଯୁଗରେ ବି ସେପରି ଉଦାହାରଣ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ମାଓବାଦୀରୁ ହେଲେ ମହାଦେବଙ୍କ ଭକ୍ତ। ହିଂସା ଛାଡ଼ି ପୂଜାପାଠକୁ ଆପଣାଇ ନେଲେ ପୂର୍ବତନ ନକ୍ସଲ୍‌ ନେତା । ଏଭଳି ଏକ ଅବିଶ୍ୱସନୀୟ ଘଟଣାର ନାୟକ ହେଉଛନ୍ତି ମାଓ ଅଧ୍ୟୁଷିତ ଝାଡ଼ଖଣ୍ଡର ଦୀନବନ୍ଧୁ ସିଂଙ୍କ। ସେ ଦିନେ କରୁ ସିଂ ନାଁରେ ସେ କୁଖ୍ୟାତ ଥିଲେ ଲାଲ୍‌ କରିଡରରେ। ଆଜି ଆଧ୍ୟାତ୍ମିକତାର ପାଠ ପାଢ଼ାଇବା ସହ ପୂଜାପାଠରେ ସମୟ ବିତାଉଛନ୍ତି ଦୀନବନ୍ଧୁ।

ତେବେ ପୂର୍ବରୁ ଝାଡ଼ଖଣ୍ଡର ସଢ଼େଇକଳା ଅଂଚଳରେ ଆତଙ୍କ ଖେଳାଇ ଥିବା ଦୀନବନ୍ଧୁଙ୍କର ଆଜି ବଦଳିଯାଇଛି ଜୀବନଚର୍ଯ୍ୟା। ୨୦୦୫ ମସିହାରେ ଦିନବନ୍ଧୁ ଆତ୍ମସମର୍ପଣ କରିବା ପରେ ୨୦୧୨ ମସିହା ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିଥିଲେ। ଆଉ ଜେଲ୍‌ ଭିତରେ ହିଁ ତାଙ୍କର ହୃଦୟ ପରିବର୍ତନ ହୋଇଥିଲା। ଏହା ପରେ ଦଲମା ଫେରି ପାହାଡ଼ିଆ ଅଂଚଳରେ ଆଶ୍ରମ କରି ରହିଥିଲେ।

ସମୟକ୍ରମେ ଶ୍ରଦ୍ଧାଳୁଙ୍କ ନିକଟରେ ଦୀନବନ୍ଧୁ ଘଂଟା ବାବା ନାଁରେ ପରିଚିତ ହୋଇଥିଲେ। ତାଙ୍କ ଆଶ୍ରମକୁ ଏବେ ଝାଡ଼ଖଣ୍ଡ ବ୍ୟତୀତ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସୁଥିବା ଦେଖିବାକୁ ମିଳିଛି। ହିଂସାର ବାଟ ଛାଡ଼ି ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବା ଅନ୍ୟମାନଙ୍କ ପାଇଁ ପ୍ରେରଣା ବନିଛନ୍ତି।

ସମ୍ବନ୍ଧିତ ଖବର