ପୋଡ଼ା ଇଟାରେ ତିଆରି ପଞ୍ଚଷଠି ମିଟର‌୍‌ ଉଚ୍ଚତାର ମିନାର

ଅଫଗାନିସ୍ତାନର ଗୋର ପ୍ରଦେଶରେ ପ୍ରବାହିତ ହରୀ-ରୂଦ ଓ ଜାମ ନଦୀ ଉପତ୍ୟକାରେ ଏହି ମିନାରର ଅବଶେଷ ଦେଖିବାକୁ ମିଳେ। ଏହାର ଆଖ-ପାଖରେ କୌଣସି ଜନବସତି ନାହିଁ। ନିକଟସ୍ଥ ସହର ହେରାତ ପ୍ରାୟ ଦୁଇ ଶହ କିଲୋମିଟର‌୍‌ ଦୂରରେ ଅବସ୍ଥିତ। ଏହି ମିନାରର ଅବସ୍ଥିତି ସମୁଦ୍ର ପତ୍ତନଠାରୁ ପ୍ରାୟ ଊଣେଇଶ ଶହ ମିଟର‌୍‌ ଉଚ୍ଚତାରେ। ଏହାର ଉଚ୍ଚତା ପଞ୍ଚଷଠି ମିଟର‌୍‌ ଏବ˚ ଭିତ୍ତିଭୂମିର ବ୍ୟାସ ନଅ ମିଟର‌୍‌। ଏହା ପୋଡ଼ା ଇଟାରେ ତିଆରି। ସାରା ମିନାରରେ ଜ୍ୟାମିତିକ ଅଙ୍କନ ଓ ସାଜ-ସଜ୍ଜା ଦେଖିବାକୁ ମିଳେ। ଏକଦା ଏହି ସ୍ଥାନରେ ଥିଲା ଫିରୂଜକୁହ ନଗରୀ- ଗୋରୀଦ ରାଜବ˚ଶର ଗ୍ରୀଷ୍ମକାଳୀନ ରାଜଧାନୀ। ୧୧୯୪ରେ ମିନାରର ନିର୍ମାଣ ଶେଷ ହୋଇଥିଲା। ଗଢ଼ାଇଥିଲେ ଗୋରୀଦ ସୁଲତାନ ଗିୟାସଉଦ୍ଦୀନ। ମିନାରକୁ ଲାଗି ସ˚ଭବତଃ ଏକ ମସ୍‌ଜିଦ ଥିଲା। ବନ୍ୟା ଯୋଗୁଁ ମସ୍‌ଜିଦ ଭାସିଯାଇଥିବା ବିଶ୍ବାସ କରାଯାଏ। ୧୨୨୨ରେ ମ˚ଗୋଲ ଆକ୍ରମଣକାରୀମାନେ ଫିରୂଜକୁହ ନଗରୀକୁ ଛାର-ଖାର କରିଦେଇଥିଲେ। ଦିଲ୍ଲୀର କୁତୁବ ମିନାର, ଜାମ ମିନାର ଶୈଳୀରେ ନିର୍ମିତ। ୨୦୦୨ରେ ଜାମ ମିନାରକୁ ବିଶ୍ବ ଐତିହ୍ୟ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର