ପ୍ରେମୀଯୁଗଳଙ୍କର ବାହାଘର କରାଇଲେ ଥାନା ଅଧିକାରୀ ଏବଂ ଦେଲେ ଏହି ଉପହାର

କାନପୁର: ଉତ୍ତରପ୍ରଦେଶର ସଚେଣ୍ଡି ଥାନା ପରିସରରେ ଥିବା ମନ୍ଦିରରେ ଏକ ପ୍ରେମୀଯୁଗଳଙ୍କର ବାହାଘର କରାଇଛନ୍ତି ଥାନା ଅଧିକାରୀ। ଥାନା ପରିସରରେ ଥିବା ମନ୍ଦିରରେ ମନ୍ତ୍ରୋଚ୍ଚାରଣ ପୂର୍ବକ ଏହି ବିବାହ ସଂପନ୍ନ ହୋଇଥିଲା। ଥାନା ଅଧିକାରୀ ରାଘବେନ୍ଦ୍ର ସିଂହ ଓ ତାଙ୍କର ପତ୍ନୀ ପୁନମ୍‌ଙ୍କ ସହିତ ଅନ୍ୟାନ ପୁଲିସ କର୍ମଚାରୀମାନେ ବର-କନ୍ୟାଙ୍କୁ ଆର୍ଶୀବାଦ ଦେଇଥିଲେ। ଥାନା ଅଧିକାରୀ ବର କନ୍ୟାଙ୍କୁ କିଛି ପାତ୍ର ଏବଂ କପଡା ବି ଦାନ କରିଥିଲେ।
ସଚେଣ୍ଡି ଥାନା ଅଞ୍ଚଳର ଶିବା ଏକ ଫଳ ବ୍ୟବସାୟୀ। ସେ ସେହି ଅଞ୍ଚଳର ଲକ୍ଷ୍ମୀ ନାମ୍ନୀ ଯୁବତୀକୁ ଗତ ଆଠ ବର୍ଷ ହେବ ପ୍ରେମ କରୁଥିଲା। ବର୍ଷେ ପୂର୍ବେ ସେ ଦୁହେଁ ପ୍ରେମ ବିବାହ କରିବାର ନିଷ୍ପତ୍ତି ଦେଇଥିଲେ। କିନ୍ତୁ ଲକ୍ଷ୍ମୀର ପରିବାର ଲୋକେ ଏହି ବାହାଘରକୁ ସମ୍ମତି ଜଣାଇଲେ ନାହିଁ। ଏହାପରେ ସେ ଦୁହେଁ ମାର୍ଚ୍ଚ ମାସରେ ଆର୍ଯ୍ୟସମାଜ ମନ୍ଦିରରେ ବିବାହ କରିଥିଲେ ଓ ତା’ପରେ ଦୁହେଁ ନିଜ ନିଜ ଘରକୁ ଚାଲିଗଲେ। ଏହି ବାହାଘର କଥା ଦୁଇ ପରିବାର ଜାଣିପାରିନଥିଲେ।

ଗତ ଶୁକ୍ରବାର ଦିନ ଲକ୍ଷ୍ମୀ ଲାଲ ଶାଢୀ ପିନ୍ଧି ଶିବା ଘରେ ପହଞ୍ଚିଗଲା। ସେ ଶିବାର ଘର ଲୋକଙ୍କୁ ସବୁ କଥା କହିଲା,ହେଲେ ଶିବା ଘର ଲୋକେ ସେଥିରେ ସହମତ ହେଲେ ନାହିଁ। ତା’ପରେ ମାମଲା ଥାନାକୁ ଆସିଥିଲା। ଥାନା ଅଧିକାରୀ ଉଭୟ ପକ୍ଷକୁ ବୁଝାଶୁଝା କରି ଥାନା ପରିସରରେ ଥିବା ମନ୍ଦିରରେ ବାହାଘରର ଆୟୋଜନ କରିଥିଲେ। ବାହାଘର ପରେ ମିଷ୍ଟାନ୍ନ ବଣ୍ଟାଗଲା।

ସମ୍ବନ୍ଧିତ ଖବର