ମାମଲା ଦାୟର କରିବାକୁ ଆସିଥିବା ଯୁବକଙ୍କ ପାଇଁ ଜନ୍ମଦିନ କେକ୍‌ ବରାଦ କଲା ମୁମ୍ବାଇ ପୁଲିସ୍‌!

ମୁମ୍ବାଇ: କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିଲେ ବି କଥାଟି କିନ୍ତୁ ବାସ୍ତବ। ପୁଲିସ୍‌ ଆଉ ସାଧାରଣ ଜନତାଙ୍କ ମଧ୍ୟରେ ସଂପର୍କ କିପରି ହେବା ଉଚିତ୍‌ ତାହା ମୁମ୍ବାଇ ପୁଲିସ୍‌ର ଏପରି ବଡ଼ପଣିଆ ପରେ ସ୍ପଷ୍ଟ ବୁଝିହୁଏ। ଥାନାକୁ ମାମଲା ଦାୟର କରିବାକୁ ଆସିଥିବା ଜଣେ ଯୁବକଙ୍କର ସେହି ଦିନ ଜନ୍ମଦିନ ହୋଇ ଥିବାରୁ ମୁମ୍ବାଇ ପୁଲିସ୍‌ ତାଙ୍କ ପାଇଁ କେକ୍‌ ମଗାଇ ଥାନା ମଧ୍ୟରେ ଜନ୍ମଦିନ ପାଳି ଏବେ ବେଶ୍‌ ଚର୍ଚ୍ଚାରେ। ମୁମ୍ବାଇ ପୁଲିସ୍‌ ପୂର୍ବରୁ ମଧ୍ୟ ଟୁଇଟର୍‌ରେ ବେଶ୍‌ ପରିଚିତ। ଟୁଇଟର୍‌ରେ ମୁମ୍ବାଇ ପୁଲିସ୍‌ର ପାଖାପାଖି ୪ ମିଲିୟନ୍‌ ଫଲୋର୍ସ ହୋଇ ସାରିଲେଣି। ଗତକାଲି ମୁମ୍ବାଇର ସାକିନାକା ପୁଲିସ୍‌ ଅଧିକାରୀ କରିଥିବା ଏହି ନିଆରା କାର୍ଯ୍ୟ ମୁମ୍ବାଇ ପୁଲିସ୍‌କୁ ଆହୁରି ଲୋକଙ୍କ ନିକଟତର କରାଇପାରିଛି।

ସୂଚନାଯୋଗ୍ୟ, ଅନିଶ ନାମକ ଜଣେ ଯୁବକ ଏକ ମାମଲା ରୁଜୁ କରିବା ପାଇଁ ସାକିନାକା ପୁଲିସ୍‌ ଷ୍ଟେସନ୍‌କୁ ଯାଇଥିଲେ। ଅନିଶଙ୍କ ଜନ୍ମଦିନ ଅକ୍ଟୋବର ୧୪ ଅର୍ଥାତ ଗତକାଲି ହୋଇଥିବାରୁ ପୁଲିସ୍‌ ଅନିଶଙ୍କ ଅଭିଯୋଗ ଗ୍ରହଣ କରିବା ସହ ତାଙ୍କ ପାଇଁ ଜନ୍ମଦିନ କେକ୍‌ ମଧ୍ୟ ମଗାଇଥିଲେ। ଯେଉଁମାନେ ଭାବନ୍ତି ପୁଲିସ୍‌ ସହଜରେ ଅଭିଯୋଗ ଗ୍ରହଣ କରନ୍ତି ନାହିଁ ଏବଂ ସାଧାରଣ ଜନତାଙ୍କ ସହ କ୍ରୁର ବ୍ୟବହାର କରନ୍ତି ସେମାନେ ହୁଏତ ଏହି ଘଟଣା ପରେ ଆଉ ସେପରି ଭାବିବେ ନାହିଁ।

ଏ ସଂପର୍କରେ ମୁମ୍ବାଇ ପୁଲିସ୍‌ ଟୁଇଟର୍‌ରେ ଉଲ୍ଲେଖ କରିଛି ଯେ ଅଭିଯୋଗ ଦାୟର କଲା ବେଳେ ଅନିଶଙ୍କର ସଂପୂର୍ଣ୍ଣ ତଥ୍ୟ ଦେଖିବାକୁ ପଡ଼ିଥିଲା। ସେଥିରୁ ଜାଣିବାକୁ ମିଳିଲା ଯେ ଆଜି ତାଙ୍କ ଜନ୍ମଦିନ। ତେଣୁ ତାଙ୍କ ପାଇଁ କେକ୍‌ଟିଏ ମଗାଇ ଜନ୍ମଦିନ ପାଳନ କରିବା ଏକ ମାନବିକତା ନିଶ୍ଚୟ।

 

ସମ୍ବନ୍ଧିତ ଖବର