ଫେସ୍‌ବୁକ୍‌ ଜରିଆରେ ୭ବର୍ଷ ପରେ ପରିବାର ଲୋକଙ୍କୁ ଏପରି ମିଳିଲା ନିଖୋଜ ବାଳକ

ହାଇଦ୍ରାବାଦ: ଫେସ୍‌ବୁକ୍‌ ଜରିଆରେ ସାତବର୍ଷ ପରେ ଜଣେ ନିଖୋଜ ବାଳକର ସୂଚନା ମିଳିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ବାଳକ ୨୦୧୧ ମସିହାରୁ ନିଜ ଘର ହାଇଦ୍ରାବାଦର ମଉଲା ଅଲିରୁ କାହାକୁ କିଛି ନଜଣାଇ କେଉଁଆଡେ ଚାଲି ଯାଇଥିଲା। ପିଲାର ବାସ୍ତବିକ ଘର ବିହାରର ମଧୁବାନି ଜିଲ୍ଲାରେ, ସେ ମଉଲା ଅଲିରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲା।

ରାଚାକୋଣ୍ଡା ପୁଲିସ କମିସନର୍‌ ମହେଶ ଏମ୍‌. ଭଗଓ୍ଵଟ୍‌ଙ୍କ କହିବାନୁସାରେ, ସୁଜିତ କୁମାର ଝା (୨୩)କୁ ପୁଲିସ ମୁମ୍ବାଇରୁ ଠାବ କରିଛି। ନିଖୋଜ ବାଳକର ପିତା-ମାତା ୭ବର୍ଷ ପରେ ପୁଅକୁ ପାଇ ଖୁସିରେ ଆତ୍ମବିହେ୍ଵାର ହୋଇପଡ଼ିଥିଲେ। ସୁଜିତ ମୁମ୍ବାଇରେ ଜଣେ ଖାଦ୍ୟପାନୀୟ ଠିକାଦାର ପାଖରେ ରହି କାମ କରୁଥିଲା। ମଲକାଜଗିରି ପୁଲିସ ଥାନାରେ ୨୦୧୧ ଜାନୁଆରି ୩୧ ତାରିଖରେ ସୁଜିତ କୁମାର ଝା ନିଖୋଜ ହେବା ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ସୁଜର ବୟସ ୧୫ବର୍ଷ ଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ନିଖୋଜ ସୁଜିତ କୁମାର ଝାର ଭିଣୋଇ ଫେସ୍‌ବୁକରେ ପୁଅର ଆକାଉଣ୍ଟ ଦେଖିବାକୁ ପାଇଥିଲେ। ଏହାପରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଇଥିଲେ। କିନ୍ତୁ ଏହି ରିକ୍ୟୁଏଷ୍ଟକୁ ସେ ଗ୍ରହଣ କରି ନଥିଲା ଓ ପରେ ସେ ଏକ ଅଲଗା ନାମ ଦେଇ ଆକାଉଣ୍ଟ ବନାଇଥିଲା। ଏହାପରେ ଅଭିଯୋଗକାରୀ ଭିଣୋଇ ଏନେଇ ସୋସିଆଲ ନୋଟଓ୍ଵାର୍କିଂ ସାଇଟରେ ସୁଜିତର ଉପସ୍ଥିତି ନେଇ ମଲକାଜଗିରି ପୁଲିସକୁ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ସାଇବର ଅପରାଧୀର ଅଧିକାରୀ ମାମଲା ଯାଞ୍ଚ୍‌ କରି ନିଖୋଜ ସୁଜିତ କୁମାର ଝାର ସୂଚନା ପାଇ ପାରିଥିଲେ। ଏବେ ସୁଜିତ ୨୩ବର୍ଷ ବୟସରେ ପଦାର୍ପଣ କରିଛି।

ସମ୍ବନ୍ଧିତ ଖବର