ପ୍ର୍ରୟାଗରାଜ: ଦେଶର ସବୁଠୁ ବଡ ମେଳା କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ର୍ରୟାଗରାଜରେ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ହିନ୍ଦୁ ଧର୍ମର ସାଧୁ ସନ୍ୟାସୀମାନେ ପ୍ରଥମ ଶାହୀ ସ୍ନାନ ପାଇଁ ଏଠାରେ ପହଞ୍ଚିଛନ୍ତି । ଗଙ୍ଗା, ଯମୁନା ଓ ସ୍ୱରସ୍ୱତୀ ନଦୀର ଏହି ସଙ୍ଗମସ୍ଥଳରେ ବୁଡ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମନୁଷ୍ୟ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ପାଇଯାଇଥାଏ । ତେବେ ଏହି ଶାହୀ ସ୍ନାନ ଛଡା କୁମ୍ଭମେଳାର ଅନ୍ୟତମ ଆକର୍ଷଣର କେନ୍ଦ୍ର ନାଗା ସାଧୁ ପାଲଟିଥାନ୍ତି । ନାଗା ସାଧୁଙ୍କ ଜୀବନ ଅନ୍ୟ ସାଧୁଙ୍କ ତୁଳନାରେ ବେଶ କଠିନ ହୋଇଥାଏ । ତେବେ କିଭଳି ଜଣେ ସାଧାରଣ ଲୋକ ନାଗା ସାଧୁରେ ପରିବର୍ତ୍ତନ ହୋଇଥାନ୍ତି ଓ ଏମାନଙ୍କର ଜୀବନ କିଭଳି ରହିଥାଏ ଆସନ୍ତୁ ଜାଣିବା।
Sambad is now on WhatsApp
Join and get latest news updates delivered to you via WhatsApp
କୁମ୍ଭରେ ୧୩ଟି ଆଖଡାର ନାଗା ସାଧୁ ସାମିଲ ହୋଇଥାନ୍ତି । ତେବେ ଜୁନା ଆଖଡାରୁ ଅଧିକାଂଶ ନାଗା ସାଧୁ ଆସିଥାନ୍ତି। ନାଗା ସାଧୁର ମାନ୍ୟତା ପାଇବା ପୂର୍ବରୁ ତାଙ୍କୁ ଅନେକ କଠିନ ପରୀକ୍ଷାର ସାମ୍ନା କରିବାକୁ ପଡିଥାଏ । ନାଗା ସାଧୁ ଦୀକ୍ଷାରେ ଦୀକ୍ଷିତ ହେବା ପୂର୍ବରୁ ପୂରା ପରିବାରର ଯାଞ୍ଚ ହୋଇଥାଏ। ଏହାପରେ ବେଶ କିଛି ବର୍ଷ ନିଜ ଗୁରୁଙ୍କର ସେବା କରିବାକୁ ପଡିଥାଏ । ଏହାଛଡା ଲୋଭ,ମୋହ ଓ ଇଚ୍ଛାକୁ ତ୍ୟାଗ କରିବାକୁ ପଡିଥାଏ ।
ଇତିହାସ ଅନୁଯାୟୀ, ନାଗା ସାଧୁଙ୍କର ଅସ୍ତିତ୍ୱ ସବୁଠୁ ପୁରୁଣା । ନାଗା ସାଧୁ ହେବା ପାଇଁ ମହାକୁମ୍ଭ ସମୟରୁ ହିଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିପାଇଁ ପ୍ରଥମେ ବ୍ରହ୍ମଚର୍ଯ୍ୟର ପରୀକ୍ଷା ଦେବାକୁ ପଡିଥାଏ । ଏଥିରେ ୬ ମାସରୁ ଆରମ୍ଭ କରି ୧୨ ବର୍ଷ ଯାଏଁ ସମୟ ଲାଗି ଯାଇଥାଏ । ବହ୍ମଚର୍ଯ୍ୟ ପରୀକ୍ଷାରେ ସଫଳ ହେବା ପରେ ମହାପୁରୁଷର ମାନ୍ୟତା ମିଳିଥାଏ । ଏହାପରେ ଉକ୍ତ ବ୍ୟକ୍ତିଙ୍କ ପାଇଁ ୫ ଗୁରୁ ଭଗବାନ ଶିବ, ବିଷ୍ଣୁ,ଶକ୍ତି, ସୂର୍ଯ୍ୟ ଓ ପ୍ରଭୁ ଗଣେଶଙ୍କୁ ସ୍ଥିର କରାଯାଇଥାଏ । ଏହାପରେ ଉକ୍ତ ବ୍ୟକ୍ତିଙ୍କର ବାଳ କଟାଯିବା ସହ କୁମ୍ଭ ମେଳାରେ ଗଙ୍ଗା ନଦୀରେ ୧୦୮ ଥର ବୁଡ ପକାଇବାକୁ ପଡିଥାଏ। ଏହିଭଳି ଭାବେ ମହାପୁରୁଷ ପର୍ଯ୍ୟାୟ ପାର କରିବାକୁ ପଡିଥାଏ ।
ମହାପୁରଷ ପରେ ନାଗାଙ୍କୁ ଅବଧୂତ ଭାବେ ଗଢି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏଥିପାଇଁ ନିଜର ଶ୍ରାଦ୍ଧ କରିବା ସହ ପିଣ୍ଡ ଦେବାକୁ ପଡିଥାଏ । ଏହି ସମୟରେ ସାଧୁ ହେବାକୁ ଇଚ୍ଛା କରିଥିବା ଲୋକଙ୍କୁ ବିନା କପଡାରେ ଆଖଡାର ଧ୍ୱଜ ତଳେ ୨୪ ଘଣ୍ଟା ଛିଡା ହେବାକୁ ପଡିଥାଏ । ଏହି ପରୀକ୍ଷାରେ ସଫଳ ହେବା ପରେ ଉକ୍ତ ବ୍ୟକ୍ତିଙ୍କୁ ନାଗା ସାଧୁର ମାନ୍ୟତା ଦିଆଯାଇଥାଏ ।
ନାଗା ସାଧୁ ହେବା ପରେ ପ୍ରତ୍ୟେକ ସାଧୁ ମରଶରୀରର ପାଉଁଶକୁ ଶୁଦ୍ଧୀକରଣ କରି ନିଜ ଶରୀରରେ ଲଗାଇଥାନ୍ତି । ଯଦି ମରଶରୀରର ପାଉଁଶ ଉପଲବ୍ଧ ନଥାଏ ତେବେ ଯଜ୍ଞର ପାଉଁଶ ନିଜ ଶରୀରରେ ଲଗାଇଥାନ୍ତି ନାଗା ବାବା। ଏହାଛଡା ଗଳା ଓ ହାତରେ କେବଳ ଫୁଲ ଓ ରୁଦ୍ରାକ୍ଷ ଧାରଣ କରିଥାନ୍ତି ନାଗା ବାବା । ଏହି ସାଧୁମାନଙ୍କୁ କେବଳ ଭୂମିରେ ଶୋଇବାକୁ ଅନୁମତି ମିଳିଥାଏ । ନାଗା ସାଧୁମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇଥାଏ ଯେ, ହିମାଳୟରେ ମାଇନସ ତାପମାତ୍ରାରେ ମଧ୍ୟ ନଗ୍ନ ରହିକି ତପସ୍ୟା କରିଥାନ୍ତି। ଖରା ହେଉ କି ବର୍ଷା କିମ୍ବା ଥଣ୍ଡା ତପସ୍ୟା ସମୟରେ ସର୍ବଦା ନଗ୍ନ ରହିଥାନ୍ତି ନାଗା ସାଧୁ ।ଏହାଛଡା ନାଗା ସାଧୁ ଦିନରେ ଥରେ ମାତ୍ର ଖାଇଥାନ୍ତି। ମାତ୍ର ୭ଟି ଘରୁ ଭିକ୍ଷା ମାଗିବା ପରେ ଯାହା ମିଳିଥାଏ ତାହାକୁ ହିଁ ଖାଇଥାନ୍ତି ନାଗା ସାଧୁ । କିନ୍ତୁ ଯଦି ୭ଟି ଘରୁ କୌଣସି ଭିକ୍ଷା ନ ମିଳେ ତେବେ ସେହିଦିନ ନାଗା ସାଧୁଙ୍କୁ ଉପାସ ଶୋଇବାକୁ ପଡିଥାଏ । ନାଗା ସାଧୁ ହେବା ପରେ ଏହାର ପ୍ରତ୍ୟେକ ନିୟମ ପାଳନ କରିବା ସାଧୁ ମାନଙ୍କ ପାଇଁ ଅନିବାର୍ଯ୍ୟ ହୋଇଥାଏ ।