ପୋଡ଼ାତେଲରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନୀ ସାବଧାନ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ : ଆମ ଦେଶରେ ଲୋକମାନେ ତେଲଛଣା ଖାଦ୍ୟ ଖାଇବାକୁ ଟିକିଏ ଅଧିକ ପସନ୍ଦ କରନ୍ତି । ରାସ୍ତାକଡ଼ରେ ମିଳୁଥିବା ବରା, ଆଳୁଚପ, ସିଙ୍ଗଡା ଆଦି ଦେଖିଲେ ଲୋକମାନଙ୍କ ପାଟିରୁ ଲାଳ ଗଡ଼େ । ତେବେ କେବେ ଭାବିଛନନ୍ତି ଏସବୁ ଖାଦ୍ୟ ଆମ ପାଇଁ କେତେ ନିରାପଦ ? ନିୟମିତ ତେଲଛଣା ଖାଦ୍ୟ ତ ଆମ ଶରୀର ପାଇଁ ହିତକାରୀ ନୁହେଁ, କିନ୍ତୁ ବାରମ୍ବାର ବ୍ୟବହାର ହେଉଥିବା ପୋଡ଼ା ତେଲ ଆମ ଶରୀର ପାଇଁ ବିଷ ସଦୃଶ । ଏକାଧିକ ଥର ବ୍ୟବହାର ହୋଇଥିବା ତେଲରେ ଛଣା ହୋଇଥିବା ସାମଗ୍ରୀ ଖାଇବା ଦ୍ୱାରା ଆମର ହାଇପରଟେନସନ, ଲିଭର ସମସ୍ୟା, ଗ୍ୟାସ, ସ୍ମୃତିଶକ୍ତି ହ୍ରାସ ପାଇବା, ଡାଇବେଟିସ,କୋଲେଷ୍ଟରଲ ବଢିବା ଆଦି ସମସ୍ୟା ଦେଖାଦିଏ । ଏଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କେତେକ ପଦକ୍ଷେପ ନିଆଯାଇଛି । ଦେଶରେ ଖାଦ୍ୟ ମାନଦଣ୍ଡ ଉପରେ ନଜର ରଖୁଥିବା ସରକାରୀ ସଂସ୍ଥା ଏଫଏସଏସଆଇ (ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ) ଏ ନେଇ କେତେକ କଟକଣା ଜାରି କରିଛି । ଗତ ଜୁଲାଇ ୧ରୁ ଏହି କଟକଣା ଲାଗୁ ହେଉଛି । ଏହି ନିୟମ ଅନୁସାରେ ରେସ୍ତୋରାଁ ଓ ଖାଦ୍ୟ ସାମଗ୍ରୀ ଦୋକାନମାନେ ନିୟମିତ ଭାବେ ତେଲର ମାନ ଯାଞ୍ଚ କରିବେ । ତେଲର ଟିପିସି (ଟୋଟାଲ ପୋଲାର କମ୍ପାଉଣ୍ଡ) ୨୫ ପ୍ରତିଶତରୁ ଅଧିକ ହେବ ନାହିଁ । ତେଲର ଟିପିସି ପରୀକ୍ଷା କରିବା ପାଇଁ ମିଳୁଥିବା କେତେକ ଛୋଟ ଯନ୍ତ୍ର ମାଧ୍ୟମରେ ଏହି ପରୀକ୍ଷା କରାଯାଇପାରିବ । ଏଫଏସଏସଆଇ କିମ୍ବା ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯାଞ୍ଚ ବେଳେ ତେଲର ମାନ ଖରାପ ବାହାରିଲେ ସଂପୃକ୍ତ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ପୋଡା ତେଲକୁ ସଂଗ୍ରହ କରି ବାୟୋ ଡିଜେଲ ଭାବେ ବ୍ୟବହାର କରିବା ପାଇଁ ଏଫଏସଏସଆଇ ଯୋଜନା କରୁଛି ।

ସମ୍ବନ୍ଧିତ ଖବର