ମନଇଚ୍ଛା ଦରରେ ଆଉ ଔଷଧ ବିକି ପାରିବେନି ଦୋକାନୀ!

0 368

ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ଔଷଧ ଦର। ଦୋକାନୀମାନେ ଲୋକମାନଙ୍କୁ ମନଇଚ୍ଛା ମୂଲ୍ୟରେ ଔଷଧ ବିକ୍ରି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଔଷଧ ଦରରେ ଅଙ୍କୁଶ ଲଗାଇବା ପାଇଁ ସରକାର ନୂଆ ଉପାୟ ଆପଣାଇବାକୁ ଯାଉଛନ୍ତି। ଚଳିତ ମାସ ଶେଷ ହେବା ପୂର୍ବରୁ ଦେଶରେ ଔଷଧର ଦର ନିର୍ଦ୍ଧାରଣ କରୁଥିବା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା ଔଷଧ ପାଇଁ ନୂଆ ପ୍ରାଇସ ଇନଡ଼େକ୍ସ ପ୍ରସ୍ତୁତ କରାଯିବ ଯାହା ଔଷଧର ମୂଲ୍ୟକୁ ନିୟନ୍ତ୍ରଣ କରିବ। ଏହି ପ୍ରାଇସ ଇନଡ଼େକ୍ସ ଦ୍ୱାରା ଦେଶରେ ବିକ୍ରି ହେଉଥିବା ସମସ୍ତ ପ୍ରକାର ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ସର୍ବନିମ୍ନ ମାପଦଣ୍ଡ ସ୍ଥିର କରାଯିବ। ଦେଶରେ ବିକ୍ରି ହେଉଥିବା ସମସ୍ତ ପ୍ରକାର ଔଷଧକୁ ଏହି ପ୍ରାଇସ ଇନଡ଼େକ୍ସରେ ସାମିଲ କରାଯିବ।

ଏବେ ପର୍ଯ୍ୟନ୍ତ ସାଧାରଣ ଲୋକ ବ୍ୟବହାର କରୁଥିବା ଅଧିକାଂଶ ଔଷଧର ମୂଲ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି। ୮୫୦ଟି ଆବଶ୍ୟକୀୟ ଔଷଧର ମୂଲ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି। ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଏନପିପିଏ ପ୍ରତିବର୍ଷ ହୋଲସେଲ ପ୍ରାଇସ ଇନଡ଼େକ୍ସ ଅନୁଯାୟୀ ଔଷଧର ମୂଲ୍ୟରେ ସଂଶୋଧନ କରିଥାଏ। ତେବେ ଅନ୍ୟ ଔଷଧ ପାଇଁ କମ୍ପାନ଼ି ମାତ୍ର ୧୦ ପ୍ରତିଶତରୁ ଅଧିକ ମୂଲ୍ୟ ବଢ଼ାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବିତ ବ୍ୟବସ୍ଥାରେ କେନ୍ଦ୍ର ସରକାର ସମସ୍ତ ଔଷଧକୁ ନୂଆ ମୂଲ୍ୟସୂଚୀ ସହ ଯୋଡ଼ିବାକୁ ଯୋଜନା କରିଛନ୍ତି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ଏହି ପ୍ରସ୍ତାବ ଶେଷ ସୋପାନରେ ପହଞ୍ଚିଛି । ବିଭିନ୍ନ ଫାର୍ମାସିୟୁଟିକାଲ ବିଭାଗକୁ ଜୁନ ମାସରେ ସୂଚିତ କରାଯିବ। ଏହି ପ୍ରସ୍ତାବ ସରକାର ନୀତି ଆୟୋଗର ସିପାରିଶ ପରେ ଲାଗୁ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଥରେ ଲାଗୁ ହେବା ପରେ ସମସ୍ତ ଔଷଧର ମୂଲ୍ୟ ନିର୍ଦ୍ଧାରଣ ସର୍ବନିମ୍ନ ମାପଦଣ୍ଡକୁ ନେଇ କରାଯିବ। ଏବେ ମୋଟ ଏକ ଲକ୍ଷ କୋଟି ଟଙ୍କାର ଫାର୍ମା ଉଦ୍ୟୋଗରୁ ମାତ୍ର ୧୭ ପ୍ରତିଶତ ଉପରେ ସରକାରଙ୍କ ସିଧାସଳଖ ନିୟନ୍ତ୍ରଣ ରହିଛି। କିନ୍ତୁ ଏହି ବ୍ୟବସ୍ଥା ଲାଗୁ ହେବା ପରେ ସରକାରଙ୍କ ନିୟନ୍ତ୍ରଣରେ ଯେଉଁ ୧୭ ପ୍ରତିଶତ ଔଷଧ ରହିଛି ତାହା ବୃଦ୍ଧି ପାଇ ୧୦୦ ପ୍ରତିଶତ ହୋଇଯିବ। କମ୍‌ ଦାମରେ ଲୋକମାନେ ଔଷଧ ପାଇପାରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.