ଝିଅର କିଡନୀ ଫେଲ୍‌ ହେବାରୁ ମୁହଁ ଫେରାଇଲା ମା’, ନିଜର କିଡ୍‌ନୀ ଦେଇ ଶାଶୁ ବଞ୍ଚାଇଲା ବୋହୂର ଜୀବନ

ଜୟପୁର: ଶାଶୁ ଓ ବୋହୂଙ୍କ ସମ୍ପର୍କରେ କିଟ୍‌ମିଟ୍‌ ଲାଗିଥିବାର ଆମେ ପ୍ରାୟତଃ ଶୁଣିବାକୁ ପାଇଛୁ, କିନ୍ତୁ ରାଜସ୍ଥାନରୁ ଏମିତି ଏକ ଘଟଣା ଆସିଛି ଯାହା ଶାଶୁ ଓ ବୋହୂର ସମ୍ପର୍କର ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ରାଜସ୍ଥାନ ବାଡମେର ଜିଲ୍ଲାରେ ଜଣେ ଶାଶୁ ନିଜର କିଡନୀ ଦେଇ ବୋହୂର ଜୀବନ ବଞ୍ଚାଇ ଥିବା ଖବର ଆସିଛି। ଶାଶୁର କିଡନୀ ବୋହୂ ଶରୀରରେ ପ୍ରତିରୋପଣ ହେବା ପରେ ବୋହୂର ଜୀବନ ରକ୍ଷା ପାଇ ପାରିଛି।

ରାଜସ୍ଥାନ ବାଡମେର ଜିଲ୍ଲା ଗାନ୍ଧିନଗରରେ ରହୁଥିବା ସୋନିକାଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିଲା। କିଡନୀ ଖରାପ ହେବାପରେ ଡାକ୍ତର ତାଙ୍କୁ କିଡନୀ ରିପ୍ଲେସ୍‌ କରିବାକୁ କହିଥିଲେ  ଓ ଏହା ନ କଲେ ସୋନିକାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ବି ପରିବାରଲୋକଙ୍କୁ ଚେତାବନୀ ଦେଇଥିଲେ।

ସୋନିକାଙ୍କ କିଡନୀ ପ୍ରତିରୋପଣ ପାଇଁ ପରିବାର ଲୋକ କିଡନୀ ଦାତାଙ୍କୁ ଖୋଜୁଥିଲେ। କିନ୍ତୁ ବହୁତ ଖୋଜିବା ପରେ ବି ତାଙ୍କୁ କୌଣସି କିଡନୀ ଦାତାଙ୍କ ଠିକଣା ମିଳି ନଥିଲା। ଯେତେବେଳେ କୌଣସି ଆଶା ଆଉ ଦେଖା ଯାଇ ନଥିଲା ସୋନିକାଙ୍କ ମା’ଙ୍କୁ କିଡନୀ ଦେବାକୁ କୁହାଯାଇଥିଲା, କିନ୍ତୁ ତାଙ୍କ ମା’ ମନା କରି ଦେଇଥିଲେ। ସୋନିକା ବଞ୍ଚିବାର ସମସ୍ତ ଆଶାକୁ ଛାଡ଼ି ଦେଇଥିଲେ। ଏହି ସମୟରେ ସୋନିକାଙ୍କ ଶାଶୁ ଆସି କିଡନୀ ଦାନ କରିବେ ବୋଲି କହିଥିଲେ। ସୋନିକା ପ୍ରଥମେ ଏଥିରେ ରାଜି ହୋଇ ନଥିଲେ। ତା’ପରେ ଶାଶୁଙ୍କ କଥାରେ ରାଜି ହୋଇ ଯାଇଥିଲେ। ଶେଷରେ ଡାକ୍ତର ସୋନିକାଙ୍କ ଶରୀରରେ ସଫଳତାର ସହ କିଡନୀ ପ୍ରତିରୋପଣ ଦିଲ୍ଲୀ ଆପୋଲୋ ହସ୍‌ପିଟାଲରେ କରିଥିଲେ।

ସମ୍ବନ୍ଧିତ ଖବର