ଦେବର୍ଷି ନାରଦ ଭଗବତୀ ଶ୍ରୀରାଧାଙ୍କ ଦର୍ଶନ ପାଇଁ ବ୍ୟଗ୍ର ହୋଇ ତାଙ୍କର ସନ୍ଧାନରେ ଲାଗି ପଡ଼ିଲେ। ସେ ବୁଲିବୁଲି ବୃଷଭାନୁଙ୍କ ବିଶାଳ ଭବନରେ ପହଞ୍ଚିଲେ। ବୃଷଭାନୁ ଦେବର୍ଷିଙ୍କ ସତ୍କାର କରିଲେ। ତା’ପରେ ବୃଷଭାନୁ କହିଲେ, ‘‘ଭଗବାନ୍! ଆପଣ ମୋ’ ଘରେ ପାଦ ଦେଇଛନ୍ତି, ତା’ ମୋର ସୌଭାଗ୍ୟ। ମୋର ଏକ କନ୍ୟା ଜନ୍ମ ହୋଇଛି, ସେ କୁବ୍ କାନ୍ତିଯୁକ୍ତା, ମାତ୍ର ତା’ର ଆଖି ଖୋଲୁ ନାହିଁ। ଆମେ ଯେତେ ପ୍ରୟାସ କରିଲେ ବି ସଫଳତା ମିଳୁନାହିଁ। ଆପଣ ଆଶୀର୍ବାଦ ଦେଲେ ହୁଏତ ତାହା ସମ୍ଭବ ହୋଇ ପାରିବ। ବୃଷଭାନୁଙ୍କ କଥା ଶୁଣିବା ପରେ ଦେବର୍ଷି ରାଣୀ ଅନ୍ତପୁରକୁ ଗଲେ। ବାଳିକାର ଅନୁପମ ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହେଲେ ନାରଦ। ସେ ମନେ ମନେ ଚିନ୍ତା କଲେ ନିଶ୍ଚିତ ରୂପେ ଇଏ ଭଗବତୀ ରାସେଶ୍ୱରୀ ଶ୍ରୀରାଧା ହୋଇଥିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଦେବର୍ଷି ନାରଦ ବୃଷଭାନୁଙ୍କୁ ବାହାରକୁ ପଠାଇ ଏକାନ୍ତରେ ଶ୍ରୀକୃଷ୍ଣ ପ୍ରାଣେଶ୍ୱରୀଙ୍କୁ ନାନା ପ୍ରକାରର ସ୍ତୁତି କରିଲେ, କିନ୍ତୁ ତାଙ୍କ ଶ୍ରୀରାଧାଙ୍କ ଦିବ୍ୟ ସ୍ୱରୂପର ଦର୍ଶନ ହୋଇପାରିଲାନି। ତା’ପରେ ଦେବର୍ଷି ଅନନ୍ୟ ଉପାୟ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଦନା କରିଲେ। ଏହାପରେ ଦୃଶ୍ୟ ବଦଳିଗଲା।
ଅକସ୍ମାତ୍ ନାରଦଙ୍କୁ କିଶୋର ଶ୍ରୀରାଧା ଦର୍ଶନ ଦେଲେ। ନାନା ରକମର ଅଳଙ୍କାରରେ ସଜ୍ଜିତ ଅଗଣିତ ସଖି ମଧ୍ୟ ସେଠାରେ ପ୍ରକଟ ହୋଇ ଶ୍ରୀରାଧାଙ୍କୁ ଘେରିଗଲେ। ଶ୍ରୀରାଧା ଦେବର୍ଷିଙ୍କୁ ତାଙ୍କର ଦିବ୍ୟସ୍ୱରୂପର ଦର୍ଶନ କରାଇବା ପରେ ପୁନଃ ନିଜର ପୂର୍ବାବସ୍ଥାକୁ ଆସିଗଲେ। ଦେବର୍ଷି ନାରଦ ଗଦଗଦ୍ କଣ୍ଠରେ ଶ୍ରୀରାଧାଙ୍କ ଯଶଗାନ କରି କରି ସେଠାରୁ ପ୍ରସ୍ଥାନ କରିଲେ।