ଏଣିକି ମୋବାଇଲ ନମ୍ବର ୧୦ ଅଙ୍କ ପରିବର୍ତ୍ତେ ୧୩ ଅଙ୍କ ବିଶିଷ୍ଟ ହୋଇଯିବ!

ଆଜିଠାରୁ ସମଗ୍ର ଭାରତରେ ବଦଳିବାକୁ ଯାଉଛି ମୋବାଇଲ ନମ୍ବର। ଏଣିକି ମୋବାଇଲ ନମ୍ବର ୧୦ ଅଙ୍କ ପରିବର୍ତ୍ତେ ୧୩ ଅଙ୍କ ବିଶିଷ୍ଟ ହୋଇଯିବ। ଅର୍ଥାତ ୨୦୧୮ ଜୁଲାଇ ୧ ଠାରୁ ନୂଆ ନମ୍ବର ନେଉଥିବା ଗ୍ରାହକଙ୍କୁ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦିଆଯିବ। ଏଥିପାଇଁ ପ୍ରସ୍ତୁତି ପାଖାପାଖି ପୁରା ହୋଇସାରିଲାଣି। ଏଥିପାଇଁ ସରକାର ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଜାରି କରିସାରିଲେଣି।

ଭାରତରେ ମୋବାଇଲ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୪୭.୮ କୋଟି ପର୍ଯ୍ୟନ୍ତ ପହଞ୍ଚିଯିବା ଆଶା କରାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ବୈଠକରେ ଦୂରସଂଚାର ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଆଉ ଜାରି କରାଯିବ ନାହିଁ। ପୂର୍ବରୁ ମଧ୍ୟ ୧୦ ଅଙ୍କରୁ ଅଧିକ ନମ୍ବର ବିଶିଷ୍ଟ ମୋବାଇଲ ନମ୍ବର ବ୍ୟବହାର କରିବାର ଆବଶ୍ୟକତା ଦୃଷ୍ଟିରୁ ନୂଆ ସିରିଜ ଆରମ୍ଭ କରିବା ପାଇଁ ଚର୍ଚ୍ଚା ହୋଇଥିଲା। ଏହା ପରେ ଏହାକୁ ୧୩ ଅଙ୍କ ବିଶିଷ୍ଟ ନମ୍ବର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଦୂରସଂଚାର ବିଭାଗ ଅନୁଯାୟୀ, ମୋବଇଲ ନମ୍ବରର ନୂଆ ସିରିଜ ଆସିବା ଦ୍ୱାରା ସମସ୍ତ ଟେଲିକମ୍‌ ଅପରେଟରଙ୍କୁ ନିଜ ସିଷ୍ଟମ ଅପଡେଟ କରିବାକୁ ପଡିବ। ଏହି ସମ୍ବନ୍ଧରେ ସମସ୍ତ ସର୍କଲର ଦୂରସଂଚାର କମ୍ପାନୀ ଗୁଡିକୁ ଆଦେଶ ଜାରି କରାଯାଇଛି। ଭାରତ ସଂଚାର ନିଗମ ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ୨୦୧୮ ଡିସେମ୍ବର ମାସ ସୁଦ୍ଧା ସମସ୍ତ ପୁରୁଣା ନମ୍ବର ଗୁଡିକ ମଧ୍ୟ ପ୍ରକ୍ରିୟାରେ ଅପଡେଟ୍‌ ହେବ। କିନ୍ତୁ ଏପର୍ଯ୍ୟନ୍ତ ସେପରି କିଛି ପଦକ୍ଷେପ ନିଆଯାଇନାହିଁ ଯେ, କିପରି ପୁରୁଣା ନମ୍ବରଗୁଡିକ ଅପଡେଟ୍‌ ହେବ। ତେବେ ଏହି ପ୍ରକ୍ରିୟା ଅକ୍ଟୋବର ମାସରେ ଆରମ୍ଭ ହୋଇ ଡିସେମ୍ବରରେ ଶେଷ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୦ ଅଙ୍କ ହିସାବରେ ମୋବାଇଲ ସଫ୍‌ଟୱେୟାର ତିଆରି କରାଯାଇଥିଲା। ଆଗାମୀ ସମୟରେ ୧୩ ଅଙ୍କ ମୋବାଇଲ ନମ୍ବର ହିସାବରେ ମୋବାଇଲ ସଫ୍‌ଟୱେୟାର ଅପଡେଟ କରାଯିବ ଯେପରିକି ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିବାରେ କୌଣସି ଅସୁବିଧା ନହୁଏ।

ସମ୍ବନ୍ଧିତ ଖବର