ନବ ଓଡ଼ିଶାର ଅନ୍ୟତମ ନିର୍ମାତା

ଡକ୍‌ଟର ବିମଳେନ୍ଦୁ ମହାନ୍ତି

ଆଜି ଓଡି଼ଶାରେ ଓ ରାଜ୍ୟ ବାହାରେ ନବ ଓଡି଼ଶାର ଅନ୍ୟତମ ନିର୍ମାତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଉଛି। ଓଡି଼ଶାର ରାଜନୀତି, ଅର୍ଥନୀତି, ସାମାଜିକ ଦାୟିତ୍ବବୋଧକୁ ନିଜର ଦୃଢ଼ ସ˚କଳ୍ପ ଦ୍ବାରା ବହୁଳ ଭାବେ ପ୍ରଭାବିତ କରିଥିବା ଜଣେ ବିରଳ ରାଜନେତା ଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ। ଏକ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି କେବଳ ଦେଶବାସୀଙ୍କ ସେବା କରିବା ମନ୍ତ୍ରରେ ଦୀକ୍ଷିତ ହୋଇ ନିଜର ଅସାଧାରଣ ପରିଚୟ ସୃଷ୍ଟି କରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।

ଆଜି ଜାନକୀବାବୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମନେପଡୁଛି, ତାଙ୍କର ସ୍ବପ୍ନର ଓଡି଼ଶା ଗଠନର ପରିକଳ୍ପନା। ସେ ଚାହୁଁଥିଲେ ଓଡି଼ଶା ବଢ଼ି, ମରୁଡି଼ ଓ ଦାରିଦ୍ର୍ୟରୁ ସମ୍ପୂର୍ଣ୍ଣ ମୁକ୍ତ ହେଉ। ଓଡି଼ଶାର ସମସ୍ତ ପ୍ରଧାନ ନଦୀର ବନ୍ୟାଜଳକୁ ନିୟନ୍ତ୍ରଣ କରାଯାଇ ଚାଷଜମି ସବୁ ଜଳସେଚନ କରାଯାଉ ଏବ˚ ଓଡି଼ଶା ଦେଶର ଦ୍ବିତୀୟ କୃଷିପ୍ରଧାନ ରାଜ୍ୟର ମାନ୍ୟତା ପାଉ। ଓଡି଼ଶାର ଲୋକେ ଆଉ ଦାଦନ ଖଟିବାକୁ ନ ଯାଇ ନିଜ ରାଜ୍ୟକୁ ଶସ୍ୟଶ୍ୟାମଳ କରି ଗଢ଼ି ତୋଳନ୍ତୁ। ଏକ ସ୍ବାଭିମାନୀ ଓ ସମୃଦ୍ଧ ଓଡି଼ଶା ଗଢ଼ି ତୋଳିବାର ସ୍ବପ୍ନ ସେ ଦେଖୁଥିଲେ। ସେଥିପାଇଁ ଦଳମତ ନିର୍ବିଶେଷରେ ପଛରେ ପଡି଼ଥିବା ଓଡ଼ିଶାକୁ ଆଗଧାଡି଼ରେ ଠିଆ କରାଇବାକୁ ସମସ୍ତଙ୍କ ସହଯୋଗ ଲୋଡୁଥିଲେ। ଓଡି଼ଆ ଯୁବକମାନଙ୍କୁ ଶିଳ୍ପଦ୍ୟୋଗୀ କରିବାକୁ ସେ ଏକ ଯୁଗାନ୍ତକାରୀ ଶିଳ୍ପନୀତି ପ୍ରଚଳନ କରିଥିଲେ ଯାହାଦ୍ବାରା ଓଡି଼ଶାରେ ଶିଳ୍ପାୟନର ଏକ ନୂତନ ଯୁଗ ସୃଷ୍ଟି ହୋଇଥିଲା। ସେ କୃଷିକୁ ମଧ୍ୟ ଶିଳ୍ପର ମାନ୍ୟତା ପ୍ରଦାନ କରିଥିଲେ। ସେ କ୍ଷୁଦ୍ରଶିଳ୍ପର ବିସ୍ତାର ସହ କୃଷି ପାଇଁ ଜଳସେଚନ ଓ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ବୃଦ୍ଧି କରି ଓଡି଼ଶାକୁ ଅନ୍ୟ ରାଜ୍ୟ ସହ ସମକକ୍ଷ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ତାଙ୍କର ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡି଼ଶାରେ ବିଭିନ୍ନ ଧରଣର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହୋଇ ଲକ୍ଷାଧିକ ଲୋକ ନିଯୁକ୍ତି ପାଇଥିଲେ।

ଜାନକୀ ବଲ୍ଲଭ ପଟ୍ଟନାୟକ ଜଣେ ଦୃଢ଼ମନା ବ୍ୟକ୍ତି। ଗୋଟିଏ ଉଦାହରଣ ଏଠାରେ ଦେବା ଉଚିତ ମନେକରୁଛି। ଖୋର୍ଦ୍ଧା ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିଲାବେଳେ ହେଡମାଷ୍ଟର ବାଙ୍କନିଧି ପଟ୍ଟନାୟକ ସବୁ ଛାତ୍ରଙ୍କୁ ଜଣଜଣ କରି ପଚାରିଥିଲେ, ତୁମେ ଜୀବନରେ କ’ଣ ହେବାକୁ ଚାହଁ? ସେଥିରେ ଜାନକୀ ବଲ୍ଲଭ ଉତ୍ତର ଦେଇଥିଲେ, ମୁଁ ହେବି ଖବରକାଗଜର ସମ୍ପାଦକ। ସେ ତାଙ୍କର ପାଠ ଶେଷ କରିବା ପରେ ଆସି ଯୋଗ ଦେଇଥିଲେ ଡକ୍‌ଟର ହରେକୃଷ୍ଣ ମହତାବଙ୍କ ଦ୍ବାରା ପ୍ରକାଶିତ ଓଡି଼ଆ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ସହକାରୀ ସ˚ପାଦକ ଭାବରେ। ପରେ ସେହି ଖବରକାଗଜର ସ˚ପାଦକ ପଦକୁ ଉନ୍ନୀତ ହୋଇଥିଲେ। ସେ ମଧ୍ୟ ଇ˚ରାଜୀ ଖବରକାଗଜ ‘ଇଷ୍ଟର୍ଣ୍ଣ ଟାଇମ୍‌ସ’ର ସ˚ପାଦକ ହୋଇଥିଲେ। ସେ ୧୯୬୭ ମସିହା ଏପ୍ରିଲ ମାସରେ ପ୍ରଜାତନ୍ତ୍ରରୁ ଅବ୍ୟାହତ ନେଲେ ଏବ˚ ନିଜେ ପ୍ରକାଶ କଲେ ପୌରୁଷ ପତ୍ରିକା।

ଜାନକୀବାବୁ ଥିଲେ ଜଣେ ବାସ୍ତବବାଦୀ ଓଡି଼ଆ ଭାଷାପ୍ରେମୀ। ୧୯୫୪ରେ ନବକୃଷ୍ଣ ଚୌଧୁରୀ ଓଡି଼ଶାରେ ପ୍ରଶାସନିକ ସ୍ତରରେ ଓଡି଼ଆ ଭାଷା ପ୍ରଚଳନକୁ ବାସ୍ତବ ରୂପ ଦେଇଥିଲେ। ଜାନକୀବାବୁ ମଧ୍ୟ ତାଙ୍କ ଶାସନକାଳରେ ଓଡି଼ଆ ଭାଷାକୁ ପ୍ରଶାସନ କ୍ଷେତ୍ରରେ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଥିଲେ। ଜାନକୀବାବୁ ସ˚ସ୍କୃତ ଭାଷାର ପୁନରୁଦ୍ଧାର କରିବାକୁ ପୁରୀଠାରେ ଶ୍ରୀଜଗନ୍ନାଥ ସ˚ସ୍କୃତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଜଣେ ଅନନ୍ୟ ଜଗନ୍ନାଥପ୍ରେମୀ ଭାବରେ ପରିଚିତ। ସେଥିପାଇଁ ସେ ଆସାମର ରାଜ୍ୟପାଳ ଥିଲାବେଳେ ଦିବ୍ରୁଗଡଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଜାନକୀବଲ୍ଲଭ ପଟ୍ଟନାୟକ କେବଳ ତାଙ୍କର ୧୪ ବର୍ଷ ମୁଖ୍ୟମନ୍ତ୍ରୀତ୍ବ ପାଇଁ ନୁହେଁ କିମ୍ବା ଆସାମର ରାଜ୍ୟପାଳ ଭାବରେ ନୁହେଁ, ଜଣେ ବହୁପାଠୀ ବିଦ୍ବାନ ଭାବରେ ସାରାଦେଶରେ ସୁପରିଚିତ।

ରାଜନୀତି ସହିତ ସାହିତ୍ୟ ଓ ସ˚ସ୍କୃତିର ସମନ୍ବୟର ଧାରା ଭାରବର୍ଷରେ ଯାହା ପଣ୍ତିତ ଜବାହରଲାଲ ନେହରୁ ତିଆରି କରିଥିଲେ, ଓଡି଼ଶାର ସେହି ପରମ୍ପରାରେ ଜାନକୀ ବଲ୍ଲଭ ହେଉଛନ୍ତି ଉଜ୍ଜ୍ବଳ ଦୃଷ୍ଟାନ୍ତ। ଡକ୍‌ଟର ହରେକୃଷ୍ଣ ମହତାବ, ଯାହାଙ୍କ ସାନ୍ନିଧ୍ୟରେ ବହୁବର୍ଷଧରି ଜାନକୀ ବଲ୍ଲଭ କଟାଇଥିଲେ, ସେହି ପରମ୍ପରାର ବଳିଷ୍ଠ ବ୍ୟକ୍ତିତ୍ବ। ଲେଖକ ଓ ଅନୁବାଦକ ଭାବରେ ତାଙ୍କର ବହୁ ପ୍ରସିଦ୍ଧି ରହିଛି। ସେ ବଙ୍କିମ ଚନ୍ଦ୍ରଙ୍କର ଉପନ୍ୟାସମାଳାର ଅନୁବାଦ ପାଇଁ ପାଇଛନ୍ତି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ’ ପୁରସ୍କାର। ‘ରାମକୃଷ୍ଣ କଥାମୃତ’ର ସୁନିର୍ବାଚିତ ପୁନର୍କଥନ ‘ମାଲୁଣୀର ଫୁଲ’ ଓ ପରେ ‘ଗୌତମ ବୁଦ୍ଧ’ ପୁସ୍ତକ ଓଡି଼ଶାର ସାରସ୍ବତ ଜଗତକୁ ଅମୂଲ୍ୟ ଉପହାର।

ପୂଜ୍ୟ ଜାନକୀବାବୁ ଜଣେ ପଣ୍ତିତ, ବାଗ୍ମୀ, ବୁଦ୍ଧିମାନ ବ୍ୟକ୍ତି ତଥା ଦକ୍ଷ ରାଜନୀତିଜ୍ଞ ଏବ˚ ଜଣେ ଉଚ୍ଚକୋଟୀର ପ୍ରଶାସକ ଥିଲେ। ସେ ଜଣେ ଅସୀମ ଧୈର୍ଯ୍ୟର ଅଧିକାରୀ ଏବ˚ ସାଧୁ ଓ ସଚ୍ଚୋଟ ରାଜନୀତିକ ନେତା ଭାବରେ ଭାରତବର୍ଷରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୫ ମସିହା ଏପ୍ରିଲ ମାସ ୨୧ ତାରିଖ ଦିନ ତିରୁପତିଠାରେ ସେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ସମାଜସେବା, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ସାରାଦେଶରେ ଚିରସ୍ମରଣୀୟ ହୋଇ ରହିବେ।

ପୂର୍ବତନ କୁଳପତି, ଉତ୍କଳ ସ˚ସ୍କୃତି ବିଶ୍ବବିଦ୍ୟାଳୟ
ମୋବାଇଲ୍‌ ନ˚-୯୨୩୮୩୦୦୨୬୫

ସମ୍ବନ୍ଧିତ ଖବର