‘ନୀଳାଦ୍ରିବିଜେ’ରେ କାହିଁକି ହୁଏ ‘ବିଭୀଷଣ ବନ୍ଦାପନା’?

ରଥ କଥା - ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ ନୀତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ‘ଦକ୍ଷିଣାଭିମୁଖ ବନ୍ଦାପନା’ । ଏହାକୁ ‘ବିଭୀଷଣ ବନ୍ଦାପନା’ କୁହାଯାଏ । ଲଙ୍କାର ରାଜା ବିଭୀଷଣଙ୍କ ପକ୍ଷରୁ ଏହି ବନ୍ଦାପନା କରାଯାଇଥାଏ । ଏହାର ଗୋଟିଏ ସଂପର୍କ ସୂତ୍ର ସାରଳା ଦାସଙ୍କ ‘ମହାଭାରତ’ରେ ଅଛି ।

‘ବିଭୀଷଣ’ ଲଙ୍କପତି ରାବଣର ଭାଇ । ସେ ବିଶ୍ରବା ଋଷି ଓ ରାକ୍ଷସ କନ୍ୟା କୈକଷୀ (ନିକଷା)ଙ୍କ ସବା ସାନପୁଅ । ସେ ରାମ-ରାବଣ ଯୁଦ୍ଧରେ ରାମଙ୍କର ସହାୟତା କରିଥିଲେ ଏବଂ ରାବଣ ନିହତ ହେବା ପରେ ରାମ ତାଙ୍କୁ ଲଙ୍କାର ରାଜା କଲେ । ତାହା ଥିଲା ତ୍ରେତୟା ଯୁଗର କଥା ।

‘ସାରଳା ମହାଭାରତ’ର ‘ସଭାପର୍ବ’ ଅନୁସାରେ, ଯୁଝେଷ୍ଠି (ଯୁଧିଷ୍ଠିର) ଗୋଟିଏ ରାଜସୂୟ ଯଜ୍ଞ କରିଥିଲେ । ‘ପଞ୍ଚୁକଟକ’ ଥିଲା ତାହାର ଯଜ୍ଞସ୍ଥଳ । ଏହି ‘ପଞ୍ଚୁକଟକ’ ହେଉଛି- ‘ଇନ୍ଦ୍ରପ୍ରଶସ୍ତ’, ‘ଯମ ପ୍ରଶସ୍ତ’, ‘ହସ୍ତିନା’, ‘ବାରୁଣା’ ଓ ‘ଜଇନ୍ତା’ । ସେହି ରାଜସୂୟ ଯଜ୍ଞକୁ ଲଙ୍କାର ରାଜା ବିଭୀଷଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ଦ୍ୱାପର ଯୁଗର କଥା ।

ନିମନ୍ତ୍ରଣ ରକ୍ଷାକରି ବିଭୀଷଣ ଆସି ପହଞ୍ଚିବା ପରେ, କୃଷ୍ଣ ତାଙ୍କୁ ପଞ୍ଚୁକଟକ ବ୍ୟାପୀ ସେହି ଯଜ୍ଞସ୍ଥଳ ବୁଲାଇ ଦେଖାଇଥିଲେ । ତାହାର ବିଭିନ୍ନ ଦ୍ୱାର ବୁଲିବା ବେଳେ ସେଠାର ପାନ-ଭୋଜନ ବ୍ୟବସ୍ଥା ଦେଖି ବିଭୀଷଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ, ସେଠାରେ ବ୍ରାହ୍ମଣଙ୍କଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଏକ ସ୍ଥାନରେ ବସି ଭୋଜନ କରୁଥିଲେ । ସମସ୍ତଙ୍କର ଖିଆପିଆ ପାଇଁ ଗୋଟିଏ ପ୍ରକାରର ବ୍ୟବସ୍ଥା ଥିଲା ।

ଉଲ୍ଲେଖନୀୟ ଯେ ଏପରି ବ୍ୟବସ୍ଥା ଏବେ ଶ୍ରୀମନ୍ଦିରର ମହାପ୍ରସାଦ ଭୋଜନରେ ‘ଆନନ୍ଦ ବଜାର’ରେ ରହିଛି ।

ଯୁଧିଷ୍ଠିରଙ୍କର ସେହି ରାଜସୂୟ ଯଜ୍ଞ ଯଥାବିଧି ଶେଷ ହେଲା । ବିଭୀଷଣଙ୍କର ବିଦାୟ ନେବାର ସମୟ ଆସିଲା । ଶ୍ରୀକୃଷ୍ଣ ତାଙ୍କୁ ବାଟେଇ ଦେବାକୁ ଗଲେ । ସେହି ସମୟରେ ଯମୁନା ନଦୀ ତଟରେ ବିଭୀଷଣ ତାଙ୍କୁ ପଚାରିଲେ- ଏବେ ତ ଦ୍ୱାପର ଯୁଗରେ ଆପଣଙ୍କ ସହିତ ଏହି ସାକ୍ଷାତ୍‍ ହେଲା । କଳିଯୁଗରେ ମୁଁ ଆପଣଙ୍କର ଦର୍ଶନ ପାଇବି କେମିତି? କେଉଁଠାରେ ଆପଣଙ୍କ ସହିତ ମୋର ସାକ୍ଷାତ୍‍ ହେବ?

ତାହାଙ୍କର ଏ ପ୍ରଶ୍ନର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ- ବାରାନିଧି (ମହୋଦଧି ବା ସମୁଦ୍ର)ର ଉତ୍ତର ତଟରେ ଅଛି ‘ଯମନିକ ତୀର୍ଥ’ । ସେଠାରେ ଅଛି ‘ନୀଳସୁନ୍ଦର ପର୍ବତ’ । ସେହିଠାରେ ଆମେ ବିଜେ କରିବୁ । ମିଥୁନ ମାସ, ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଆମର ରଥଯାତ୍ରା ହେବ । ସେହି ରଥଯାତ୍ରାରେ ଯିବାବେଳେ ଆମେ ବଳଗଣ୍ଡିଠାରେ ବିଶ୍ରାମ କରିବୁ । ସେତିକିବେଳେ ପ୍ରାୟ ଅଧଘଡ଼ି ଧରି ଆମର ଦକ୍ଷିଣାଭିମୁଖ ମୂର୍ତ୍ତିର୍ ହେବ (ଅର୍ଥାତ୍‍ ଆମେ ଦକ୍ଷିଣ ଦିଗକୁ ଚାହିଁବୁ) । ସେଇ ଦିଗରେ ଥିବ ନୀଳସୁନ୍ଦର ପର୍ବତ । ସେତିକି ବେଳେ ତୁମେ ତୁମର ଲଙ୍କାଗଡ଼ର ଉଚ୍ଚ ଜଗତି ଉପରେ ଥାଇ ଚାହିଁଲେ ଆମର ଦର୍ଶନ ପାଇପାରିବ । ସାରଳା ଦାସଙ୍କ ବର୍ଣ୍ଣିତ ଯମନିକ ତୀର୍ଥ ଓ ନୀଳସୁନ୍ଦର ପର୍ବତ ହେଉଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ।

ମନେହୁଏ, ଏହାହିଁ ‘ଦକ୍ଷିଣାଭିମୁଖ ବନ୍ଦାପନା’ର ଗୋଟିଏ ଭିତ୍ତି । ପୂର୍ବେ ରଥଯାତ୍ରା ହେବା ବେଳେ ରଥର ପଥ ସୁଗମ ନଥିବାରୁ ରଥ ଯାଇ ବଳଗଣ୍ଡିଠାରେ ରହୁଥିଲା । ସେତେବେଳେ କିଛି ସମୟ ପାଇଁ ଠାକୁର ଦକ୍ଷିଣମୁଖ ହେଉଥିଲେ । ସେହି ସମୟରେ ଲଙ୍କାଗଡ଼ର ଜଗତିରେ ଥାଇ ବିଭୀଷଣ ତାଙ୍କୁ ଦର୍ଶନ କରୁଥିଲେ ।

ପରବର୍ତ୍ତୀ କାଳରେ ବଡ଼ଦାଣ୍ଡକୁ ବିଭକ୍ତ କରି ପ୍ରବାହିତ ହେଉଥିବା ନଦୀ ପୋତା ହୋଇଯାଇ ରଥର ପଥ ସୁଗମ ହେଲା । ଫଳରେ ଛଅ ରଥ ବଦଳରେ ତିନି ରଥ ହେଲା । ବଳଗଣ୍ଡିଠାରେ ରଥ ବିଶ୍ରାମ କଲେନାହିଁ । ତେଣୁ ସେଠାରେ ଠାକୁରମାନେ ଆଉ ଦକ୍ଷିଣାଭିମୁଖ ହେବାର ଅବକାଶ ରହିଲା ନାହିଁ । ଫଳରେ ସେହି ‘ଦକ୍ଷିଣାଭିମୁଖ’ ନୀତି ଏବେ ନୀଳାଦ୍ରି ବିଜେ ସମୟରେ ଗରୁଡ଼ଙ୍କ ସମ୍ମୁଖରେ କରାଯାଉଛି । ସେହି ସମୟରେ ଯେଉଁ ବନ୍ଦାପନା କରାଯାଉଛି ତାହା ବିଭୀଷଣଙ୍କ ପକ୍ଷରୁ କରାଯାଉଥିବାରୁ, ତାହାର ନାମ ହୋଇଛି ‘ବିଭୀଷଣ ବନ୍ଦାପନା’ । କାରଣ ଲଙ୍କାର ଅବସ୍ଥିତି ଆମ ଦେଶ ଭାରତବର୍ଷର ଦକ୍ଷିଣ ଦିଗରେ ।

ତେବେ ସାରଳା ଦାସ ତାଙ୍କ ମହାଭାରତରେ ବିଭୀଷଣଙ୍କର ଯେଉଁ ବର୍ଣ୍ଣନା ଦେଇଛନ୍ତି, ତାହା ଅତ୍ୟନ୍ତ କୌତୂହଳ ଉଦ୍ଦୀପକ । କାରଣ ରାବଣର ଯେପରି ଦଶମୁଣ୍ଡ, କୋଡ଼ିଏ ଆଖି ଓ କୋଡ଼ିଏ ହାତ ଥିଲା, ବିଭୀଷଣଙ୍କର ସେହିପରି ପାଞ୍ଚମୁଣ୍ଡ, ଦଶ ଆଖି ଓ ଦଶ ହାତ ଅଛି ବୋଲି ସାରଳା ଦାସ ବର୍ଣ୍ଣନା କରିଛନ୍ତି ।

ବିଭୀଷଣଙ୍କର ଏହି ରୂପର ସୂତ୍ର ସାରଳା ଦାସ କେଉଁଠୁ ପାଇଲେ ଜଣାନାହିଁ । କିନ୍ତୁ ‘ଦକ୍ଷିଣାଭିମୁଖ ବନ୍ଦାପନା’ ବା ‘ବିଭୀଷଣ ବନ୍ଦାପନା’ର ଗୋଟିଏ ସୂତ୍ର ଯେ ଆମ ଆଦିକବି ସାରଳାଙ୍କ ‘ମହାଭାରତ’ରେ ଅଛି, ଏଥିରେ କୌଣସି ସନ୍ଦେହ ନାହିଁ ।

ସମ୍ବନ୍ଧିତ ଖବର