ଦୁଇରୁ ଅଧିକ ପିଲା ଥିଲେ ଲଢିପାରିବେନି ପଞ୍ଚାୟତ ନିର୍ବାଚନ!

୨୦୧୯ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଯେଉଁଥିରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଞ୍ଚାୟତ ନିର୍ବାଚନ ଲଢିପାରିବେ ନାହିଁ। ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡ ସରକାର ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହାଛଡା ହରିୟାଣା ଏବଂ ରାଜସ୍ଥାନରେ ପଂଚାୟତ ପ୍ରତିନିଧିମାନଙ୍କ ପାଇଁ ସର୍ବନିିମ୍ନ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ଅରବିନ୍ଦ ପାଣ୍ଡ୍ୟା ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୨୦୧୬ରେ ପ୍ରସ୍ତୁତ ହୋଇଥିବା ଆକ୍ଟର କିଛି ନିୟମାବଳୀଗୁଡିକରେ ସରକାର ସଂଶୋଧନ ଆଣିବାକୁ ମନ ବଳାଇଛନ୍ତି। ଏହି କ୍ରମରେ ଗତାକଲି ସଚିବାଳୟରେ ବସିଥିବା ବିଭାଗୀୟ ସମୀକ୍ଷା ବୈଠକରେ ପଂଚାୟତୀରାଜ ମନ୍ତ୍ରୀ ଅଧିକାରୀଙ୍କ ସହ ଏନେଇ ବିଚାରବିମର୍ସ କରିଥିଲେ। ବୈଠକର ଶେଷରେ ଗଣମାଧ୍ୟମକୁ ଖବର ଦେଇ ମନ୍ତ୍ରୀ କହିଛନ୍ତି କି, ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ। ଏଥିପାଇଁ ଅଧିକାରୀମାନଙ୍କ ସହ ଆଲୋଚନା ସମେତ ଅନ୍ୟ ଦିଗ ଉପରେ ମାନସ ମନ୍ଥନ ପରେ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କୁହାଯାଇଛି।

ମନ୍ତ୍ରୀ କହିଛନ୍ତି କି, ଅଧିକାରୀମାନଙ୍କୁ ହରିୟାଣା ଏବଂ ରାଜସ୍ଥାନର ପଂଚାୟତିରାଜ ଆକ୍ଟକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ରାଜ୍ୟରେ ପଂଚାୟତ ପ୍ରତିନିଧୀମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏହା ଅନୁସାରେ, ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଦଶମ ଏବଂ ଆରକ୍ଷିତ ଶ୍ରେଣୀରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍‌ ରଖାଯାଇଛି। ସେ ଆହୁରୀ ମଧ୍ୟ କହିଛନ୍ତି କି, ରାଜ୍ୟରେ ମଧ୍ୟ ଏଭଳି ପ୍ରକାରର ପଂଚାୟତ ପ୍ରତିନିଧୀମାନଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତାର ମାନକ ରଖାଯିବ। ଏଥିପାଇଁ ମଧ୍ୟ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ କହିଛନ୍ତି କି, ଯେଉଁମାନଙ୍କ ଘରେ ଶୌଚାଳୟ ନାହିଁ , ସେମାନେ ବି ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ। ତେବେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ପଞ୍ଚାୟତିରାଜ ଆକ୍ଟକୁ କଡାକଡି କରିବାକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର