ଏମ୍‌ବିଏ ପାଠ ପଢ଼ି ବଡ଼ କମ୍ପାନିରେ ଚାକିରି କରିଥିଲେ ମଧ୍ୟ ମୁମ୍ବାଇରେ ପୋହା ଷ୍ଟଲ ଖୋଲିଛନ୍ତି ଦମ୍ପତି, ଜାଣନ୍ତୁ କାରଣ…

ମୁମ୍ବାଇ: ମୁମ୍ବାଇର କାନ୍ଦିବାଲି ଷ୍ଟେସନ ବାହାରେ ସବୁଦିନ ସକାଳୁ ଜଣେ ଦମ୍ପତି ପୋହା ଷ୍ଟଲ ଲଗାଇଥାନ୍ତି । ଭୋର୍‌ ୪ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଏହି ଦମ୍ପତି ଲୋକଙ୍କୁ ପୋହା ଖାଇବାକୁ ଦେବା ପରେ ଦୁହେଁ ନିଜ ନିଜର କର୍ମସ୍ଥାନକୁ ଚାଲି ଯାଆନ୍ତି । ଦୁହେଁ ଏମ୍‌ବିଏ କରିଥିବା ବେଳେ ବଡ଼ କମ୍ପାନିରେ ଚାକିରି କରୁଥିବା ଜଣା ପଡ଼ିଛି । ଏତେ ବଡ଼ କମ୍ପାନିରେ ଚାକିରି କରି ମଧ୍ୟ ଦୁହେଁ କ’ଣ ପାଇଁ ପୋହା ଷ୍ଟଲ ଚଳାଉଛନ୍ତି, ତାହା ଆପଣ ଭାବୁଥିବେ ନିଶ୍ଚୟ । ତେବେ ସେ ନିଜର ୫୫ବର୍ଷୀୟ ଗୃହ ସହାୟିକାଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି କରୁଥିବା ଜଣା ପଡ଼ିଛି । ପୋହା ଷ୍ଟଲରୁ ହେଉଥିବା ସମସ୍ତ ଆୟ ସେ ନିଜର ସହାୟିକାଙ୍କୁ ଦେଇଥାନ୍ତି ବୋଲି ସାମ୍ନାକୁ ଆସିଛି । ଅଶ୍ୱିନୀ ରୋନୟ ଶାହା ଓ ତାଙ୍କ ସ୍ୱାମୀ ସକାଳ ୪ଟାରୁ ୧୦ଟା ପର୍ଯ୍ୟନ୍ତ ପୋହା, ଉପମା ଓ ପରଟା ବିକ୍ରି କରିଥାନ୍ତି ।

ଦିପାଲୀ ଭାଟିଆ ନାମକ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଦମ୍ପତିଙ୍କ କାହାଣୀ ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ନିଜ ପୋଷ୍ଟରେ ଦିପାଲୀ ଲେଖିଛନ୍ତି, ମୁମ୍ବାଇ ଭଳି ଚଳଚଞ୍ଚଳ ଭରା ସହରରେ ଯେଉଁଠି ଲୋକମାନଙ୍କୁ ଅଟକିବା ବା କାହା ବିଷୟରେ ଚିନ୍ତା କରିବା ପାଇଁ ସମୟ ନାହିଁ, ସେହି ସହରରେ ଏହି ଦମ୍ପତି ନିଜଠାରୁ ଅଧିକ ଅନ୍ୟ ବିଷୟରେ ଭାବୁଛନ୍ତି । ଅକ୍ଟୋବର ୨ରେ ମୁଁ କିଛି ସ୍ୱାଦିଷ୍ଟ ଖାଇବା ଖୋଜୁଥିଲି । ଏହି ସମୟରେ ମୁଁ ଏକ ଛୋଟ ପୋହା ଷ୍ଟଲରେ ପହଞ୍ଚିଥିଲି । ଯେଉଁଠି ପୋହା, ଉପମା,ପରଟା ଓ ଇଡ୍‌ଲୀ ବିକ୍ରି ହେଉଥିଲା । ସେଠାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ରାସ୍ତା ଉପରେ କାହିଁକି ବିକ୍ରି କରୁଛ ବୋଲି ପଚାରିଥିଲି । ଯାହା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା ।

ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟ ଦମ୍ପତିଙ୍କ ଘରେ ଥିବା ଗୃହ ସହାୟିକା ତିଆରି କରନ୍ତି । ପୂର୍ବରୁ ଗୃହ ସହାୟିକାଙ୍କ ସ୍ୱାମୀ ଏହାକୁ ବିକ୍ରି କରୁଥିବା ବେଳେ ପରେ ତାଙ୍କର ପକ୍ଷାଘାତ ହେବାରୁ ସେ ରାସ୍ତା କଡ଼ରେ ବିକ୍ରି କରି ପାରି ନଥିଲେ । ଏହା ଜାଣି ଦମ୍ପତି ନିଜେ ଯାଇ ରାସ୍ତା କଡ଼ରେ ଖାଦ୍ୟ ବିକ୍ରି ତାଙ୍କୁ ଆର୍ଥିକ ସହାୟତା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର