ଏହି ଆପ୍‌ ବ୍ୟବହାର ଦ୍ୱାରା ମାସିକ ଧର୍ମ ସମୟରେ ମହିଳାଙ୍କ ଯନ୍ତ୍ରଣା କମ୍‌ ହେବ

ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମହିଳାମାନଙ୍କୁ ଆଉ ପେନ୍‌ କିଲର୍‌ ଖାଇବାକୁ ପଡ଼ିବ ନାହିଁ। ଏଣିକି ଆପ୍‌ ଜରିଆରେ ବି ଦୂରେଇ ହେବ କଷ୍ଟ। ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଆକ୍ୟୁପ୍ରେସର୍‌ ଦ୍ୱାରା ବିଭିନ୍ନ ଶରୀର ପୀଡ଼ା ଦୂର ହୋଇଥାଏ। ଏବେ ଏପରି ଏକ ସ୍ମାର୍ଟଫୋନ ଆପ୍‌ ବାହାରିଛି ଯାହା ଦ୍ୱାରା ମହିଳା ମାନଙ୍କର ମାସିକ ଧର୍ମ ସମୟର ଯନ୍ତ୍ରଣା କମ୍‌ ହୋଇପାରିବ। ଏଥିପାଇଁ ଗବେଷକମାନେ ୨୨୧ ଜଣ ମହିଳାଙ୍କୁ ନେଇ ଏକ ଗବେଷଣା କରିଥିଲେ। ଗବେଷଣା ଶେଷରେ ଜାଣିବାକୁ ମିଳିଲା ଯେ ଯେଉଁ ମହିଳାମାନେ ଆକ୍ୟୁପ୍ରେସର୍‌ ଆପ୍‌ ବ୍ୟବହାର କରୁଥିଲେ ସେମାନେ ଆପ୍‌ ବ୍ୟବହାର କରୁ ନ ଥିବା ମହିଳାଙ୍କ ଅପେକ୍ଷା ମାସିକ ଧର୍ମ ସମୟରେ କମ୍‌ ଯନ୍ତ୍ରଣା ପାଉଥିଲେ।

ସୁଇଜରଲାଣ୍ଡ୍‌ରେ ଥିବା ଇନ୍‌ଷ୍ଟିଟିଉଟ୍‌ ଅଫ୍‌ କମ୍ପ୍ଲିମେଣ୍ଟାରି ଆଣ୍ଡ୍‌ ଇଣ୍ଟିଗ୍ରେଟିଭ୍‌ ମେଡିସିନ୍‌ ଆଟ୍‌ ଦ ୟୁନିଭରସିଟି ଅଫ୍‌ ଜୁରିକ୍‌ର ଡାକ୍ତର ତଥା ବରିଷ୍ଠ ଲେଖକ ଡ. କ୍ଲାଉଡିଆ ଓ୍ଵିଟ୍‌ କହିଛନ୍ତି, ‘ପେନ୍‌ କିଲର୍‌ ଖାଇ ଯନ୍ତ୍ରଣା କମାଇବା ଅପେକ୍ଷା ଆପ୍‌ ଜରିଆରେ ଆକ୍ୟୁପ୍ରେସର୍‌ ପଦ୍ଧତିରେ ଯନ୍ତ୍ରଣା କମାଇବା ଅନେକ ଗୁଣରେ ଭଲ। ଏଥିରେ କୌଣସି ପାର୍ଶ୍ୱ କୁପ୍ରଭାବ ନାହିଁ।

ତେବେ,ଯେଉଁ ମହିଳାମାନଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା ସେମାନଙ୍କ ବୟସ ମୁଖ୍ୟତଃ ୨୦ରୁ ୪୦ ମଧ୍ୟରେ ରହିଥିଲା। ସେମାନେ ସମସ୍ତେ ନିଜ ସ୍ମାର୍ଟଫୋନ୍‌ରେ କିପରି ଆପ୍‌ ବ୍ୟବହାର କରିବେ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେଇଥିଲେ ଏ ସଂପର୍କରେ ଗବେଷକ ଆମେରିକାନ ଜର୍ଣ୍ଣାଲ ଅଫ୍‌ ଅବ୍‌ଷ୍ଟେଟ୍ରିକ୍‌ସ ଆଣ୍ଡ୍‌ ଗାଇନେକୋଲୋଜିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର