ମୋଦିଙ୍କ ବିଦେଶ ଯାତ୍ରା : ୪୮ ମାସର ଶାସନକାଳ ମଧ୍ୟରେ ଏପର୍ଯ୍ୟନ୍ତ ବିଦେଶ ବୁଲାରେ ଖର୍ଚ୍ଚ ହୋଇଛି ୩୫୫ କୋଟି ଟଙ୍କା!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେବା ସହ ବିରୋଧି ଦଳ ସର୍ବଦା ପ୍ରଶ୍ନ ଉଠାଇ ଟାର୍ଗେଟ କରିଥାନ୍ତି। ଆଉ ଏସବୁ ଭିତରେ ଆରଟିଆଇରୁ ଯେଉଁ ଖୁଲାସା ହୋଇଛି ତାହା ବିରୋଧି ଦଳକୁ ମୋଦିଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ପାଇଁ ପୁଣିଥରେ ନୂଆ ଅସ୍ତ୍ର ଭାବେ ଉଭା ହୋଇଛି।

ମିଳିଥିବା ଆରଟିଆଇ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବାର ୪୮ ମାସର ଶାସନକାଳ ମଧ୍ୟରେ ଏପର୍ଯ୍ୟନ୍ତ ୫୦ ଦେଶରୁ ଅଧିକ ୪୧ଟି ବିଦେଶ ଗସ୍ତ କରିସାରିଛନ୍ତି। ମୋଦିଙ୍କର ଏହି ବିଦେଶ ଗସ୍ତରେ ଏପର୍ଯ୍ୟନ୍ତ ପ୍ରାୟ ୩୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତକୁ ଦୃଷ୍ଟିରେ ରଖି ବାଙ୍ଗାଲୁରର ଜଣେ ଆରଟିଆଇ କର୍ମକର୍ତା ମୋଦିଙ୍କ ବିଦେଶ ଗସ୍ତ ବାବଦରେ ପୂରା ତଥ୍ୟ ମାଗିଥିଲେ । ଆରଟିଆଇରୁ ମିଳିଥିବା ରିପୋର୍ଟ ଅନୁସାରେ ମୋଦି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୧୬୫ ଦିନ ଦେଶ ବାହାରେ ରହିଛନ୍ତି।

୭ଟି ବିଦେଶ ଗସ୍ତର ଖର୍ଚ୍ଚ ଏଯାଏଁ ଆସିନାହିଁ :

ସବୁଠାରୁ ବଡ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ (୪୮ ମାସ) ମଧ୍ୟରେ ଏପର୍ଯ୍ୟନ୍ତ କେତେଥର ବିଦେଶ ଯାତ୍ରା କରିଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀ ଅଫିସ (ପିଏମଓ)ର ୱେବସାଇଟରେ ଉପଲବ୍ଧ ହୋଇ ରହିଛି। ପିଏମଓ ୱେବସାଇଟ ଅନୁଯାୟୀ, ମୋଦି ଚାର୍ଟାର୍ଡ ଫ୍ଲାଇଟରେ ୩୦ ଥର ବିଦେଶ ଯାତ୍ରା କରିଛନ୍ତି ଏବଂ ଏହାର ପେମେଣ୍ଟ ମଧ୍ୟ କରାଯାଇଛି। ଏଥିସହିତ ଚଳିତ ବର୍ଷ ଫେବୃଆରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ମୋଦି ୭ ଥର ବିଦେଶ ଯାତ୍ରା କରିଛନ୍ତି। କିନ୍ତୁ ସେହି ଗସ୍ତର ଖର୍ଚ୍ଚ ହିସାବ ହୋଇ ପାରିନାହିଁ। ମୋଦି ନିଜର ଶେଷ ୫ଟି ବିଦେଶ ଯାତ୍ରା ଭାରତୀୟ ବାୟୁସେନା (ବିବିଜେ) ଏୟାରକ୍ରାପ୍ଟଟର କରିଛନ୍ତି।

ମୋଦିଙ୍କ ସବୁଠାରୁ ମହଙ୍ଗା ଯାତ୍ରା :

୨୦୧୫ ଏପ୍ରିଲ ମାସରେ ମୋଦି ୟୁରୋପ ପରେ କାନାଡା ଯାଇଥିଲେ ଏବଂ ତାପରେ ସେ ଫ୍ରାନ୍‌ସ ଏବଂ ଜର୍ମାନୀ ଯାତ୍ରା କରି ସେଠାରୁ କାନାଡା ଯାଇଥିଲେ। ମୋଦିଙ୍କର ଏହି ବିରାଟ ବିଦେଶ ଯାତ୍ରାରେ ପ୍ରାୟ ୩୧ କୋଟି (୩୧,୨୫,୭୮,୦୦୦) ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାଥିଲା ମୋଦିଙ୍କ ସବୁଠାରୁ ମହଙ୍ଗା ବିଦେଶ ଯାତ୍ରା। ଏହାଛଡ଼ା ମୋଦିଙ୍କ ସବୁଠୁ ଶସ୍ତା ବିଦେଶ ଯାତ୍ରା ମଧ୍ୟରେ ଭୁଟାନ ଗସ୍ତ ରହିଛି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ବିଦେଶ ଯାତ୍ରା ଭୂଟାନକୁ କରିଥିଲେ। ଏହି ଗସ୍ତରେ ମୋଟ ୨ କୋଟି ୪୫ ଲକ୍ଷ ୨୭ ହଜାର ୪୬୫ ଟଙ୍କା ଖର୍ଚ୍ଚ ହୋଇଥିଲା।

ସମ୍ବନ୍ଧିତ ଖବର