ସୂର୍ଯ୍ୟଙ୍କୁ ଆଦିତ୍ୟ ଏବଂ କାଶ୍ୟପ ବୋଲି କାହିଁକି ସମ୍ବୋଧନ କରାଯାଏ ?

ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କର ଅନେକ ନାମ ଭିତରୁ ଗୋଟିଏ ହେଲା ଆଦିତ୍ୟ ଏବଂ ଅନ୍ୟଟି ହେଲା କାଶ୍ୟପ। ଏହାର ନାମକରଣର ରହସ୍ୟ ଜାଣନ୍ତି କି !

ବୈଦିକ ଓ ପୌରାଣିକ ମାନ୍ୟତା ଅନୁଯାୟୀ ଭଗାବନ ସୂର୍ଯ୍ୟ ହେଉଛନ୍ତି ଜୀବ ଜଗତର ଆତ୍ମାସ୍ୱରୂପ। ସେ ହିଁ ଏହି ଅଖିଳ ସୃଷ୍ଟିର ଆଦି କାରଣ।ତାଙ୍କ ଠାରୁ ଏ ସମଗ୍ରଜଗତ ସୃଷ୍ଟି ହୋଇଛି। ହିନ୍ଦୁ ପୁରାଣମାନଙ୍କରେ ଭଗବାନ ସୂର୍ଯ୍ୟଙ୍କର ଉତ୍ପତ୍ତି ସଂପର୍କରେ ଭିନ୍ନ ବ୍ୟାଖ୍ୟାନ ରହିଛି।

ସର୍ବାଧିକ ପ୍ରଚଳିତ ମାନ୍ୟତା ଅନୁଯାୟୀ,ସୂର୍ଯ୍ୟଦେବ ହେଉଛନ୍ତି ମହର୍ଷୀ କଶ୍ୟପଙ୍କ ପୁତ୍ର। ସେ ମହର୍ଷୀ କଶ୍ୟପଙ୍କ ପତ୍ନୀ ଅଦିତିଙ୍କ ଗର୍ଭରୁ ଜାତ ଅଦିତିଙ୍କ ପୁତ୍ର ହୋଇଥିବା କାରଣରୁ ତାଙ୍କର ଥିବା ଅନ୍ୟ ଉଲ୍ଲେଖନୀୟ ନାମ ହେଲା ଆଦିତ୍ୟ।ପିତାଙ୍କ ନାମରୁ ତାଙ୍କୁ ‘କାଶ୍ୟପ’ ବୋଲି ମଧ୍ୟ ସମ୍ବୋଧନ କରାଯାଇଥାଏ।

ଥରେ ଦୈତ୍ୟ-ଦାନବ ମିଶି ଦେବତାମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଲେ।ଏଥିରେ ଦେବତା ମାନଙ୍କୁ ସେମାନେ ପରାଜିତ କରିଥିଲେ। ଦେବତାମାନେ ଭୟରେ ପଳାୟନ କରୁଥିଲେ। ଦେବମାତା ଅଦିତି ଦେବତାମାନଙ୍କୁ ଏହି ସଂକଟରୁ ରକ୍ଷା କରିବା ଲାଗି ଭଗବାନ ସୂର୍ଯ୍ୟଙ୍କର ଉପାସନା କରିବାରେ ଲାଗିଲେ।ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ଅଦିତିଙ୍କ ସମ୍ମୁଖରେ ପ୍ରକଟ ହେଲେ। ସେ ଅଦିତିଙ୍କୁ କହିଲେ-‘‘ମାତା!ଆପଣ ଚିନ୍ତାମୁକ୍ତ ରହନ୍ତୁ। ଦେବତାମାନଙ୍କର ସୁରକ୍ଷା ଦାୟିତ୍ୱ  ମୋର।’’ଏତିକି କହି ସୂର୍ଯ୍ୟଦେବ ଅନ୍ତର୍ଧ୍ୟାନ ହୋଇଗଲେ।

କିଛି ସମୟରେ ଅଦିତି ଗର୍ଭବତୀ ହେଲେ।ସନ୍ତାନ ପତିମୋହ ଏବଂ ସନ୍ତାନର ମଙ୍ଗଳ କାମନା କରି ଅଦିତି ବିଭିନ୍ନ ପ୍ରକାରର ବ୍ରତ ଉପବାସ ରଖିଲେ।ମହର୍ଷୀ କଶ୍ୟପ କହିଲେ,‘‘ ଅଦିତି!ତୁମେ ଏବେ ଗର୍ଭବତୀ!ତୁମେ ନିଜ ଶରୀରର ପୋଷାଣ ଲାଗି ଯଥେଷ୍ଟ ଭୋଜନ କରିବା ଦରକାର,କିନ୍ତୁ ତୁମେ ଶରୀରକୁ କଷ୍ଟ ଦେଇ ଉପବାସ ବ୍ରତ ଆଚରଣ କାହିଁକି କରୁଛ?ଅଦିତି ପ୍ରତ୍ୟୁତ୍ତର ଦେଇ କହିଲେ,‘‘ ସ୍ୱାମୀ!ଆପଣ ଏ ବିଷୟରେ ଆଦୌ ଚିନ୍ତା କରନ୍ତୁ ନାହିଁ। ମୋ’ ଗର୍ଭସ୍ଥ ସନ୍ତାନ ହେଉଛି ସୂର୍ଯ୍ୟଙ୍କର ପ୍ରସାଦ।ଏହା ସଦା ଅବିନାଶୀ’’।

ସମୟକ୍ରମେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଙ୍କର ଜନ୍ମ ହେଲା। ସେ ଦେବତାମାନଙ୍କର ନାୟକ ହେଲେ। ସେ ଦେବଶତ୍ରୁ ଅସୁର ମାନଙ୍କର ସଂହାର କଲେ।

ସମ୍ବନ୍ଧିତ ଖବର