ରେଳ ଦୁର୍ଘଟଣାରେ କଟିଥିଲା ହାତ, ଡାକ୍ତର ସାତ ଘଣ୍ଟା ଅସ୍ତ୍ରୋପଚାର ପରେ କଲେ ଏଭଳି ଚମତ୍କାର

ମୁମ୍ବାଇ: ମୁମ୍ବାଇର ଜୁହୁସ୍ଥିତ ଆରଏନ୍‌ କୁପର ହସ୍‌ପିଟାଲ୍‌ରେ ଡାକ୍ତର ଅହମ୍ମଦାବାଦର ଜଣେ ବ୍ୟକ୍ତିଙ୍କ କଟା ହାତକୁ ସଫଳତା ସହ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି। ଏହି ବ୍ୟକ୍ତି ଅନ୍ଧେରି ରେଲେଓ୍ଵ ଷ୍ଟେସନ୍‌ରେ ଟ୍ରାକ୍‌ରେ ପଡ଼ି ଯାଇଥିଲେ। ସାତଘଣ୍ଟା ଚାଲିଥିବା ସର୍ଜରି ପରେ ୨୮ବର୍ଷୀୟ ଧର୍ମେନ୍ଦ୍ରଙ୍କ ହାତକୁ ପୁଣିଥିରେ ଡାକ୍ତର ଯୋଡ଼ି ଦେଇଛନ୍ତି। ପାଖାପାଖି ଏକ ମାସ ପୂର୍ବରୁ ହୋଇଥିବା ସର୍ଜରି ପରେ ଏବେ ଏଥିରେ ସୁଧାର ଆସିବାରେ ଲାଗିଛି।

ହସ୍‌ପିଟାଲ୍‌ର ପ୍ଲାଷ୍ଟିକ୍‌ ସର୍ଜନ୍‌ ନିତିନ ଘାଗଙ୍କ କହିବାନୁସାରେ, ଏହି ଅସ୍ତ୍ରୋପଚାରକୁ ରିପ୍ଲାଣ୍ଟେସନ୍‌ ସର୍ଜରି ବୋଲି କୁହାଯାଇଥାଏ। ଅସ୍ଥି ବିଶେଷଜ୍ଞ ପ୍ରଥମେ ହାତକୁ ଯୋଡ଼ିଥିଲେ ଏହାପରେ ମୁଁ ହାତର କୋଷ ଓ ଶିରାକୁ ଯୋଡ଼ିଥିଲି। ଧର୍ମେନ୍ଦ୍ରଙ୍କ ହାତ ୮ରୁ ୧୦ ମାସ ପରେ ପୂର୍ବ ଭଳି ସକ୍ଷମ ହୋଇଯିବ ।

ଧର୍ମେନ୍ଦ୍ର ମଇ ୫ରେ  ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ହାତ ପୂରାପୂରି ଶରୀରରୁ  ଅଲଗା ହୋଇଯାଇଥିଲା। ତାଙ୍କ ସହିତ ଯାତ୍ରା କରୁଥିବା ସାଙ୍ଗମାନେ ତାଙ୍କର କଟି ଯାଇଥିବା ହାତକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଧରି ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ତାଙ୍କୁ ନିକଟସ୍ଥ ଆରଏନ୍‌ କୁପର ହସ୍‌ପିଟାଲ୍‌ରେ ଆଣି ତାଙ୍କୁ ଭର୍ତ୍ତି କରିଥିଲେ, ଏଠାରେ ବିଳମ୍ବିତ ରାତି ୧ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇ ଓ ତା’ ଆରଦିନ ୮ଟାରେ ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର