‘ମୋ ବସ୍’କୁ ବିଶେଷଜ୍ଞଙ୍କ ପ୍ରଶଂସା

ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟସିଟି ପାଇଁ ନିକଟରେ ଆରମ୍ଭ କରାଯାଇଥିବା ‘ମୋ ବସ୍ ଯୋଜନା’କୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଧାରଣ ପରିବହନ ଓ ନନ୍ ମୋଟରାଇଜ୍‌ଡ ଟ୍ରାନ୍ସପୋର୍ଟ (ଏନଏମଡି) ବିଶେଷଜ୍ଞ ଡାରି‌ଓ ହିଡାଲଗୋ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଭୁବନେଶ୍ବର ନଗର ପ୍ରଶାସନର ଢେର୍ ପ୍ରଶଂସା କରିଛନ୍ତି। ଡବ୍ଲ୍ୟୁଆରଆଇ ରସ୍ ସେଣ୍ଟର ଫର୍ ସଷ୍ଟେନବେଲ୍ ସିଟିଜ୍‌ର ନିର୍ଦ୍ଦେଶକ ତଥା ଏହି ଅନ୍ତର୍ଜାତୀୟ ବିଶେଷଜ୍ଞ ଶ୍ରୀ ହିଡାଲଗୋ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଅବସରରେ ‘ସ୍ମାର୍ଟ ସହର ଓ ସୁଲଭ ମୂଲ୍ୟର ଗୃହ’ ଶୀର୍ଷକ ସେମିନାରରେ ଯୋଗଦେଇ ସହରର ଯୋଜନା ପ୍ରସ୍ତୁତ କରୁଥିବା ଅଧିକାରୀମାନଙ୍କୁ ଏ ନେଇ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ସହରାଞ୍ଚଳର ଯୋଜନା ପ୍ରସ୍ତୁତ ସମୟରେ ମୋବିଲିଟି ପ୍ଲାନକୁ ସେଥିରେ ସାମିଲ କରିବା ଆବଶ୍ୟକ। ଗାଡ଼ି ଭିତରେ ଓ ସଡ଼କରେ ସ୍ଥାନର ଉତ୍ତମ ଉପଯୋଗ ହେବା ଉଚିତ।

ପରିବେଶ ପ୍ରଦୂଷଣକୁ ଶୂନ୍ୟ ସ୍ତରକୁ କମାଇବା ପାଇଁ ଟାଉନ ପ୍ଲାନରମାନେ ବିଦ୍ୟୁତ ଚାଳିତ ଯାନର ପ୍ରଚଳନ ନେଇ ଯୋଜନା କରିବା ଉଚିତ। ପାର୍କି ପାଇଁ ଫି ଆଦାୟ କରିବା ସହିତ କାର ବ୍ୟବହାରକୁ କମାଇବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କଞ୍ଜେସନ୍ ସେସ୍ ଆଦାୟ କରିବାକୁ ସେ ମତବ୍ୟକ୍ତ କରିଛନ୍ତି। ଏହାହେଲେ ସହରାଞ୍ଚଳରେ ସାଇକଲ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ। ଏହି ସେମିନାରରେ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍, ସ୍ବତନ୍ତ୍ର ସଚିିବ ତଥା ସ୍ମାର୍ଟ ସିଟିର ମିସନ ଡାଇରେକ୍ଟର ପ୍ରେମ୍ କୁମାର ଝା, ମାଲେସିଆର ସ୍ବେରେଜ୍ ବିଶେଷଜ୍ଞ ଦୋରାଇ ନାରାୟଣନ୍, ଟାଟା ହାଉସିଂ ଡେଭଲପମେଣ୍ଟ କମ୍ପାନି ଲିମିଟେଡର ସିଇଓ ସଞ୍ଜୟ ଦତ୍ତ, ଟୟୋଟା କିର୍ଲୋସ୍କର ମୋଟର ପ୍ରାଇଭେଟ ଲିମିଟେଡର ଉପସଭାପତି (ବର୍ହିବ୍ୟାପାର ଓ ସିଏସଆର ଡିଭିଜନ) ନବୀନ ସୋନି, ମାଇକ୍ରୋଟେକ୍ ଗ୍ଲୋବାଲ ଫାଉଣ୍ଡେସନର ଅଧ୍ୟକ୍ଷ (ଗ୍ଲୋବାଲ ସ୍ମାର୍ଟ ସିଟିଜ୍ ପ୍ୟାନେଲ) ପି ଶେଖର ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଏମଡି କ୍ରିଷ୍ଣନ୍ କୁମାର ଶେଷରେ ଆଲୋଚନା ଉପରେ ମନ୍ତବ୍ୟ ଦେଇ କହିଥିଲେ, ମୋ ବସ୍ ଯୋଜନାରେ ଖୋର୍ଦ୍ଧା, ଜଟଣୀ, ପିପିଲି, ପୁରୀ ଏବଂ କଟକକୁ ସାମିଲ କରାଯାଇଛି।

ସାଧାରଣ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଗଲେ ସହରରେ ପ୍ରଦୂଷଣ ହ୍ରାସ ପାଇବ, ସହରର ବିଭିନ୍ନ ସ୍ଥାନକୁ ଲୋକମାନେ ସୁଲଭ ମୂଲ୍ୟରେ ଯାତାୟାତ ସମ୍ଭବ ହୋଇପାରିବ। ସାଧାରଣ ପରିବହନର ବିକଳ୍ପ ଉପଲବ୍ଧ ହେଲେ ଏହା ଲୋକଙ୍କ ଜୀବନଧାରଣରେ ଉନ୍ନତି ଆଣିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର