ନିଜ ଜୀବନକୁ ବିପଦରେ ପକାଇ ଜଳମଗ୍ନ ପୋଲରେ ଆମ୍ବୁଲାନ୍ସକୁ ବାଟ ଦେଖାଇଥିଲେ, ଏବେ ମିଳିଲା ରାଷ୍ଟ୍ରୀୟ ସାହସିକତା ପୁରସ୍କାର

ନୂଆଦିଲ୍ଲୀ: ଲଗାଣ ବର୍ଷା ପାଇଁ ଅଗଷ୍ଟ ୨୦୧୯‌ରେ କର୍ଣ୍ଣାଟକର ସ୍ଥିତି ସଙ୍ଗୀନ୍‌ ହୋଇ ପଡ଼ିଥିଲା । ବନ୍ୟା ଯୋଗୁଁ ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବା ସହ ଚାରିଆଡ଼େ ବନ୍ୟାଜଳ ଭରି ରହିଥିବାରୁ ଘରୁ ବାହାରକୁ ବାହାରିବା ସମ୍ଭବ ନ ଥିଲା। ଏଭଳି ପରିସ୍ଥିତିରେ ୧୨ବର୍ଷୀୟ ଭେଙ୍କଟେଶ ସାହସିକତାର ଉଦାହରଣ ଦେଖାଇଥିଲେ । ବନ୍ୟା ଜଳକୁ ଖାତିର୍‌ ନ କରି ସେ ଏକ ମୃତଦେହକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ବାଟ କଢ଼ାଇଥିବାର ଭିିଡିଓ ଭାଇରାଲ ହୋଇଥିଲା। ଏବେ ତାଙ୍କର ସେହି ସାହସକୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏତେ କମ ବୟସରେ ଏଭଳି କାମ କରିଥିବାରୁ ତାଙ୍କୁ ରାଷ୍ଟ୍ରୀୟ ବୀରତା ପୁରସ୍କାରରେ ସମ୍ମାନିତ କରାଯାଇଛି। ସାଧାରଣତନ୍ତ୍ର ଦିବସ  ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଅ‌ାୟ‌ୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଭେଙ୍କଟେଶଙ୍କୁ ସମ୍ମାନିତ କରାଯାଇଛି।

indiatimes.com

୧୦ଜଣ ଝିଅଙ୍କ ସମେତ ୨୨ଜଣଙ୍କୁ ଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୨ଜଣଙ୍କ ମଧ୍ୟରୁ ଭେଙ୍କଟେଶଙ୍କୁ ରାଷ୍ଟ୍ରୀୟ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଇଏଏସ ଅଫିସର ପି.ମଣିବନ୍ନନ ମହିଳା ଓ ଶିଶୁ ବିକାଶ ବିଭାଗକୁ ବୀରତା ପୁରସ୍କାର ପାଇଁ ଭେଙ୍କଟେଶଙ୍କ ନାଁ ସୁପାରିସ୍ କରିଥିଲେ। ଯାହା ପରେ ତାଙ୍କୁ ଏହି ସମ୍ମାନ ମିଳିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୪, ୨୦୧୯ରେ ଭେଙ୍କଟେଶଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଇଥିଲା କି, ଏକ ଓଭରବ୍ରିଜ୍ ଉପରେ ବନ୍ୟାଜଳ ମାଡ଼ିଯାଇଥିବାରୁ ଆମ୍ବୁଲାନ୍ସଟି ଅଟକି ରହିଥିଲା। ବାଟ ଜାଣି ପାରୁ ନଥିବାରୁ ଚାଳକଜଣଙ୍କ ଗାଡ଼ି ଅଟକାଇବା ପରେ ଭେଙ୍କଟେଶ ଏହା ଦେଖି ତୁରନ୍ତ ଗାଡ଼ି ଆଗେ ଆଗେ ଦୌଡ଼ିବା ଆରମ୍ଭ କରୁଥିଲେ। ଯାହା ପରେ ଆମ୍ବୁଲାନ୍ସ ଚାଳକଜଣଙ୍କ ଭେଙ୍କଟେଶଙ୍କ ସାହାଯ୍ୟରେ ଓଭରବ୍ରିଜ୍ ପାର ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର