କୁକୁଡ଼ା ଉପରେ ସାଇକେଲ୍‌ ଚଢ଼ାଇ ନିଜ ପାଖରେ ଥିବା ଟଙ୍କା ଧରି କୁକୁଡ଼ାକୁ ହସ୍ପିଟାଲ୍‌ ନେବାକୁ ବାହାରିଥିବା ଏହି କୁନି ବାଳକ ଏବେ ବେଶ୍‌ ଚର୍ଚ୍ଚାରେ

ଆଇଜଲ୍‌: ଶିଶୁମାନଙ୍କ ହୃଦୟ ଯେ ସଂସାରର ଅନ୍ୟ ସମସ୍ତଙ୍କଠାରୁ ସ୍ୱଚ୍ଛ ଏଥିରେ ତିଳେ ବି ସନ୍ଦେହ ନାହିଁ। କ୍ଷମତା ଥାଉ କି ନଥାଉ, ମାନବିକତା କିନ୍ତୁ ସେମାନଙ୍କ ଭିତରେ ଭରି ହୋଇ ଥାଏ ଏହା ଅନ୍ତତଃ କେହି ଅସ୍ୱୀକାର କରିବେ ନାହିଁ। ଫଟୋରେ ଦିଶୁଥିବା ଏହି କଅଁଳ ଶିଶୁ ପୁତ୍ର ଜଣକ ମିଜୋରାମ୍‌ର। ଗୋଟିଏ ହାତରେ କୁକୁଡ଼ା ଓ ଅନ୍ୟ ହାତରେ ଟଙ୍କା ଧରି ବିଳଳ ନୟନରେ ଚାହିଁଥିବା ଏହି କୁନି ପିଲାଟି କଥା ଶୁଣିଲେ ଆପଣ ଚକିତ ହୋଇଯିବେ।

ଘଟଣାଟି ହେଉଛି ମିଜୋରାମ୍‌ର ଏହି କୁନି ପିଲାଟି ନିଜ ନୂଆ କିଣା ଯାଇଥିବା ସାଇକେଲ୍‌ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍‌ ସାମ୍ନାକୁ ଚାଲି ଆସିଲା ପଡ଼ୋଶୀ ଘରର କୁକୁଡ଼ା। ପିଲାଟି ସାଇକେଲ୍‌ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଦେହରେ ଆଘାତ ଲାଗିଲା।

କୁୁକୁଡ଼ାଟି ଖଣ୍ଡିଆ ଖାପରା ହୋଇ ଯାଇଛି ଦେଖିବା ପରେ କମ୍ପି ଉଠିଲା କୁନି ପିଲାର ହୃଦୟ। ତା’ପରେ ସେ ନିଜ ପାଖରେ ରଖିଥିବା ଟଙ୍କା ଧରି କୁକୁଡ଼ାଟିକୁ ଭଲ କରିବା ପାଇଁ ହସ୍ପିଟାଲ୍‌ ନେବାକୁ ଅଡ଼ି ବସିଲା।

ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ତାହା ଏବେ ସୁଦ୍ଧା ୫୦ ହଜାର ସେୟାର୍‌ ହୋଇ ସାରିଲାଣି। ପିଲାଟିର ନିରୀହ ଆଖି ତା’ ନିର୍ମଳ ମନର କଥା କହୁଛି। ଅନେକ ଫେସ୍‌ବୁକ୍‌ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର