‘ନୀଳାଦ୍ରିବିଜେ’ର ବାର୍ତ୍ତା : ପୂର୍ଣ୍ଣ ରହିଥାଉ ଏ ଜାତିର ବଡ଼ଦେଉଳ !

ରଥ କଥା/ ଅସିତ ମହାନ୍ତି

ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀମନ୍ଦିରକୁ ଫେରିବାର ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ‘ସ୍ନାନଯାତ୍ରା’ ଦିନ ସେମାନେ ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ିଥାଆନ୍ତି ଏବଂ ଏହିଦିନ ରତ୍ନବେଦିକୁ ଫେରିଆସନ୍ତି । ବାକି ସାରାବର୍ଷ ସେମାନେ ରତ୍ନସିଂହାସନରେ ହିଁ ବିରାଜମାନ ଥାଆନ୍ତି ।

ଏବେ ଏହି ନୀତି ବର୍ଷକୁ ଥରେ ହେଉଛି । ସେଥିପାଇଁ ମାସ ଓ ତିଥି ମଧ୍ୟ ନିର୍ଦ୍ଧାରିତ ଅଛି । କିନ୍ତୁ ଦିନ ଥିଲା, ଏହାର କୌଣସି ନିର୍ଦ୍ଦିଷ୍ଟତା ନଥିଲା । କାରଣ, ଶ୍ରୀମନ୍ଦିର ଉପରେ ବାରମ୍ବାର ବାହାରର ଶତ୍ରୁଙ୍କର ଆକ୍ରମଣ ହେଉଥିଲା । ସେତେବେଳେ ସେବକମାନେ ନିଜର ପ୍ରିୟ ପ୍ରଭୁଙ୍କୁ ନେଇ ଯାଉଥିଲେ ନିରାପଦ ସ୍ଥାନକୁ । ଶ୍ରୀମନ୍ଦିର ଉପରେ ବିପଦ ଟଳିବା ପରେ ପୁଣି ଠାକୁରମାନଙ୍କୁ ବାହୁଡ଼ାଇ ଆଣୁଥିଲେ ରତ୍ନସିଂହାସନକୁ । ତାହା ମଧ୍ୟ ଥିଲା ‘ନୀଳାଦ୍ରିବିଜେ’ । ‘ମାଦଳା ପାଞ୍ଜି’ରେ ବର୍ଣ୍ଣିତ ‘ରକ୍ତବାହୁ’ର ଆକ୍ରମଣଠାରୁ ଆରମ୍ଭ କରି, ମୋଗଲ ଶାସନ କାଳର ଆକ୍ରମଣ ପର୍ଯ୍ୟନ୍ତ ଏପରି ଅନେକ ‘ନୀଳାଦ୍ରିବିଜେ’ର କାହାଣୀ ଓଡ଼ିଶା ଇତିହାସରେ ଲିପିବଦ୍ଧ ଅଛି ।

ଏପରି ଗୋଟିଏ ଘଟଣା ଘଟିଥିଲା ୧୭୩୩ ମସିହାରେ, ଯେତେବେଳେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ତାହା ଥିଲା ମୋଗଲ ଶାସନର ସମୟ । ସେଦିନର ଗଜପତି ମହାରାଜା ଥିଲେ ଦ୍ୱିତୀୟ ରାମଚନ୍ଦ୍ର ଦେବ (୧୭୨୭-୧୭୩୬) । ସେତେବେଳେ, ଠାକୁରମାନଙ୍କୁ ଗଞ୍ଜାମ ଜିଲ୍ଲାର ମାରଦାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଠାକୁରମାନଙ୍କ ପାଇଁ ଯେଉଁ ମନ୍ଦିର ତିଆରି କରାଯାଇଥିଲା, ତାହା ଏବେ ବି ରହିଛି । ଠାକୁରମାନେ ସେତେବେଳେ ଯେଉଁ ଚକା (ପଥରର ବଇଠି) ଉପରେ ପୂଜା ପାଉଥିଲେ, ତାହା ସେଠାରେ ଆଜି ବି ପୂଜା ଯାଉଛି । ସେଠାରୁ ଠାକୁରମାନେ ଫେରି ୧୭୩୫ରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ । ତାହାହିଁ ଥିଲା ବୈଦେଶିକ ଆକ୍ରମଣ ସହ ଯୋଡ଼ା ହୋଇଥିବା ଶେଷ ‘ନୀଳାଦ୍ରିବିଜେ’ । ଏହାକୁ ନେଇ ବିଶିଷ୍ଟ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ‘ନୀଳାଦ୍ରିବିଜୟ’ ନାମରେ ଗୋଟିଏ ଉପନ୍ୟାସ ଲେଖିଛନ୍ତି । ତାହା ତାଙ୍କ ‘ନୀଳଶୈଳ’ ଉପନ୍ୟାସର ଉତ୍ତରପର୍ବ । ତାହା ପରେ ଆସିଥିଲା ମରହଟ୍ଟା ଶାସନ । ମରହଟ୍ଟାଶାସକ ରଘୁଜୀ ଭୋଁସଲା ବା ତାଙ୍କ ପ୍ରତିନିଧି ମୀର୍‍ ହବିବ୍‍ଙ୍କ ସମୟରୁ ଶ୍ରୀମନ୍ଦିର ଉପରେ ଆଉ ଆକ୍ରମଣ ହୋଇନଥିଲା ।

ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳାଦ୍ରି ବିଜୟ’ ପରି, ଆମ ସାହିତ୍ୟରେ ନୀଳାଦ୍ରିବିଜେର ଅନେକ ଚିତ୍ର ଅଛି । ବହୁ ଓଡ଼ିଆକବି ଏହାକୁ ନେଇ କାବ୍ୟ ରଚନା କରିଛନ୍ତି । କିନ୍ତୁ ପ୍ରତି ଓଡ଼ିଆ ଘରେ ସୁପରିଚିତ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’କୁ ଆମେ ଏ ବାବଦରେ ପ୍ରଥମ ନିଦର୍ଶନ ଭାବରେ ନେଇପାରିବା ।
‘ଲକ୍ଷ୍ମୀପୁରାଣ’ ଅନୁସାରେ, ମାର୍ଗଶିର ମାସ ଗୁରୁବାରରେ ଦେବୀ ଲକ୍ଷ୍ମୀ ନଗର ଭ୍ରମଣରେ ଯାଇ ଶ୍ରୀୟା ଚଣ୍ଡାଳୁଣୀ ଘରେ ପୂଜା ଘେନିଥିଲେ । ତାହା ଜାଣି ବଡ଼ଠାକୁର ବଳଭଦ୍ର କ୍ଷୁବ୍ଧ ହେଲେ । ସାନଭାଇ ଶ୍ରୀଜଗନ୍ନାଥଙ୍କୁ କହି ତାଙ୍କୁ ବଡ଼ଦେଉଳରୁ ତଡ଼ି ଦେଲେ । ଘଟଣାକ୍ରମେ, ଲକ୍ଷ୍ମୀଛଡ଼ା ହୋଇ ଦୁଇ ଭାଇ ବହୁ ହଇରାଣ ହରକତ ହେଲେ । ଖାଇବାକୁ ଗଣ୍ଡିଏ କୋଉଠୁ ହେଲେ ପାଇଲେ ନାହିଁ । ଶେଷରେ ଯାଇ ସମୁଦ୍ର ତଟରେ ଦିବ୍ୟ ଘର ତୋଳି ରହିଥିବା ଲକ୍ଷ୍ମୀଦେବୀଙ୍କର ଅତିଥି ହେଲେ । ବିବାଦ ମଧ୍ୟ ତୁଟିଲା । ସ୍ଥିର ହେଲା ଯେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଜାତିଭେଦ ରହିବ ନାହିଁ । ଚଣ୍ଡାଳ, ବ୍ରାହ୍ମଣ ସମସ୍ତେ ଏକାଠି ମହାପ୍ରସାଦ ସେବନ କରିବେ । ତାହା ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଦେବୀ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଥିଲେ । ଏହା ହେଉଛି ଆମ ସାହିତ୍ୟରେ ବର୍ଣ୍ଣିତ ପ୍ରଥମ ‘ନୀଳାଦ୍ରିବିଜେ’ ।

ଏ ସଂପର୍କରେ ଉଲ୍ଲେଖନୀୟ ବିଷୟ ଏହି ଯେ ଏ ‘ନୀଳାଦ୍ରିବିଜେ’ରେ ଶ୍ରୀବଳଭଦ୍ର ‘ତାଳଧ୍ୱଜ’ ରଥରେ ଓ ଦେବୀ ସୁଭଦ୍ରା ‘ବିଜୟା’ ରଥରେ ଶ୍ରୀମନ୍ଦିରକୁ ବାହୁଡ଼ିଥିବା ବେଳେ, ଶ୍ରୀଜଗନ୍ନାଥ ଦେବୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଗରୁଡ଼ ପିଠିରେ ଫେରିଥିଲେ । ଏହି ‘ଲକ୍ଷ୍ମୀପୁରାଣ’ ଏବେ ସୁସଂପାଦିତ ହୋଇ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଛି । ବଳରାମ ଦାସ ଅତି ସୁନ୍ଦର ଭାବରେ ‘ଲକ୍ଷ୍ମୀପୁରାଣ’ର ୬୪୫-୬୪୭ ପଦରେ ବର୍ଣ୍ଣନା କରି କହିଛନ୍ତି-
“ଜଗନ୍ନାଥେ କହୁଛନ୍ତି ବଳରାମେ ରାଇ ।
ଲକ୍ଷ୍ମୀ ଯେ ୟେଡ଼େକ ଜଣ ଏବେ ଜାଣିଲଇଂ ।।
ତାଳଧ୍ୱଜ ରଥରେ ଯେ ବିଜୟେ ହଳପାଣି ।
ପ୍ରବେଶ ହୋଇଲେ ବଡ଼ ଦେଉଳରେ ପୁଣି ।।
ବିଜୟା ରଥରେ ଯେ ସୋଭୋଦ୍ରା ବିଜେ କଲେ ।
ଗରୁଡ଼ ପୃଷ୍ଠରେ ଜଗନ୍ନାଥ କମଳାଙ୍କୁ ନେଲେ ।।”
ଇତିହାସରେ ଲିପିବଦ୍ଧ ଓ ସାହିତ୍ୟରେ ବର୍ଣ୍ଣିତ ଏହିସବୁ ‘ନୀଳାଦ୍ରିବିଜେ’ ବ୍ୟତୀତ, ଏବେ ପ୍ରତିବର୍ଷ ଶ୍ରୀମନ୍ଦିରରେ ‘ନୀଳାଦ୍ରିବିଜେ’ ନୀତି ହେଉଛି । ଏହା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ‘ନୀଳାଦ୍ରିବିଜେ’ । କାରଣ, ଏହା କ୍ରମାଗତ ଭାବରେ ଓ ବିଧିମତେ ଅନୁଷ୍ଠିତ ହୋଇ, ଶ୍ରୀଜଗନ୍ନାଥ ଚେତନାର ଏକ ଦୃଢ଼ ଭିତ୍ତି ପ୍ରତିଷ୍ଠା କରିଛି ।

ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ିଥିବା ଠାକୁରମାନେ ଏହିଦିନ ରତ୍ନବେଦିକୁ ଫେରନ୍ତି । ଏଣୁ, ଏହାହିଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ ବୋଲି ସ୍ୱୀକୃତ ହୋଇଆସିଛି । ବିଧି ଅନୁସାରେ ଏହା ପାଳିତ ହୁଏ ବର୍ଷକୁ ଥରେ । ସେଥିପାଇଁ, ଯେପରି କୁହାଯାଏ- ‘ଚକେ ଗଲେ ବାରହାତ’, ସେପରି ମଧ୍ୟ କୁହାଯାଏ, ପୁଣି ‘ନୀଳାଦ୍ରିବିଜେ’ ଆର ବରଷ!

କିନ୍ତୁ କାହିଁକି ଏହି ‘ନୀଳାଦ୍ରିବିଜେ’ପାଇଁ ଓଡ଼ିଶାବାସୀଙ୍କର ଏତେ ଆଗ୍ରହ? ଏହାର ଉତ୍ତର ହେଉଛି- ଏ ଜାତି କେବେ ବି ଚାହେଁନାହିଁ, ତା’ର ବଡ଼ ଦେଉଳ ଖାଲି ପଡ଼ୁ । ସେ ଚାହେଁ- ଏ ଜାତିର ବଡ଼ଦେଉଳ ସବୁବେଳେ ତାର ପ୍ରଭୁଙ୍କୁ ନେଇ ପୂର୍ଣ୍ଣ ରହିଥାଉ! ଏହାହିଁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ତଥା ଓଡ଼ିଆ ସଂସ୍କୃତିର ମହାନ୍‍ ବାର୍ତ୍ତା ।

ସମ୍ବନ୍ଧିତ ଖବର