ସାତ ବର୍ଷପରେ ପୁଣି ବାହା ହେବେ ପୂର୍ବତନ ପତି-ପତ୍ନୀ

ସେ ଦୁହେଁ ଥିଲେ ପତି-ପତ୍ନୀ। ପ୍ରାୟ ସାତ ବର୍ଷ ତଳେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ପତି-ପତ୍ନୀ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବା ହେତୁ ପତ୍ନୀଙ୍କ ପିତାମାତା ସେମାନଙ୍କର ବିବାହ ବିଚ୍ଛେଦ କରାଇଥିଲେ ଓ ତା’ପରେ ଝିଅକୁ ଜୀବନରୁ ମାରିଦେବାର ଧମକ ବି ଦେଇଥିଲେ ବାପା ମାଆ।
୨୦୧୨ରେ ଉଭୟଙ୍କର ଛାଡ଼ପତ୍ର ହେବା ପରଠୁଁ ଉକ୍ତ ଯୁବତୀଙ୍କୁ ଘରେ ବାପା ମାଆ ବନ୍ଦୀ କରି ରଖିଥିିଲେ। ଆଠ ବର୍ଷ ତଳେ ଦୁହେଁ ଜୟପୁରରେ ବି ଟେକ୍‌ କରୁଥିଲେ। ସେତେବେଳେ ଉଭୟେ ପରସ୍ପରକୁ ଭଲ ପାଇ ବସିଥିଲେ। ଉଭୟେ ବାପା ମାଆଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଜଣାଇଥିଲେ। କିନ୍ତୁ ଝିଅଙ୍କ ବାପା ମାଆ ରାଜି ହୋଇନଥିଲେ।
ଏହାପରେ ୨୦୧୧ ଏପ୍ରିଲ ମାସରେ ସେ ଦୁହେଁ ଆର୍ଯ୍ୟସମାଜ ମନ୍ଦିରରେ ବିବାହ କରିଥିଲେ। ସେହି ବର୍ଷ ନଭେମ୍ବର ମାସରେ ଝିଅର ବାପା ଖବର ଦେଲେ ଯେ ମାଆଙ୍କର ହୃଦଘାତ ହୋଇଛି। ଏଣୁ ଝିଅ ଘରକୁ ଚାଲିଆସିଲେ। କିନ୍ତୁ ଘରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଏ ଖବର ସଂପୂର୍ଣ୍ଣ ମିଥ୍ୟା। ତା’ପରେ ଯୁବତୀଙ୍କୁ ଘରେ ବନ୍ଦୀ କରି ରଖାଗଲା। ଜବରଦସ୍ତି ସ୍ୱାମୀଙ୍କଠାରୁ ଛାଡପତ୍ର ବି କରାଇ ନିଆଗଲା।
୨୦୧୮ ଅକ୍ଟୋବର ୨୩ ତାରିଖରେ ଯୁବତୀ ଘରୁ ଖସିଯିବାର ପ୍ରୟାସ କରି ଅସଫଳ ହୋଇଥିଲେ,କିନ୍ତୁ ସେ କୌଣସିମତେ ପୂର୍ବତନ ସ୍ୱାମୀଙ୍କ ସହିତ ଫୋନ୍‌ ଯୋଗେ ସଂପର୍କ ରଖିବାର ସଫଳ ହେଲେ। ତା’ପରେ ପୂର୍ବତନ ସ୍ୱାମୀ ଦିଲ୍ଲୀ ମହିଳା କମିଶନ୍‌ଙ୍କର ହେଲପଲାଇନ୍‌ରେ ଏ ଘଟଣା ସଂପର୍କରେ ସୂଚନା ଦେଲେ।


ତା’ପରେ ପୂର୍ବତନ ସ୍ୱାମୀ ନିଜର ପୂର୍ବ ପତ୍ନୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଲେ ଓ ସେ ଦୁହେଁ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାର ଯୋଜନା କରୁଛନ୍ତି।

ସମ୍ବନ୍ଧିତ ଖବର