ଭାରତରେ ମହଙ୍ଗା ହେବାକୁ ଯାଉଛି ମେଡିକାଲ ଚିକିତ୍ସା, ଜାଣନ୍ତୁ କାହିଁକି?

ଭାରତରେ ମହଙ୍ଗା ହେବାକୁ ଯାଉଛି ମେଡିକାଲ ଚିକିତ୍ସା। ଏହାର ମୁଖ୍ୟ କାରଣ ସାଜିଛି ଟଙ୍କାର ମୂଲ୍ୟ ହ୍ରାସ। ଦିନକୁ ଦିନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଚାଲିଛି। ଏପରିକି ଏବେ ୧ ଡଲାରର ମୂଲ୍ୟ ୭୨ ଟଙ୍କାରେ ପହଞ୍ଚିଛି। ତେବେ ବାରମ୍ବାର ଡଲାରର ମୂଲ୍ୟ ବୃଦ୍ଧି ଫଳରେ ଭାରତରେ ମେଡିକାଲ ଚିକିତ୍ସା ମହଙ୍ଗା ହେବାକୁ ଯାଉଛି। କାରଣ ଟଙ୍କାର ମୂଲ୍ୟ ହ୍ରାସ ଫଳରେ ବିଭିନ୍ନ ଚିକିତ୍ସା ସରଞ୍ଜାମର ଦର ଅହେତୁକ ଭାବେ ବୃଦ୍ଧି ପାଇବ। ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିବ।

ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦.୭ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ୟୁରୋ ତୁଳନାରେ ୭.୬ ପ୍ରତିଶତ ହ୍ରାସ ପାଇଛି। ଯାହାପାଇଁ ମେଡିକାଲ ସରଞ୍ଜାମ ଗୁଡିକର ଦରରେ ବୃଦ୍ଧି ପାଇବ ଓ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ତେବେ ମେଡିକାଲ ଇଣ୍ଡଷ୍ଟ୍ରୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ଏହି ଚିକିତ୍ସା ସରଞ୍ଜାମର ଦର ବୃଦ୍ଧି ହୋଇଛି ସତ କିନ୍ତୁ ଏବେ ଏହାର ଭରଣା କମ୍ପାନୀ ପକ୍ଷରୁ କରାଯାଉଛି।

ସାଧାରଣତଃ ଭାରତର ୮୦ ପ୍ରତିଶତ ଚିକିତ୍ସା ସରଞ୍ଜାମ ଆମେରିକାରୁ କିଣାଯାଇଥାଏ। ତେଣୁ ଟଙ୍କାର ମୂଲ୍ୟ ବୃଦ୍ଧି ଫଳରେ ଚିକିତ୍ସା ସରଞ୍ଜାମର ଦର ବୃଦ୍ଧି ପାଇବା ସ୍ୱାଭାବିକ। ତେବେ ଏସବୁ ଭିତରେ କାର୍ଡିଏକ ସେଣ୍ଟସ ଓ ଅନ୍ୟ ଉପକରଣର ଦର ସରକାରଙ୍କ ପକ୍ଷରୁ ର୍ନିଦ୍ଧାରଣ କରାଯାଇଛି। ଯାହାର ଦରକୁ ବୃଦ୍ଧି କରିବା ପାଇଁ କମ୍ପାନିଗୁଡିକୁ ସରକାରଙ୍କ ନିକଟରୁ ଅନୁମତି ନେବାକୁ ପଡିବ। ଏବେ ଏହିସବୁ ଉପକରଣର ଦର ବୃଦ୍ଧି କରିବା ସପକ୍ଷରେ ସରକାର ନାହାନ୍ତି। ତେବେ ମେଡିକାଲ ଆସୋସିଏସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହିସବୁ ଉପକରଣ ଉପରୁ କଷ୍ଟମ ଡ୍ୟୁଟି କମାଇବାକୁ ସ୍ୱାସ୍ଥ୍ୟ ଓ ଅର୍ଥ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଏବେ ଏହିସବୁ ଉପକରଣ ଉପରେ ୮ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ନିଆଯାଉଛି।

ସମ୍ବନ୍ଧିତ ଖବର