ସ୍ୱୟଂଭୁ ବିନାୟକଙ୍କ ଏହି ମୂର୍ତ୍ତି ସାମ୍ନାରେ ବଡ଼ ବଡ଼ ଅପରାଧୀ ସତ କହନ୍ତି, କୂଅରେ ସ୍ନାନ କରି ପାପ ଧୁଅନ୍ତି!

ଭାରତରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । ସବୁ ଧର୍ମର ଇତିହାସରେ କିଛି ଚମତ୍କାର ଘଟଣା ରହିଛି । ଯଦି ଆମେ କାହାଣୀ କିମ୍ବଦନ୍ତୀର ସମୀକ୍ଷା କରିବା ତେବେ ଦେଖିବା, ଭାରତରେ କୌଣସି ଚମତ୍କାର ପରେ ଈଶ୍ୱରଙ୍କ ମୂର୍ତ୍ତି ପ୍ରକଟ ହୋଇଛି ବା ନିଜେ ଦେବଦେବୀ ସ୍ୱପ୍ନାଦେଶ ଦେବା ପରେ ମନ୍ଦିର ସ୍ଥାପିତ ହୋଇଛି ।

ଏମିତି ଏକ ମନ୍ଦିର ଅଛି ଆନ୍ଧ୍ରପ୍ରଦେଶରେ । ଯାହା ବିନାୟକ ମନ୍ଦିର ନାମରେ ଖ୍ୟାତ। ଭାରତର ଦକ୍ଷିଣ ପ୍ରାନ୍ତରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଏହି ମନ୍ଦର ଅବସ୍ଥିତ । ଏହି ଗଣେଶ ମନ୍ଦିରର ନିର୍ମାଣ ଚୋଳ ବଂଶ ୧୧ ଶତାଦ୍ଦୀରେ କରିଥିଲେ । ଏହାପରେ ବିଜୟନଗରର ଶାସକ ୧୩୩୬ ମସିହାରେ ମନ୍ଦିରକୁ ବୃହଦାକାରରେ ଗଢ଼ିଥିଲେ । ମନ୍ଦିର ସହିତ ଜଡିତ ଅଛି ଏକ ରହସ୍ୟମୟ କଥା । କୁହାଯାଏ କି ଏହି ଗ୍ରାମରେ ତିନି ବିକଳାଙ୍ଗ ଭାଇ ରହୁଥିଲେ । ସେଥିମଧ୍ୟରୁ ଜଣେ ମୂକ, ଜଣେ ବଧିର ଏବଂ ଆଉ ଜଣେ ଦୃଷ୍ଟିହୀନ ଥିଲେ । ଗୋଟିଏ ଛୋଟ ଜମିରେ ଚାଷ କରି ସେ ତିନି ଭାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଯେଉଁ କୂଅରୁ ସେମାନେ ପାଣି ବାହାର କରି ଜମିରେ ପାଣି ଦେଉଥିଲେ, ତାହା ହଠାତ ଶୁଖି ଯାଇଥିଲା । ସେମାନେ ପାଣି ଦେଇପାରୁ ନ ଥିଲେ । ତେଣୁ ସେ ତିନି ଭାଇ କୂଅକୁ ଗଭୀର କରିବା ପାଇଁ କୂଅକୁ ଭିତରକୁ ଗଲେ । ଯେତେବେଳେ ଲୁହା ଶାବଳ ଦ୍ୱାରା କୂଅକୁ ଖୋଳିଲେ, ମାଟିତଳେ ଥିବା ଏକ ମୂର୍ତ୍ତିରେ ଶାବଳ ବାଜି ରକ୍ତ ବାହାରିଲା । କୂଅ ପାଣି ପୂରା ଲାଲ ହୋଇଗଲା । ଗାଁ ଲୋକମାନେ ଏହି କଥା ଜାଣି ପାରି କୂଅରେ ଥିବା ମୂର୍ତ୍ତିକୁ ବାହାର କରିବା ପାଇଁ ଖୋଳିବା ଆରମ୍ଭ କରିଲେ । କିନ୍ତୁ ବିନାୟକ ସ୍ୱୟଂ ପ୍ରକଟ ହେଲେ । ଏହା ପରେ ଲୋକମାନେ ନଡ଼ିଆ ଭୋଗ ଲଗେଇଲେ ଏବଂ ଏହି ମୂର୍ତ୍ତିର ନାମ ଦେଲେ ସ୍ୱୟଂଭୁ ବିନାୟକ ରଖିଲେ ।

speakingtree.in

ଆଜି ମଧ୍ୟ ସେହି ମୂର୍ତ୍ତି ସେଇଠି ଅଛି । ସେହି ଦିବ୍ୟ କୂଅରେ ସବୁ ସମୟରେ ପାଣି ମଧ୍ୟ ରହୁଛି । ବର୍ଷା ଦିନେ କୂଅରୁ ପାଣି ବାହାରକୁ ବାହାରି ଆସିଥାଏ । ପ୍ରଥମେ ଏହି ମୂର୍ତ୍ତିର କିଛି ଆକାର ନଥିଲା । କିନ୍ତୁ ଏବେ ଆପଣ ଏହି ମୂର୍ତ୍ତିରେ ପେଟ ଆଦି ଦେଖିପାରିବେ । ଜଣେ ଭକ୍ତ ୫୦ ବର୍ଷ ପୂର୍ବରୁ ସେହି ମୂର୍ତ୍ତିର ହାତ ଲାଗି ଏକ ବ୍ରେସଲେଟ୍‌ ଦେଇଥିଲେ । କିନ୍ତୁ ଆଉ ସେ ବ୍ରେସଲେଟ୍‌ ଦୃଶ୍ୟମାନ ହେଉନାହିଁ ।

ବିଶ୍ୱାସ କରାଯାଏ, ଏଠାରେ ମହାପ୍ରଭୁ ଗଣେଶ ଅତ୍ୟନ୍ତ ପ୍ରତ୍ୟକ୍ଷ। କନିପକମ ବିନାୟକଙ୍କ ପାଖରେ ଦୁଇ ପକ୍ଷ ଭିତରେ ଝଗଡାର ମଧ୍ୟ ସମାଧାନ କରା ଯାଇଥାଏ । ଏହି ମୂର୍ତ୍ତି ପାଖରେ ଥିବା କୂଅ ପଟକୁ ମୁହଁ କରି ଲୋକ ଶପଥ ନେଇ ସମସ୍ୟା ସମାଧାନ କରିଥାଆନ୍ତି । କୁହାଯାଏ କି ବଡ଼ ବଡ଼ ଅପରାଧୀ ସ୍ୱୟଂଭୁ ବିନାୟକଙ୍କ ପାଖରେ ଦୋଷ ସ୍ୱୀକାର କରିବା ସହ ଏହି କୂଅରେ ସ୍ନାନ କରି ନିଜ ପାପର ପ୍ରାୟଶ୍ଚିତ କରିଥାଆନ୍ତି । ସ୍ଥାନୀୟ ନ୍ୟାୟାଳୟରେ କୌଣସି ବଡ଼ ମାମଲାର ବିଚାର ସମୟରେ ଏହି ମୂର୍ତ୍ତିର ଶପଥ ନେଇ ଲୋକ ସାକ୍ଷ୍ୟ ପ୍ରଦାନ କରିଥାଆନ୍ତି ।

ସମ୍ବନ୍ଧିତ ଖବର