ମୁମ୍ବାଇ: ମୁମ୍ବାଇରେ ଅଟୋ ଚାଳକ ଅମିତ ଗୁପ୍ତା ଏବେ ଖୁବ୍ ଚର୍ଚ୍ଚାରେ। ଜଣେ ଯାତ୍ରୀ ଭୁଲ୍ରେ ତାଙ୍କ ଅଟୋରେ ଛାଡ଼ି ଯାଇଥିବା ୮୦ ହଜାର ଟଙ୍କା ବ୍ୟାଗ୍କୁ ଚାଳକ ଜଣକ ଫେରାଇ ଦେଇ ମାନବିକତାର ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ,ସାରଳା ନମ୍ବୋଦିରି(୬୮) ନାମକ ଜଣେ ମହିଳା ପ୍ରି-ପ୍ରାଇମେରି ଏବଂ ପ୍ରାଇମେରି ପିଲାଙ୍କ ପାଇଁ ଏକ କିଡ୍ ସ୍କୁଲ୍ ଚଳାନ୍ତି। ତାଙ୍କ ସ୍କୁଲ୍ ନିକଟବର୍ତ୍ତୀ ଅଞ୍ଚଳରେ କାର୍ ପାର୍କ କରିବାକୁ ସେପରି ପ୍ରଶସ୍ତ ସ୍ଥାନ ନଥିବାରୁ ସେ କିଛି ଦୂରରେ ନିଜ କାର୍ ପାର୍କ କରନ୍ତି। ସାରଳା ୨ ମାସ ତଳେ ନିଜ କାର୍ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଗୁପ୍ତାଙ୍କ ଆଟୋରେ ବସିଥିଲେ। ସେତେବେଳକୁ ସମୟ ପାଖାପାଖି ଅପରାହ୍ନ ୩। ସେ ଯାଇ ନିଜ ଗନ୍ତବ୍ୟରେ ପହଞ୍ଚିବା ପରେ ଅଟୋରୁ ଓହ୍ଲାଇ ପଡ଼ିଲେ। ମାତ୍ର ୮୦ ହଜାର ଟଙ୍କା ଥିବା ବ୍ୟାଗ୍ଟିକୁ ଭୁଲ୍ବଶତଃ ସେହି ଅଟୋରେ ଛାଡ଼ି ଦେଲେ। କେବଳ ଟଙ୍କା ନୁହେଁ, ସେଥିରେ ତାଙ୍କର କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ, କାର୍ ପଞ୍ଜିକରଣ କାଗଜପତ୍ର, ଘର ଚାବି, ଲକର୍ ଚାବି ଏବଂ ମୋବାଇଲ୍ ଫୋନ୍ ଆଦି ମଧ୍ୟ ରହିଥିଲା।
ଏପରି ପରିସ୍ଥିତିରେ ନମ୍ବୋଦରି ଏକଦମ ବିଚଳିତ ହେବାକୁ ଲାଗିଲେ। ପରଦିନ ସ୍କୁଲ୍ ପିଅନକୁ ପଠାଇ ସେହି ଅଟୋ ଚାଳକଙ୍କ ସନ୍ଧାନ ନେବାକୁ କହିଲେ। ରାସ୍ତା ଉପରେ ଥିବା ଏକ ପାନ ଦୋକାନୀଙ୍କଠାରୁ ଜାଣିବାକୁ ମିଳିଲା ଯେ ଉକ୍ତ ଅଟୋ ଚାଳକଙ୍କ ନାମ ଅମିତ ଗୁପ୍ତା। ନମ୍ବୋଦରି ପୁଲିସ୍ରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥାନ୍ତି। ମାତ୍ର କିଛି ସମୟ ମଧ୍ୟରେ ଅମିତ ବ୍ୟାଗ୍ ଧରି ଆସି ସେଠାରେ ପହଞ୍ଚିଲେ। ଅମିତଙ୍କ ବଡ଼ପଣ ଦେଖି ନମ୍ବୋଦରି ଖୁବ୍ ପ୍ରଭାବିତ ହେବା ସହ ତାଙ୍କ ବିଷୟରେ ଜାଣିବାକୁ ପାଇଲେ। ଅମିତ ଖୁବ୍ ଗରିବ ହୋଇଥିବାରୁ ନମ୍ବୋଦରି ନିଜ ସ୍କୁଲ୍ରେ ତାଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାକୁ କଥା ଦେବା ସହ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।